
ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ଉପଯୁକ୍ତ ସମ୍ମାନ ରାଜ୍ୟ ସରକାର ପ୍ରଦାନ କରିନାହାନ୍ତି; ୧୦୮ ତମ ଜୟନ୍ତୀ ଉତ୍ସବରେ ବିଭିନ୍ନ ବକ୍ତାଙ୍କ କ୍ଷୋଭ
ବ୍ରହ୍ମପୁର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତି ସ୍ଥାପନ ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସେମାନଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଗଞ୍ଜାମ ଜିଲାରେ ଜନ୍ମ ଗ୍ରହଣ କରିଥିବା ଦୁଇ ପୂର୍ବତନ ନିଷ୍କାମ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଓ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉନାହିଁ ! ରାଜଧାନୀରେ ଉଭୟଙ୍କ ପ୍ରତିମୂର୍ତି ସ୍ଥାପନ ହୋଇନଥିବା ଏବଂ ସେମାନଙ୍କ ଜୟନ୍ତୀ ପାଳନ କରାଯାଉନଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ ବୋଲି ବିନାୟକ ଆଚାର୍ଯ୍ୟଙ୍କ ୧୦୮ତମ ଜୟନ୍ତୀ ଅବସରରେ ଗଞ୍ଜାମ ବିକାଶ ମଂଚ ପକ୍ଷରୁ ଆୟୋଜିତ ସଭାରେ ବକ୍ତାମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଗଜପତିନଗର ୫ମ ଗଳି ସ୍ଥିତ ମହାନଗର ନିଗମ ପାଠାଗାରରେ ଗଞ୍ଜାମ ଜିଲ୍ଲା ବିକାଶ ମଂଚ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ଇତିମଧ୍ୟରେ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିକାଶ ମଂଚ ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ଭାବେ ରାଜନୀତି ବିଭାଗ ପ୍ରଫେସର ଡ. ବିଷ୍ଣୁ ଚରଣ ଚୌଧୁରୀ, ସମ୍ମାନିତ ଅତିଥ ଭାବେ ନବୀନର ସମ୍ପାଦକ ରବି ରଥ ଓ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନୟକ ଓ ସ୍ଥାନୀୟ କର୍ପୋରେଟର ସମିର କୁମାର ମିଶ୍ର ପ୍ରମୁଖ ଯୋଗ ଦେଉଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ସଂସ୍କାରିତ ନୀତି, ନୈତିକତାପୂର୍ଣ୍ଣ ବିଦ୍ୟାର୍ଥୀ ଜୀବନ, ସମର୍ପିତ ସମାଜସେବା, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ଜନ ଜାଗରଣ, ସାମାଜିକ ଜୀବନରେ ଶୃଙ୍ଖଳା ଓ ସଂସ୍କାର ଆଦି ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ବିକାଶ ମଂଚ ଓ ସଂସ୍କାରବାଦୀ ସଂଗଠନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଆସ୍କାରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂସ୍କାରବାଦୀ ସଂଗଠନ ସଭାପତି ତ୍ରିନାଥ ମହାରଣା, ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ ଡ. ଶିବପ୍ରସାଦ ମିଶ୍ର, ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଅଶୋକ ଦଳାଇ, ସାହିତ୍ୟିକ ହାଡ଼ବନ୍ଧୁ ମାଳି, ସୁବାଷ ଚନ୍ଦ୍ର ମିଶ୍ର, ସୀମାଂଚଳ ସାହୁ, କବିରାଜ ସାଇଁ, ଅଶୋକ ଦଳାଇ, ସଞ୍ଜୟ କୁମାର ତ୍ରିପାଠୀ, ଶିବ ପ୍ରସାଦ ମିଶ୍ର ଓ ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।





