ବ୍ୟାସନଗର ସାପଗଡିଆ ଅଂଚଳରେ ରାଜନୈତିକ ଗଣ୍ଡଗୋଳ, ପୋଲିସର ବ୍ୟାପକ ତନାଘନା
ବ୍ୟାସନଗର,୦୪/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଂଚଳର ସାପଗଡିଆ ଅଂଚଳରେ ଆଜି ରାତ୍ର ୦୮ ଘଟିକା ପାଖାପାଖି ସମୟରେ ରାଜନୈତିକ ବ୍ୟକ୍ତିବିଶେଷ ଓ ସେମାନଙ୍କ ସମର୍ଥକଙ୍କ ଗୃପ୍ ମଧ୍ୟରେ ବଡ ଧରଣର ଗଣ୍ଡଗୋଳ ଲାଗିବାରୁ ପରିସ୍ଥିତି ଅଶାନ୍ତ ହୋଇପଡିଥିବାର ଜଣାଯାଇଛି । ପୋଲିସ ପକ୍ଷରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ୪-୫ଟି ଗାଡିରେ ପଇଁତରା ମରାଯାଉଥିବା ବେଳେ ବହୁ ସାଧାରଣ ତଥା ସ୍ଥାନୀୟ ଲୋକେ ଘଟଣାର କାରଣ ବିଷୟରେ ସ୍ଫଷ୍ଟ ଅବଗତ ନ ଥିବା ବେଳେ ସେମାନେ ୟା’ ଲୋକ ତା’ ଲୋକ ବୋଲି କୁହାକୁହି ହେଉଛନ୍ତି । ଯାହା ଜଣାଯାଇଛି ଏହି ଘଟଣାରେ ଧର୍ମଶାଳା ଅଂଚଳର ୦୨ ଟାଣୁଆ ଗୃପ୍ର ନେତାଙ୍କ ମଧ୍ୟରେ ଛକାପଂଝା ଓ ଟକ୍ରାଟକ୍ରି ଲାଗିବା କାରଣରୁ ଗୋଟିଏ ଗୃପ୍ର କିଛି ସମର୍ଥକ ଅନ୍ୟ ଗୃପ୍ର ନେତାଙ୍କ ପିଛା କରି ଆସିବା ଫଳରେ ସାପଗଡିଆ ସ୍କୁଲ ଓ ଷ୍ଟାଡିୟମ ମଧ୍ୟବର୍ତ୍ତୀ ଅଂଚଳରେ ପରସ୍ପର ମଧ୍ୟରେ ଭେଟାଭେଟି ହେବା ପରେ ଏହି ଗଣ୍ଡଗୋଳ ଘଟିଥିବାର କୁହାଯାଉଛି । ଏହି ଗଣ୍ଡଗୋଳରେ ବ୍ୟାସନଗରର ଓ ସୁକିନ୍ଦାର କିଛି ବ୍ୟକ୍ତିବିଶେଷ ସାମିଲ ଥିବାର କୁହାଯାଉଛି । ପୋଲିସର ଏକ ବଡ ଟିମ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି । ଦେଖାଯାଉ ଏହି ଘଟଣା ଆଗକୁ କି ରୂପ ନେବାକୁ ଯାଉଛି ।




