
ମାହାଙ୍ଗା କୁମୁଡ଼ା-ଜୟପୁରରେ ଅଧାପନ୍ତରିଆ ମେଘା ପାନୀୟ ଜଳ ପ୍ରକଳ୍ପର ତରବରିଆ ଉଦଘାଟନକୁ କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ
ମାହାଙ୍ଗା,୧୧/୫(ଅଜୟ କୁମାର ମହାନ୍ତିଙ୍କ ଠାରୁ): କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର କୁମୁଡ଼ା-ଜୟପୁର ଠାରେ ନିର୍ମାଣାଧୀନ ବୃହତ୍ ମେଘା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ୭୦ ଭାଗ ସଂପୂର୍ଣ୍ଣ ହୋଇଥିବା ବେଳେ ୩୦ ଭାଗ କାମ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନାହିଁ। ମାତ୍ର ଏହି ଅଧାପନ୍ତରିଆ କାର୍ଯ୍ୟକୁ ଉଦଘାଟନ କରିବା ପାଇଁ ମାହାଙ୍ଗାର ସ୍ବାଧିନ ବିଧାୟକ ଶାରଦା ପ୍ରଧାନଙ୍କ ତରଫରୁ ଜୋର୍ ସୋରରେ ଉଦ୍ୟମ ଚାଲିଥିବା ଘଟଣାକୁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ଜନସାଧାରଣ ତୀବ୍ର ସମାଲୋଚନା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ବଜାର ଠାରେ ଥିବା ମଧୁକୋଠୀରେ ବ୍ଲକ କଂଗ୍ରେସ ସଭାପତି ଆଡଭୋକେଟ ଦୀପକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସେକ୍ ମସୁଦ୍ ଅଲ୍ଲୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବାଧିନ ବିଧାୟକଙ୍କ ଏତାଦୃଶ ଜନ ବିରୋଧି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିବା ସହ ତରବରିଆ ଉଦଘାଟନର ଉଦେଶ୍ୟ କଣ ବୋଲି ପ୍ରଶ୍ନ ପଚାରିଛନ୍ତି। ଏଥିସହ ସେକ୍ ଅଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କର ନିରପେକ୍ଷ ବିଚାର କାମନା କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କଂଗେସ ପକ୍ଷରୁ ପ୍ରକାଶ କରାଯାଇଛି କି, ଏହି ବୃହତ୍ ମେଘା ପାନୀୟ ଜଳ ପ୍ରକଳ୍ପ ୨୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୨୦୧୮ ମସିହାରେ ମଧୁପୁର ପଞ୍ଚାୟତ ଠାରେ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ଦ୍ଵାରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ମୋଟ୍ ୪୪ଟି ପଞ୍ଚାୟତର ୫୦ ହଜାର ପରିବାର ଉପକୃତ ହେବେ।
ଏହି ପ୍ରକଳ୍ପ କାମଟି ଠିକ୍ ଭାବରେ କରାଯାଉନାହିଁ ବୋଲି ଅଭିଯୋଗ କରି କଂଗେସ ନେତା ଓ କର୍ମୀମାନେ ପ୍ରକାଶ କରିଛନ୍ତି ଯେ, ଅନେକ ସ୍ଥାନରେ ପାଇପ୍ ବିଛା କାମ ଶେଷ ହୋଇନାହିଁ ଓ ରାସ୍ତା ଘାଟ ଖୋଳା ହୋଇ ଅତି ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି; ଯେଉଁଥିପାଇଁ ବାରମ୍ବାର ଦୁର୍ଘଟଣା ମାନ ଘଟୁଅଛି। ବହୁ ପଞ୍ଚାୟତରେ ମୁଖ୍ୟ ପାଇପ୍ ମଧ୍ୟ ବିଛା ହୋଇନାହିଁ ଏବଂ ଅନ୍ୟାନ୍ୟ କେତେକ ପଞ୍ଚାୟତରେ ଜନସାଧାରଣଙ୍କ ଘରକୁ ପାଇପ୍ ସଂଯୋଗ କରାଯାଇନାହିଁ। କାର୍ଯ୍ୟ ସମ୍ପୂର୍ଣ୍ଣର ଧାର୍ଯ୍ୟ ଅବଧି ୨୦୨୪ ମସିହା ଥିବାବେଳେ ଦୁଇ ବର୍ଷ ପରେ ମଧ୍ୟ ଏହା ସଂପୂର୍ଣ୍ଣ ହୋଇପାରିନାହିଁ।
ମାତ୍ର ଅତି ଦୁଃଖ ଓ ପରିତାପର ବିଷୟ ଏହିକିଯେ, ଚଳିତ ମଇ ମାସ ଆସନ୍ତା ୧୩ ତାରିଖ ପୂର୍ବାହ୍ନରେ ଏହି ୭୦ ଶତାଂଶ ସଂପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବା ପାଇଁ ପଂଚାୟତରାଜ ଓ ଜଳଯୋଗାଣ ମନ୍ତ୍ରୀ ରବି ନାୟକ ଓ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ଅତ୍ୟନ୍ତ ତରବରିଆ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୪୪ ପଞ୍ଚାୟତର ୫୦ ହଜାର ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଥିବା ଉଲ୍ଲେଖ କରି ଏକ ପ୍ରଚାର ପତ୍ର ଚାରିଆଡ଼େ ମାରିବା ସହ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ କୋଠପଦା ଠାରେ ଏକ ବିଶାଳ ସଭା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ଏହି କାର୍ଯ୍ୟକୁ ମାହାଙ୍ଗା କଂଗ୍ରେସ ବିରୋଧ କରୁଚି ଏବଂ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ଉଦଘାଟନ ପାଇଁ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପଣ୍ଡିତ ପ୍ରଭାତ କର, ନଳିନୀକାନ୍ତ ନାୟକ, ସୌକତ୍ ଅଲ୍ଲୀ, ସୁକାନ୍ତ ନନ୍ଦ, ରଞ୍ଜନ ପ୍ରଧାନ, ଗଣେଶ୍ୱର ସ୍ୱାଇଁ, ଅରୁଣ ନାଥ, ରାମଚନ୍ଦ୍ର ପରିଡ଼ା, କ୍ଷୀରୋଦ ସାହୁ, ଆକାଶ ପ୍ରଧାନ, ଅଜୟ କୁମାର ରାଉତରାୟ ପ୍ରମୁଖଙ୍କ ସମେତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ। ଏ ସମ୍ପର୍କରେ ମେଘା ପ୍ରକଳ୍ପର ଅଧିକାରୀ ମାନସ କୁମାର ସାହୁଙ୍କୁ ଫୋନ ଯୋଗେ କଥାବାର୍ତ୍ତା କଲାପରେ ପ୍ରକଳ୍ପ କାମ ଚାଲିଛି ଓ ସଂପୂର୍ଣ୍ଣ ହୋଇନାହିଁ ବୋଲି ପ୍ରକାଶ କରିବା ସହ ଫୋନ କାଟିକୀ ସୁଇଚ ଅଫ୍ କରି ଦେଇଥିଲେ।




