ଯୋକଡିଆ ଅଂଚଳର ମୁରବୀ ଗଜେନ୍ଦ୍ର ଖୁଟିଂଆ ଆରପାରିରେ, ବିଭିନ୍ନ ମହଲରେ ଶୋକ ବ୍ୟକ୍ତ
ବ୍ୟାସନଗର, ୪/୬: ଯାଜପୁର ଜିଲ୍ଲାର କୋରେଇ, ରସୁଲପୁର ଅଂଚଳର ଜଣେ ଜଣାଶୁଣା ପୁରୁଖା ଅଣ-କଂଗ୍ରେସ ଚିନ୍ତାଧାରାର ବର୍ଷିୟାନ ନେତା ତଥା ଯୋକଡିଆ ଅଂଚଳର ମୁରବି ଗଜେନ୍ଦ୍ର ଖୁଟିଂଆଙ୍କର ଆଜି ସକାଳ ପ୍ରାୟ ୮ଟା ୧୫ମି. ସମୟରେ ପରଲୋକ ଘଟିଛି । ତାଙ୍କର ହୃଦ୍ଘାତରେ ପରଲୋକ ଘଟିଥିବାର କୁହାଯାଉଛି । ସେ ୨୦୧୫ ମସିହାରୁ ହୃଦ୍ରୋଗରେ ପିଡ଼ୀତ ହୋଇ ଚିକିତ୍ସିତ ହୋଇଆସୁଥିଲେ । କିଛି ଦିନ ହେଲା ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିଲା ଓ ସେ ୨ଦିନ ହେଲା କିଛି ଖାଉ ନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ ଯାଜପୁରର ଭୂମିପୂତ୍ର ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଜଣେ ଘନିଷ୍ଠ ସହଯୋଗୀ ଓ ଅନ୍ତରଙ୍ଗ ଥିଲେ । ତାଙ୍କ ଚିନ୍ତାଧାରାକୁ ସେ ବେଶ ସମ୍ମାନ ଦେଇ ବଂଚିଥିଲେ । ତାଙ୍କର ପରଲୋକରେ ଯୋକଡିଆ ଅଂଚଳର ଦୀପ ଲିଭିଗଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଯୋକଡ଼ିଆ ଜଗନ୍ନାଥ ମନ୍ଦିର, ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠାରେ ବହୁ ସହଯୋଗ କରିଥିଲେ । ବହୁ ଅଣ-କଂଗ୍ରେସ ନେତାଙ୍କୁ ସେ ତିଆରି କରିଥିଲେ । ‘ଉଦୟବଟ’ ସହ ତାଙ୍କର ସଂପର୍କ ପ୍ରାୟ ୩୦ବର୍ଷ । ଆରମ୍ଭରୁ ସେ ଏହାର ଜଣେ ଶୁଭେଚ୍ଛୁ ଓ ପରାମର୍ଶଦାତା ଥିଲେ । ତାଙ୍କ ବିୟୋଗରେ ଯାଜପୁରର ପୂର୍ବତନ ନଗରପାଳ ଭବପ୍ରସାଦ ଦାସ, ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ରସାନନନ୍ଦ ମହାନ୍ତି, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ବାଦଲ ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ବରିଷ୍ଠ ସାହିତ୍ୟିକ ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଉମିଳା ନାୟକ, ନାରୀନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ବସନ୍ତ ପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ୰ ଖୁଟିଂଆଙ୍କ ୩ ପୁଅ ଓ ୩ ବୋହୁ ଅଛନ୍ତି । ବଡ ପୁଅ ଆଶିଷ ଖୁଟିଂଆ, ମଝିଆ ପୁଅ ସନ୍ତୋଷ ଖୁଟିଂଆ ଓ ସାନ ପୁଅ ରାଜେଶ ଖୁଟିଂଆ (ବବି), ସହଧର୍ମୀଣି ପାର୍ବତୀ ଖୁଂଟିଆ, ଭାଇ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଶମ୍ବର ଖୁଟିଂଆ ଓ ପିତାମ୍ବର ଖୁଟିଂଆ, ନାତି ନାତୁଣୀ, ବଂଧୁବାନ୍ଧବ ପ୍ରମୁଖ ମରଶରୀର ନିକଟରେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ୰ ଖୁଟିଂଆଙ୍କ ଝିଆରୀ ମମତା ଖୁଟିଂଆ ରସୁଲପୁର ବ୍ଲକର ଉପାଧ୍ୟକ୍ଷା ଥିଲେ । ‘କରୋନା’ କଟକଣା ଯୋଗୁ ଏହି ବର୍ଷିୟାନ ନେତା ତଥା ସମାଜସେବୀଙ୍କ ଶେଷଦର୍ଶନ ପାଇଁ ଅଳ୍ପସଂଖ୍ୟକ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କ ଗୃହକୁ ଯାଇଥିବାର ଦେଖାଯାଇଥିଲା । ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ତାଙ୍କ ଶେଷଦର୍ଶନ କରିବା ସହ ଶବାଧାରାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗ୍ରାମ ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ମଝିଆ ପୁଅ ସନ୍ତୋଷ ଖୁଟିଂଆ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁରେ କୋରେଇ, ରସୁଲପୁର, ବ୍ୟାସନଗର ଆଦି ଅଂଚଳରେ ଶୋକର ଛାୟା ଖେଳିଯାଇଛି ।





