
ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ; ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନ ହୋଇ ତୃତୀୟ ନୟନ ହେଉ




ବ୍ୟାସନଗର: ସାମ୍ବାଦିକ ମାନେ ଚତୁର୍ଥ ସ୍ତମ୍ବରେ ଖୁସି ନହୋଇ ସବୁ ଘଟଣାର ତୃତୀୟ ନୟନ ହୁଅନ୍ତୁ ହୁଅନ୍ତୁ। ଆମ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବାରେ ଗଣମାଧ୍ୟମ ଏକ ବଡ ମାଧ୍ୟମ। ଛାପା ଗଣମାଧ୍ୟମ ସୁଖ ପାଠ ଗଦ୍ୟର ଏନ୍ତୁଡ଼ି ଶାଳ। ମାଆ ମାଟି ମାତୃଭାଷାକୁ ଭଲପାଇ ସାମ୍ବାଦିକ ମାନେ ସମ୍ବାଦ ପରିବେଷଣ କଲେ ପାଠକଙ୍କ ବିଶ୍ବସନୀୟତା ବଢିବ । ସଂକୁଚିତ ଖବର ସମାଜ ବିକାଶରେ ବାଧକ ସାଜେ। କୌଣସି ପରିସ୍ଥିତରେ ସାମ୍ବାଦିକ ନିଜ କଲମକୁ ବିକ୍ରି କରିବା ବା ସରକାରଙ୍କ ସହିତ ସାଲିସ କରି ଅନୁଗୃହିତ ହେବା ସାମ୍ବାଦିକତା ବୃତ୍ତି ପାଇଁ କଳଙ୍କ ବୋଲି ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡ଼ିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବୁଧବାର ପୂର୍ବାହ୍ନରେ ସଂଘ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ବ୍ୟାସଦେବ ଟାଉନ ହଲ ପରିସରରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଘ ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରି ଥିଲେ। ସଂଘର ସାଧାରଣ ସମ୍ପାଦକ ଡ଼.ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରି କୁରୁ ସଭାରେ ଦ୍ରୌପଦୀଙ୍କୁ ଉଲଗ୍ନ କରିବାକୁ ବିରୋଧ କରିଥିଲେ ହୁଏତ ମହାଭାରତ ଯୁଦ୍ଧ ହୋଇ ନଥାନ୍ତା ବୋଲି କହିଥିଲେ।ଉତ୍ସବର ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ସମ୍ବିଧାନର ଚତୁର୍ଥ ସ୍ତମ୍ବ ପାଇଁ ଆମେ ବଞ୍ଚିଛୁ ଓ ପ୍ରକୃତ ସାମ୍ବାଦିକତା ପାଇଁ କଠିନ ଅଧ୍ୟବସାୟ ଆବଶ୍ୟକ। ସାମାଜିକ ଗଣମାଧ୍ୟମ ସବୁ ସୀମା ସରହଦ ଟପୁଛି। ନିଶା ଓ ମଦ ପରିତ୍ୟାଗ କଲେ ସମାଜ ପାଇଁ ମଙ୍ଗଳ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ସାମ୍ବାଦିକମାନେ ସବୁ ଘଟଣାର ଅବଲୋକନ, ବିହଙ୍ଗାବାଲୋକନ ଓ ଆତ୍ମଲୋକନ କରି ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ।ବିଶିଷ୍ଟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ ଯୋଗ ଦେଇ ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଖବର କାଗଜରେ ସଠିକ ଖବର ପ୍ରକାଶ ନପାଇଲେ ଆଗକୁ ଏହା ଲୋକପ୍ରିୟତା ହରାଇବା ସହିତ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ସୁବାସ ବଳ ଯୋଗଦେଇ ସହରରେ ସାମ୍ବାଦିକମାନେ ଆମ ଭାଇଚାରାକୁ ବଞ୍ଚାଇ ରଖିଛନ୍ତି ବୋଲି କହିଥିଲେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଖବର କାଗଜ ବିତରକ ଅଶୋକ କୁମାର ବେହେରା , ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର ପବିତ୍ର ରଞ୍ଜନ ମହାନ୍ତି ,ଡାକ୍ତର ଗୌରୀ ଶଙ୍କର ଷଡ଼ଙ୍ଗୀ,ଶିକ୍ଷାବିତ୍ ଦେବପ୍ରସନ୍ନ ମହାନ୍ତି ,ନାରୀନେତ୍ରୀ ତଥା ବ୍ୟାସନଗର ପୌର ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ସରୋଜିନୀ ବଳ,ବିଳାସିନୀ ଗୋପବନ୍ଧୁ ଫାଉଣ୍ଡେସନ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାମଲ,ଫେରୋକ୍ରୋମ ୟୁନିଟ ହେଡ଼ ଇଂ. ରଶ୍ମି ରଞ୍ଜନ ପରିଡା, ଯାଜପୁର ରୋଡ଼ ଆଦର୍ଶ ଥାନା ଅଧିକାରୀ ଆଶୀଷ କୁମାର ସାହୁ, ଭାରତୀୟ ସେନାର ଅବସର ପ୍ରାପ୍ତ ସୁବେଦାର ମେଜର ପ୍ରଦୀପ୍ତ କୁମାର ସାହୁ, ସମାଜସେବୀ ଚନ୍ଦ୍ରମଣି ସାମଲ, ଯୁବ ଶିଳ୍ପଦ୍ୟୋଗୀ ଶ୍ରୀକାନ୍ତ କୁମାର ବଳ , ଯୁବ ସମାଜ ସେବୀ ସନ୍ତୋଷ କୁମାର ଧଳ, ଶାନ୍ତି ସେନା ଯାଜପୁର କିନ୍ନର ସଂଘ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଭାପତି ପ୍ରଦ୍ୟୁମ୍ନ କୁମାର ବୋଇତାଇ,ଯଜ୍ଞଦତ୍ତ ତ୍ରିପାଠୀ, ସହ ସମ୍ପାଦକ ଭାରତ ରାଉତ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ବିଜୟ କୁମାର ସାହୁ, ପବିତ୍ର ରଂଜନ ମହାନ୍ତି, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର,ସୁଦୀପ ମିଶ୍ର,ଜ୍ଞାନରଞ୍ଜନ ରାଉତ, ଶ୍ରୀକାନ୍ତ ବ୍ରହ୍ମ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଭ୍ୟ ବିଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉତ୍ସବରେ ଯୋଗ ଦେଇଥିଲେ।






