
ବରିଷ୍ଠ ଶିକ୍ଷାବିତ୍ଙ୍କ ପତ୍ନୀ ସୁଲୋଚନା ଦେଓଙ୍କ ପରଲୋକ
ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କଲୋନୀ ଗେଟ୍ ନିକଟସ୍ଥ କ୍ରୋମନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଠ ଶିକ୍ଷାବିତ୍ ସଞ୍ଜୟ କୁମାର ଦେଓଙ୍କ ଧର୍ମପତ୍ନୀ ସୁଲୋଚନା ଦେଓଙ୍କର ଗତ ତା-୧୧/୦୯/୨୦୨୬ ରିଖ ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମେଡିକାଲରେ ତାଙ୍କ ସହ ତାଙ୍କ ସ୍ୱାମୀ ଶ୍ରୀ ଦେଓ ଉପସ୍ଥିତ ରହି ସୂଚାରୁ ଚିକିତ୍ସା ବ୍ୟବସ୍ଥା ଦେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିଥିବା ସତ୍ୱେ ବିଧିର କରାଳ ବିଧାନ ତାଙ୍କୁ ଛଡ଼ାଇ ନେଇଥିଲା । ତାଙ୍କର ଦେହାନ୍ତ ଖବର ପ୍ରସାରିତ ହେବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଶ୍ରୀଯୁକ୍ତ ଦେଓଙ୍କର ବହୁ ଛାତ୍ରଛାତ୍ରୀ ଯେଉଁମାନେ କି ବହୁ ଉଚ୍ଚ ପଦପଦବୀରେ ଅବସ୍ଥାନ କରୁଛନ୍ତି ସେମାନେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ତାଙ୍କର ଦୁଇ ପୁଅ ଓ ଦୁଇ ବୋହୂ ଅଛନ୍ତି । ତାଙ୍କର ଘର ଢ଼େଙ୍କାନାଳ ଜିଲ୍ଲା ଭୂବନ ଅଂଚଳରେ ହୋଇଥିବା ବେଳେ ସେ ବ୍ୟାସନଗର ଅଂଚଳର ରମ୍ପାସ ଠାରେ ଘରଦ୍ୱାର କରି ଅବସ୍ଥାନ କରୁଛନ୍ତି । ଅବସରପରେ ଶ୍ରୀ ଦେଓ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଯୋଗଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି । ସେ ଉଦୟବଟର ଜଣେ ଉପଦେଷ୍ଠା ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି । ଶ୍ରୀମତୀ ଦେଓଙ୍କର ପରଲୋକରେ ଉଦୟବଟ ପରିବାର ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଉଦୟବଟର ସମ୍ପାଦକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଏଫ୍ଡିସିର ଅବସରପ୍ରାପ୍ତ ଏସ୍ଡିଏମ୍ ବିନୋଦ ବିହାରୀ ଜେନା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ଯୁବ ସମାଜସେବୀ ଅନୁପ କୁମାର ଦାସ, ପ୍ରଫୁଲ୍ଲ ବାରିକ, ଶିକ୍ଷାବିତ୍ ତଥା ଝାଡ଼େଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡା, ହରଦୟାଲ ସିଂହ, ସମୀର ମିଶ୍ର, ଶ୍ରମିକ ନେତା ଅରୁଣ କୁମାର ଦାସ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ବିଦ୍ୟୁତପ୍ରଭା ରାୟ, ସଦାନନ୍ଦ ନାୟକ ଓ ସୁମିତ୍ରା ମିଶ୍ର ପ୍ରମୁଖ ଯୋଗଦେଇ ଶୋକବ୍ୟକ୍ତ କରିଥିଲେ ।





