
ଏସ.ପି ନନ୍ଦ ପାଠାଗାରର ୨୭ତମ ବାର୍ଷିକୋତ୍ସବ ଓ ଗୁରୁ ଦିବସ ପାଳନ

ବ୍ୟାସନଗର,୦୫/୦୯(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଆଜି ଶନିବାର ଅପରାହ୍ନରେ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୭ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀ ସାମଲ କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଓ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସୃଜନଶୀଳ ସାହିତ୍ୟ ଓ ଗଣମାଧ୍ୟମର ଆବଶ୍ୟକତା ସଦା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ସହ ସମାଜରେ ସୃଜନଶୀଳତା ରକ୍ଷା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖିଛନ୍ତି । ସେ ପୁନଶ୍ଚ କହିଥିଲେ ଯେ, ଶିକ୍ଷା ଓ ସୂଚନାର ପ୍ରସାର ଦିଗରେ ଓଡ଼ିଶାର ଖ୍ୟାତନାମା ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କ ନାମରେ ନାମିତ ‘ଏସ. ପି ନନ୍ଦ ପାଠାଗାର’ ଦୀର୍ଘ ୨୭ ବର୍ଷ ଧରି ତା’ର ପ୍ରୟାସ ଜାରୀ ରଖିବା ଉଦାହରଣ ଯୋଗ୍ୟ । ମୁଖ୍ୟ ବକ୍ତା ଭାବେ ସମାଜସେବିକା ଉର୍ମିଳା ନାୟକ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷାର ବ୍ୟବସ୍ଥା, ଅବକ୍ଷୟମୁଖି ସମାଜ, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରମିକ ନେତା ଅରୁଣ ଦାସ, ଯୁବ ସମାଜସେବୀ ଅଭିଷେକ ମଲ୍ଲ, ଅର୍ନ୍ତଯାମୀ ମଲ୍ଲିକ, ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର, ବିଭୂପ୍ରସାଦ ଲେଙ୍କା ପ୍ରମୁଖ ଯୋଗ ଦେଇ ଗୁରୁମାନଙ୍କ ଭୂମିକା ସବୁବେଳେ ଛାତ୍ରଛାତ୍ରୀ ଓ ଶିଷ୍ୟମାନଙ୍କ ପାଇଁ ସ୍ମରଣୀୟ ଅଟେ । ତେଣୁ କୈାଣସି ପରିସ୍ଥିତିରେ ଗୁରୁମାନଙ୍କୁ ଭୂଲି ନ ଯିବା ଉଚିତ । ଏ କ୍ଷେତ୍ରରେ ‘ଏସ.ପି ନନ୍ଦ ପାଠାଗାର’ ଗୁରୁମାନଙ୍କୁ ସମ୍ମାନ ଦେଇ ଦୀର୍ଘ ୨୭ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ଭାବେ କରିଆସୁଥିବାରୁ ‘ଉଦୟବଟ’ ପରିବାର ଧନ୍ୟବାଦର ପାତ୍ର । ଏଠାରେ ଗୁରୁ ଦିବସ ଦିବସ ପାଳନ କରାଯିବା ସହ ଶିକ୍ଷାବିତ୍ ବିଦ୍ୟାସାଗରନାଥ ତିୱାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଅର୍ନ୍ତଯାମୀ ମଲ୍ଲିକ, ସମୀର ପତି, ହରଦୟାଲ ସିଂହ, ଅନୂପ ଦାସ, ସାଜ୍ଜନ ସନ୍ନା, ସନାତନ ପାତ୍ର, ଆଡଭୋକେଟ ଦୀପକ ସେନଗୁପ୍ତା, ଯୁବ ନେତା ପ୍ରଦୀପ ସାମଲ, ରାମଚନ୍ଦ୍ର ବାରିକ, ଶାନ୍ତିଲତା ରାଉତ, ଭାରତୀ ବେହେରା, ସୁମନ୍ତ ରାଉତ, ବିନୋଦ ବିହାରୀ ରାୟ, କଳିଙ୍ଗ କେଶରୀ ରାଉତ, ଦୀପେଶ ଜେନା, ଆୟୁଷମାନ କରଣ, ଶ୍ୟାମସୁନ୍ଦର ରାଉତ, ନିକିତା ବାରିକ, ଆରତୀ ରାୟ, ଆରତୀ ବାରିକ ପ୍ରମୁଖଙ୍କ ସହ ସ୍ଥାନୀୟ ଅଂଚଳର କିଛି ଛାତ୍ରଛାତ୍ରୀ ଯୋଗ ଦେଇ ଗୁରୁ ଦିବସ ପାଳନ କରିଥିଲେ । ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଚକ୍ରଧର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।





