
ଯାଜପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ଓ ପରିଚୟପତ୍ର ପ୍ରଦାନ


ଯାଜପୁରରୋଡ଼, ୨୯/୦୮(ଉ.ନ୍ୟୁଜ୍ ବ୍ୟରୋ): ଯାଜପୁର ଜିଲ୍ଲାର ବ୍ୟାସନଗର (ଯାଜପୁରରୋଡ)ର ସନ୍ତରା ସ୍ଥିତ ସଂସ୍କୃତି ଭବନ ଠାରେ ଆଜି ଶନିବାର ପୂର୍ବାହ୍ନରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ସହ ପ୍ରାୟ ୪୦୦ ଜଣ ନିର୍ମାଣ ଶ୍ରମିକ ଓ ଅଣ-ସଂଗଠିତ ଶ୍ରମିକମାନଙ୍କୁ ସେମାନଙ୍କ ପରିଚୟପତ୍ର ବଂଟନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ଡ଼ଃ. ରବିନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ କୋରେଇ ବିଧାୟକ ଆକାଶଦାସ ନାୟକ, ସମ୍ମାନିତ ଅତିଥି ଭାବେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ଦୀପ୍ତିରଂଜନ ସାହୁ ପ୍ରମୁଖ ଯୋଗ ଦେଇ ହିତାଧିକାରୀମାନଙ୍କୁ ‘ଡେମୋ ଚେକ୍’ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଶ୍ରମିକମାନଙ୍କୁ ଅନ୍ଲାଇନ ପଦ୍ଧତିର ଉପଯୋଗିତା ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀଦାସନାୟକ ଶ୍ରମିକମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ନନ୍ଦ ଶ୍ରମିକମାନଙ୍କ ବିନା ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ ବୋଲି କହିଥିଲେ । ଶ୍ରୀ ମିଶ୍ର ଓ ଶ୍ରୀ ଆଚାର୍ଯ୍ୟ ଶ୍ରମିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଉପରେ ସୂଚନା ଦେଇଥିବା ବେଳେ ଶ୍ରମିକ କାର୍ଡର ନିୟମିତ ନବୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ସାହୁ ବିବରଣୀ ପ୍ରଦାନ କରିଥିଲେ । ସହକାରୀ ଶ୍ରମ ଅଧିକାରିଣୀ ସତରୂପା ସାହୁ ମଂଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବରିଷ୍ଠ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା, ସୁଶ୍ରୀ ସଂଗୀତା ସ୍ୱାଇଁ, ସୈାମ୍ୟସୁନ୍ଦର ରାଉତରାୟ, ସୌମ୍ୟରଂଜନ ବେହେରା, ସ୍ମୃତିରଂଜନ ପଣ୍ଡା, ଅଭିଜୀତ୍ ଜୟପ୍ରକାଶ ପ୍ରଧାନ, ଶତାଦ୍ଦୀକା ନାୟକ, କର୍ମଚାରୀ ନାରାୟଣ ନନ୍ଦ, ଶଶିକାନ୍ତ ପ୍ରଧାନ, ପ୍ରକାଶ ଜେନା, ପ୍ରସନ୍ନ ନାୟକ ପ୍ରମୁଖଙ୍କ ଭୂମିକା ଉଲ୍ଲେଖନୀୟ । ଏହି ଅବସରରେ ଅତିଥିମାନେ ୩୫୨ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସେମାନଙ୍କ ପୁଅ/ଝିଅଙ୍କ ପାଠପଢ଼ା ବାବଦ ୪୦ଲକ୍ଷ ୦୧ ହଜାର ୮୦୦ଟଙ୍କା ଶିକ୍ଷା ସହାୟତା ପ୍ରଦାନ କରିଥିବା ବେଳେ ୧୧ ନିର୍ମାଣ ଶ୍ରମିକଙ୍କୁ ୦୧ ଲକ୍ଷ ୧୦ ହଜାର ଟଙ୍କା ପ୍ରସବକାଳୀନ ସହାୟତା ରାଶି ପ୍ରଦାନ କରିଥିଲେ । ସେହିପରି ୯୧ଜଣ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ଝିଅଙ୍କ ବିବାହକାଳୀନ ସହାୟତା ପାଇଁ ୪୪ ଲକ୍ଷ ୭୫ ହଜାର ଟଙ୍କା ଛାଡିଛନ୍ତି । ୪୪ ହତାଧିକାରୀଙ୍କ ମୁତ୍ୟୁ ପାଇଁ ୦୧ କୋଟି ୩୦ ଲକ୍ଷ ଟଙ୍କା ଦେଇଥିବା ବେଳେ ୪୫ ଜଣଙ୍କ ଶବ ସତ୍କାର ପାଇଁ ୦୨ଲକ୍ଷ ୨୫ ହଜାର ଟଙ୍କା ବଂଟନ କରିଛନ୍ତି । ଏପରି ଭାବେ ମୋଟ ୫୪୩ ଜଣ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ମୋଟ ୦୨ କୋଟି ୧୮ ଲକ୍ଷ ୧୧ ହଜାର ୮୦୦ଟଙ୍କା ଛଡାଯାଇଛି, ଯାହାକୁ ସେମାନେ ଆସନ୍ତା ୩୧/୦୮/୨୦୨୬ କିମ୍ବା ୦୧/୦୯/୨୦୨୬ ସୁଦ୍ଧା ପାଇଯିବାର ଆଶା ରହିଛି ।
ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ୬୦୦ରୁ ଉର୍ଦ୍ଧ ଶ୍ରମିକ/ଶ୍ରମିକା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ବହୁ ଶ୍ରମିକ ନେତା ଯଥା- ପ୍ରଫୁଲ୍ଲ ନାୟକ, ପରମାନନ୍ଦ ସେଠୀ, ଦୁଷ୍ମନ୍ତ କୁମାର ରାଉତ, ରବୀନ୍ଦ୍ର ମଣ୍ଡଳ, ଲୋକନାଥ ପଲେଇ, ପ୍ରମୋଦ ସାମଲ, ପାକିଜା ବେଗମ୍, ସାବିତ୍ରୀ ମହାନ୍ତ, ଅରୁଣ ଦାସ, ରମେଶ ଜେନା, ଶରତ ରାଉତ, ମନୋରଂଜନ ସାହୁ, ମହେନ୍ଦ୍ର ସାହୁ, ଅନୂପ କୁମାର ଦାସ, ପ୍ରଦୀପ ନାୟକ, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସହାକାରୀ ଶ୍ରମ ଅଧିକାରିଣୀ ନିଲୀମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।





