ଅନଲାଇନରେ ପାଠପଢିବେ ଇଗନୁ ଛାତ୍ର ଛାତ୍ରୀ, ପଞ୍ଜିକରଣ ଶେଷ

ଭୁବନେଶ୍ୱର ; ୦୨/୧୨: (ଜ୍ୟୋତି ରଞ୍ଜନଙ୍କ ଠାରୁ) ଭୁବନେଶ୍ୱର ଇଗନୁ ଆଞ୍ଚଳିକ କେନ୍ଦ୍ର ଅଧୀନରେ ଥିବା ୨୧ଟି ଜିଲ୍ଲାର ୮୨ଟି ଶିକ୍ଷା କେନ୍ଦ୍ରରେ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଓଡ଼ିଶାର ୭ଟି କାରାଗାରରେ ଥିବା ହଜାରରୁ ଅଧିକ କଏଦୀ ମଧ୍ୟ ପାଠ ପଢିବାକୁ ପଞ୍ଜିକରଣ କରିଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ( ଇଗନୁ ) ପକ୍ଷରୁ ଚାଲିଥିବା ନାମ ଲେଖା ପ୍ରକ୍ରିୟା ନଭେମ୍ବର ୩୦ରେ ଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସାର୍ଟିଫିକେଟ, ଡିପ୍ଲୋମା, ପିଜି ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ଶେଷ ହୋଇଥିବା ବେଳେ ପାଖାପାଖି ୧୩ହଜାର ଛାତ୍ରଛାତ୍ରୀ ନୂତନ ଭାବରେ ପଞ୍ଜିକୃତ ହୋଇଛନ୍ତି। ଏହି ମାସ ତୃତୀୟ ସପ୍ତାହରେ ପାଠପଢା ଆରମ୍ଭ ହେବାର ସୂଚନା ମିଳିଛି।କରୋନା ମହାମାରୀ ଯୋଗୁଁ ଡ଼ିସେମ୍ବରରେ ହେବାକୁ ଥିବା ଟର୍ମ ଏଣ୍ଡ ପରୀକ୍ଷାକୁ ଘୁଞ୍ଚାଇ ଫେବ୍ରୁଆରୀରେ କରାଇବାକୁ ନିର୍ଦ୍ଦେଶ ରହିଛି।ଡ଼ିସେମ୍ବର ୩୦ସୁଧା ପରୀକ୍ଷା ପାଇଁ ପଞ୍ଜିକରଣ କରିପାରିବେ ଛାତ୍ର ଛାତ୍ରୀ। ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ନିର୍ଦେଶକ ଡ଼ ସୁରେଶ କୁମାର ତ୍ରିପାଠୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।





