
ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ

ଢେଙ୍କାନାଳ ;୦୬/୦୧ ( ସୌଭାଗ୍ୟ ମୁଦୁଲିଙ୍କ ଠାରୁ): ଯାତ୍ରା ଜଗତରେ ଚହଳ ପକାଇଥିବା ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଯାଇଛି । ସେ କିଛିଦିନ ଧରି ଲିଭର ଜଣ୍ଡିସରେ ପୀଡିତ ଥିଲେ । ତାଙ୍କ ଦେହ ହଠାତ ବିଗିଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳର ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତୁଳସୀ ଗଣନାଟ୍ୟରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଜ୍ଞାନ ତାଙ୍କର ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ।ଖରାପ ଝିଅର ଗପ, ଶ୍ୱଶୁର ଘରକୁ ଶହେ ସଲାମ, କେତେ ଦୁଃଖ ଦେବୁ ଦେ ରେ କାଳିଆ ଭଳି ଅନେକ ସୁପରହିଟ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ । ତୁଳସୀ ଗଣନାଟ୍ୟ, ସ୍ଵର୍ଣ୍ଣ ମହଲ, ଧଉଳି ଗଣନାଟ୍ୟ ଭଳି ଆଗଧାଡିର ଯାତ୍ରା ଅନୁଷ୍ଠାନରେ ସେ ଅଭିନୟ କରି ଯାତ୍ରାପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ମାସକ ମଧ୍ୟରେ ଚାଲିଗଲେଣି ତିନି ଜଣ ବରିଷ୍ଠ କଳାକାର ବଡ କଥା ଯେ ଗତ ମାସକ ମଧ୍ୟରେ ଯାତ୍ରା ଜଗତର ୩ ବରିଷ୍ଠ କଳାକାର ଅକାଳରେ ଆରପାରିକୁ ଚାଲିଯାଇଛନ୍ତି | ନଭେମ୍ବର ପହିଲାରେ ଯାତ୍ରା ଜଗତର ବର୍ଷିଆନ କଳାକାର ଦେବୀ ରଥ ଚାଲିଯାଇଥିବାବେଳେ ଡିସେମ୍ବର ପହିଲାରେ ଗୁରୁ ପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ(ନଳୀ) ଚାଲିଯାଇଥିବାବେଳେ ଡିସେମ୍ବର ଶେଷ ଆଡକୁ ହସାଇ ହସାଇ ବେଦମ କରୁଥିବା ବୁଧିଆ ନନା ବି ଚାଲିଯାଇଥିଲେ |




