
ଓଡ଼ିଶା ନାଟ୍ୟସଂଘ ଦିବସ ଅବସରରେ ବ୍ୟାସନଗରରେ ଆଲୋଚନାଚକ୍ର; ଯାଜପୁର ଜିଲ୍ଲାର ବରପୁତ୍ରମାନଙ୍କୁ ଅଣଦେଖାର ପ୍ରତିବାଦ କରିବ ସଂଘ

ବ୍ୟାସନଗର,୨୯/୦୯(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ସହରର ଷ୍ଟାଡିୟମ ରୋଡ଼ ସ୍ଥିତ ‘କ୍ରିଷ୍ଣା ଇଂଟରନ୍ୟାସନାଲ ସ୍କୁଲ’ ପରିସରରେ ଗତ ତା: ୨୭/୦୯ରେ ୩୮ତମ ‘ଓଡ଼ିଶା ନାଟ୍ୟସଂଘ ଦିବସ’ ଉତ୍ସବ ପାଳନ ହୋଇଯାଇଛି । ଉତ୍ସବଟି ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ତଥା ରଙ୍ଗଭୂମିର ସଭାପତି ବରିଷ୍ଠ ଶିକ୍ଷାବିତ୍ ଡ. କୁଶଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବଟି ବ୍ୟାସନଗରର ନାଟ୍ୟସଂସ୍ଥା ରଙ୍ଗଭୂମି ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବେଳେ ଏଠାରେ ‘ସାମ୍ପ୍ରତିକ ସମାଜରେ ନାଟକର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ରଂଗଭୂମିର ସମ୍ପାଦକ ପ୍ରଦୀପ କୁମାର ସାମଲ ବିବରଣୀ ପାଠ କରିଥିବା ବେଳେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଡ. ଦୁଷ୍ମନ୍ତ କୁମାର ନାୟକ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୌରଭମୟ ଦାସ, ନାଟ୍ୟକାର ତଥା ଇଂରାଜୀ ବିଭାଗ ପ୍ରାଧ୍ୟାପକ ସୁକାନ୍ତ ରାଉତ, ବରିଷ୍ଠ ସାମ୍ବାଦିଳ ତଥା ‘ଦୁର୍ଲ୍ଲଭ କଳା ପରିଷଦ’ର ମୁଖ୍ୟ କାର୍ଯ୍ୟନୀର୍ବାହୀ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ସାହିତ୍ୟିକ ମଧୁସୂଦନ ମହାପାତ୍ର, ବେଲାଳସେନ ପତି, ନିତ୍ୟାନନ୍ଦ ଦାଶ, ଆଇନଜୀବୀ ଶରତ କୁମାର ଖଣ୍ଡେଇ, ନାଟ୍ୟକାର ଗୌରାଙ୍ଗ ପ୍ରଧାନ, ଶିକ୍ଷାବିତ୍ ଅଶୋକ ଖିଲାର, ଅରୁଣ ପରିଡ଼ା, ଅଭିମନ୍ୟୁ ବିଶ୍ୱାଳ ପ୍ରମୁଖ ନାଟକର ଅତୀତ, ବର୍ତମାନ ଓ ଭବିଷ୍ୟତ ସ୍ଥିତି ଉପରେ ବିଷଦଭାବେ ଆଲୋକପାତ କରିଥିଲେ ଓ ବ୍ୟାସନଗରରେ ଏକ ନାଟକ ମହୋତ୍ସବ କରିବା ପାଇଁ ସଂଗୀତ ନାଟକ ଏକାଡେମୀକୁ ପ୍ରସ୍ତାବ ଦିଆଯିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଥିଲା । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶାର ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତି ବିଭିନ୍ନ ଜିଲ୍ଲାର ମୁଖ୍ୟ ସ୍ଥାନମାନଙ୍କରେ ସ୍ଥାପନା କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ବରପୂତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଏଥିରେ ସ୍ଥାନ ନ ମିଳିବାକୁ ନେଇ ଏଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ଉପସ୍ଥିତ ଥିବା ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ, ଶିକ୍ଷାବିତ୍ ଓ ଅବସରପ୍ରାପ୍ତ କର୍ମଚାରୀ ସମୁହ ଯାଜପୁର ଜିଲ୍ଲାର ଅବହେଳା ପାଇଁ କ୍ଷୋଭ ପ୍ରକାଶ କରିଥିଲେ । ଯାଜପୁର ଜିଲ୍ଲାରେ ବରପୁତ୍ରମାନଙ୍କ ସଂଖ୍ୟା ଅନେକ ଥିବା ବେଳେ ସରକାରଙ୍କ ଏତାଦୃଶ ପକ୍ଷପାତିତା ସମସ୍ତଙ୍କୁ ବ୍ୟଥିତ କରିଛି । ଯାଜପୁର ମାଟିରେ ଜନ୍ମିତ ଅନେକ ବରପୁତ୍ର ଯଥା:- ଅଭିମନ୍ୟୁ ସାମନ୍ତସିଂହାର, କୃଷ୍ଣ ପ୍ରସାଦ ବସୁ, ବ୍ରଜ ସୁନ୍ଦର ଦାଶ, କାମପାଳ ମିଶ୍ର, ବିଚିତ୍ରାନନ୍ଦ ଦାସ, ବିରୁପାକ୍ଷ କର ପ୍ରଭୃତି ତାଙ୍କ କୃତିତ୍ୱ ପାଇଁ ଓଡ଼ିଶାକୁ ଗର୍ବିତ କରିଥିବା ବେଳେ ସେମାନଙ୍କୁ ଅଣଦେଖା କରିବା ଅତ୍ୟନ୍ତ ପରିତାପର ବିଷୟ ଓ ମାଟିର ଅସମ୍ମାନ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ଓ ସରକାରଙ୍କ ପୁନର୍ବିଚାର ପାଇଁ ଆଶାବ୍ୟକ୍ତ କରିଥିଲେ । ଏ ସମ୍ବନ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଖୁବ୍ ଶୀଘ୍ର ପ୍ରଦାନ କରାଯିବାକୁ ସ୍ଥିରୀକୃତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ‘କ୍ରିଷ୍ଣା ଇଂଟରନ୍ୟାସନାଲ ସ୍କୁଲ’ର ଶିକ୍ଷୟତ୍ରୀ ପୁଷ୍ପିତା ମହାରଣା, ସ୍ୱାଗତିକା ତ୍ରିପାଠୀ, ଶୁଭସ୍ମିତା ପ୍ରଧାନ ଓ କଳ୍ପନା ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ କଳାକାର ପ୍ରଦୀପ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।





