
ବିଶିଷ୍ଟ ରାଜନେତା ଦିଲୀପ ନାୟକଙ୍କ ପରଲୋକ; ଦାନଗଦି ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି
କଳିଙ୍ଗନଗର,୨୩/୧୦ (ଉ. ନ୍ୟୁଜ୍ ବ୍ୟୁରୋ) : ଦାନଗଦି ବ୍ଲକର ଯଖପୁରା ଗ୍ରାମର ବିଶିଷ୍ଟ ରାଜନେତା ଦିଲୀପ ନାୟକଙ୍କ ଦେହାବସାନ ହୋଇଛି। ମୃତ୍ୟୁ ସମୟରେ ତାଙ୍କ ବୟସ ଥିଲା ୬୩ ବର୍ଷ। ଗତ କାଲି ରାତିରେ ହଠାତ୍ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥ ଘରୋଇ କେୟାର ହସ୍ପିଟାଲକୁ ନେଇଥିଲେ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ୨.୧୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ପତ୍ନୀ, ଏକମାତ୍ର ପୁଅ ଓ ବିଜେପି ଦାନଗଦି ମଣ୍ଡଳ ସଭାପତି କୃପାସିନ୍ଧୁ ସାମନ୍ତରାୟ ଉପସ୍ଥିତ ଥିଲେ। ଦିଲୀପ ନାୟକ ଜଣେ ସରଳ, ଭଦ୍ର ଓ ଲୋକପ୍ରିୟ ରାଜନେତା ଥିଲେ। ତାଙ୍କ ୩୦ ବର୍ଷର ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଧାରଣ କରିଥିଲେ ଓ ଜନସାଧାରଣଙ୍କ ମନରେ ଅଲଗା ସ୍ଥାନ ଗଢ଼ିନେଇଥିଲେ। ସେ ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଜାତୀୟ କଂଗ୍ରେସରେ କରିଥିଲେ ଓ ଦାନଗଦି ବ୍ଲକ କଂଗ୍ରେସ ସଭାପତିରେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ସେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇ ବ୍ଲକ ସଭାପତି ହିସାବରେ ଦଳକୁ ମଜବୁତ କରିଥିଲେ। ପରେ ଚଳିତ ନିର୍ବାଚନ ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇ ୧୦ ନମ୍ବର ଜୋନର ଦାୟିତ୍ୱ ନେଇ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଥିଲେ। ଦିଲୀପ ନାୟକ ମାତ୍ର ରାଜନେତା ନୁହେଁ, ସେ ଜଣେ ମଣିଷତାପର, ସହଯୋଗୀ ଓ ସେବାମୂଖୀ ବ୍ୟକ୍ତି ଥିଲେ। ସେ ଗ୍ରାମ ଓ ଅଞ୍ଚଳର ସମସ୍ତଙ୍କ ସହିତ ସମ୍ପର୍କ ରଖୁଥିଲେ ଓ ଲୋକଙ୍କ ସମସ୍ୟା ନିବାରଣ ପାଇଁ ସଦା ସଜାଗ ରହୁଥିଲେ। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସେ ଜଣେ ପ୍ରିୟ ଭଜନ ଥିଲେ।
ତାଙ୍କ ଶେଷ ଦର୍ଶନ ପାଇଁ ଅନେକ ଲୋକ ଭିଡ଼ ହୋଇଥିଲେ। ସେଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ରାଜ୍ୟ ସମବାୟ, ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପୁତ୍ର ବିଜେପି ଯୁବନେତା ସବ୍ୟସାଚୀ ବଳ ସାମନ୍ତ, ମନ୍ତ୍ରୀଙ୍କ ପ୍ରତିନିଧି ଲୁଲୁ ରାୟ, ଅମେଲେନ୍ଧୁ ବେହୁରାୟ, ଏମପି ପ୍ରତିନିଧି ରବିନାରାୟଣ ଜେନା,ବିଜେପି ନେତା ସୁଧାଂଶୁ ଶେଖର ଭଞ୍ଜ, ଲୋକନାଥ ଧୀର, ସଞ୍ଜୟ ମହାନ୍ତି, କୃପାସିନ୍ଧୁ ସାମନ୍ତରାୟ, ହଳଧର ନାୟକ, ପ୍ରତାପ ଧୀର, କୁଳମଣି ଧଳ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ଯୁବନେତା ସବ୍ୟସାଚୀ ବଳ ସାମନ୍ତ କହିଛନ୍ତି —ଗ୍ରାମ ଜଣେ ବିଶିଷ୍ଟ ରାଜନେତା ନୁହେଁ, ଜଣେ ମେଳାପୀ ଓ ପରୋପକାରୀ ମଣିଷକୁ ହରାଇଛି।”
ଦିଲୀପ ନାୟକଙ୍କ ଦେହାବସାନ ସହିତ ଦାନଗଦି ଅଞ୍ଚଳ ଜଣେ ଅଭିଜ୍ଞ, ସାଧାରଣ ଜନତାଙ୍କ ପ୍ରିୟ ନେତା ଓ ସେବାପରାୟଣ ମଣିଷକୁ ହରାଇଛି। ସମଗ୍ର ଅଞ୍ଚଳରେ ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକ ବ୍ୟକ୍ତ କରିବା ସହିତ ସେ ଜଣେ ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇଲେ ବୋଲି କହିଛନ୍ତି । ତାଙ୍କର ସଂର୍ପକୀୟ ଭାଇ ରାଜେଶ ଖୁଂଟିଆ ଓ ସନ୍ତୋଷ କୁମାର ଖୁଂଟିଆ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।





