
ନଛିପୁର ସ୍ଥିତ ‘ଶୁଦ୍ଧାନନ୍ଦ ଇଂଞ୍ଜିନିୟରିଂ ଓ ରିସର୍ଚ୍ଚ ସେଂଟର’ରେ ସମାବର୍ତ୍ତନ ଉତ୍ସବ ପାଳିତ

ଫୁଲନଖରା,୦୫/୧୨(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ସ୍ଥାନୀୟ ନଛିପୁର ସ୍ଥିତ ଅଗ୍ରଣୀ ‘ଶୁଦ୍ଧାନନ୍ଦ ବେଷୟିକ ଶିକ୍ଷା ପ୍ରତିଷ୍ଠାନ’ର ଅନ୍ୟତମ ଅନୁଷ୍ଠାନ “ଶୁଦ୍ଧାନନ୍ଦ ଇଞ୍ଜିନିୟରିଂ ଓ ରିସର୍ଚ୍ଚ ସେଂଟର”ରେ ୨୦୨୪-୨୫ ବ୍ୟାଚ୍ର (ଗ୍ରାଜୁଏସନ୍ ଡ଼େ) ସମାବତର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଏହି ସମାରୋହରେ ପ୍ରତିଷ୍ଠାନର ପ୍ରତିଷ୍ଠାତା ଇଂ. ଡ଼ଃ ସୁନିଲ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବରେ ଉପସ୍ଥିତ ଥିବା ୧୦୦ରୁ ଉର୍ଦ୍ଧ ଡ଼ିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ‘ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ’ (ବିପିୟୁଟି) ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ପ୍ରଦାନ କରାଯିବା ସଂଗେ ସଂଗେ ଭବିଷ୍ୟତରେ ନିଜ ନିଜର କର୍ମକ୍ଷେତ୍ରରେ ସଚ୍ଚୋଟତାର ସହ କର୍ମ ତତ୍ପର ହେବା ନିମନ୍ତେ ଶପଥପାଠ କରାଇଥିଲେ । ଏଥିସହ ସ୍ଥାନୀୟ ଅଂଚଳର ୦୨ ଜଣ ସମ୍ମାନନୀୟ ବରିଷ୍ଠ ନାଗରିକ ସର୍ବଶ୍ରୀ ଶିକ୍ଷାବିତ୍ ଶ୍ରୀଯୁକ୍ତ ବଟକୃଷ୍ଣ ପଣ୍ଡା ଏବଂ ସମାଜସେବୀ ଶ୍ରୀଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରେୀଙ୍କ ସମେତ ଶିକ୍ଷା ପରିଷଦର ସଭ୍ୟମାନେ ସମାବର୍ତ୍ତନ ଉତ୍ସବ ନିମିତ ପାରମ୍ପରିକ ପୋଷାକ ପରିଧାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଚିତ୍ତ ରଂଜନ ପଣ୍ଡା, ପ୍ରତିଷ୍ଠାନର ଡିନ୍ ପ୍ରଧ୍ୟାପକ ରଂଜନ କୁମାର ସାହୁ, ‘ଶୁଦ୍ଧାନନ୍ଦ ସ୍କୁଲ ଅଫ୍ ମ୍ୟାନେଜ୍ମେଂଟ ଓ କମ୍ପୁଟର ସାଇନ୍ସ’ର ଅଧ୍ୟକ୍ଷା କମ୍ପୁଟର ସାଇନ୍ସ’ର ଅଧ୍ୟକ୍ଷା ଡ଼ଃ. ସରିତା ନାୟକ, ଏସ.ବିଆଇ ସ୍କୁଲ ଅଫ୍ ଆର୍ଟିଟେକ୍ର ଅଧ୍ୟକ୍ଷା ସୁମିତା ଶତପଥି, ‘ଜେନେରାଲ ସାଇନ୍ସ ଓ ହ୍ୟୁମାନିଟିଜ୍’ର ନିର୍ଦ୍ଦେଶକ ରଶ୍ମିରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ମୁଖ୍ୟ ଅତିଥି ତଥା ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ଃ. ପଟ୍ଟନାୟକ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମାର୍ଗଦର୍ଶନ କରିବା ସହ ସେମାନଙ୍କର ଉନ୍ନତି କାମନା କରିଥିଲେ । ସେ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ପନ୍ଥା ନିମନ୍ତେ ବହୁ ଉପଦେଶ ମଧ୍ୟ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼ଃ. ପଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାନର ଡିନ୍ ପ୍ରଧ୍ୟାପକ ଶ୍ରୀଯୁକ୍ତ ସାହୁ ସମବେତ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସସ୍ୱିତ ଭାଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ଅନୁଷ୍ଠାନର ବରିଷ୍ଠ ପ୍ରଧ୍ୟାପକ ଫକୀର ମହାରଣା, ପ୍ରଧ୍ୟାପକ ପ୍ରଫୁଲ୍ଲ କୁମାର ବେହେରା, ପ୍ରଧ୍ୟାପକ ପ୍ରତାପ କୁମାର ସେଠୀ, ପ୍ରଧ୍ୟାପିକା ମାଧୂରୀ ପ୍ରଧାନ, ପ୍ରଧ୍ୟାପକ ଶୁଭାଶିଷ ଦାସ, ପ୍ରଧ୍ୟାପିକା ପିନାକୀ ପ୍ରିୟଦର୍ଶିନୀ ନନ୍ଦ, ପ୍ରଧ୍ୟାପିକା ରୂପାଲି ବେହେରା, ପ୍ରଧ୍ୟାପିକା ଶୁଭସ୍ମିତା ପଟ୍ଟନାୟକ, ପ୍ରଧ୍ୟାପିକା ସୁଶ୍ରୀ ସଂଗୀତା ସାମଲ, ଶ୍ରୀମତୀ ଚୈାଧୂରୀ ଶୁଭଲକ୍ଷ୍ମୀ ଦାସ ପ୍ରମୁଖଙ୍କ ଭୂମିକା ଉଲ୍ଲେଖନୀୟ ଥିଲା । ପରିଶେଷରେ ସମବେତ ଭାବେ ଜାତୀୟ ସଂଗୀତ ଗାନ କରାଯାଇ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା ।




