
ନଗଡାରେ ଉଡିଲା ତ୍ରିରଙ୍ଗା; ସାଧାରଣ ଜନତା ଓ ଜନପ୍ରତିନିଧି ନିଷ୍ଠାପର ହେଲେ ସ୍ୱାଧୀନତା ସ୍ୱପ୍ନ ସାକାର ହେବ
ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଅପହଂଚ ଅବହେଳିତ ଗ୍ରାମ ନଗଡା ଦିବେ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସଙ୍ଗ ହୋଇଥିଲା । ପାହାଡର ପ୍ରାୟ ଦୁଇ ହଜାର ଫୁଟ ଉପରେ ଥିବା ଏହି ନଗଡାରେ ଲୋକେ ସ୍ୱାଧୀନତା ଦିବସ କଣ ଜାଣି ନଥିôବା ବେଳେ ଏଠାରେ ବାଦଲ ଓ ପାହାଡ ଏକାକାର ହେଉଥିବା ଏହି ଅପହଂଚ ଇଲାକାରେ ସ୍ୱାଧୀନତା ଦିବସ ଧୁମଧାମ ପାଳିତ ହୋଇଛି । ଏହି ପଛୁଆ ଲୋକ ମାନଙ୍କୁ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ଓ ସ୍ୱାଧୀନତାର ଅର୍ଥ ବୁଝାଇବାକୁ ଉଦ୍ୟମ କରାଯିବା ଘଟଣା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି । ଏଥିରେ ସାଧାରଣ ଜନତା ଓ ଜନପ୍ରତିନିଧି ନିଷ୍ଠାପର ହେଲେ ସ୍ୱାଧୀନତାର ସ୍ୱପ୍ନ ସାକାର ହେବ ବୋଲି ମତ ପ୍ରକାଶ ପାଇଛି ।
ରାଜ୍ୟର ବିଶିଷ୍ଟ କବି ଶୈଳଜା ରବି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ମିଶନ ଜ୍ୟୋତି ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ଦିବସରେ ବରିଷ୍ଠ ସମାଜସେବୀ ସତୀଶ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ସାଧାରଣ ଜନତା ନିଷ୍ଠାପର ଏବଂ ସଚ୍ଚୋଟ ହେଲେ ଆପେ ଆପେ ଭଲ ଲୋକ ଜନପ୍ରତିନିଧି ହେବାର ସୁଯୋଗ ପାଇବେ । ସଚ୍ଚୋଟ ଲୋକ ଜନପ୍ରତିନିଧି ହେଲେ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ ବାଧ୍ୟ ହେବ । ଲୋକେ ପ୍ରତିଟି କ୍ଷେତ୍ରରେ ପୋଲିସ ଏବଂ ପ୍ରଶାସନ ଠାରୁ ନ୍ୟାୟ ପାଇବେ । ଏହାଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ ଜୟ ରାଜଗୁରଙ୍କ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତ ନେଇ ଦେଖିଥିବା ସ୍ୱପ୍ନର ସଫଳ ରୂପାୟନ ହେବ । ଆଜି ସ୍ୱାଧୀନତାର ୭୯ ବର୍ଷ ପରେ ବି ଏହି କାରଣରୁ ସ୍ୱାଧୀନତାର ଲକ୍ଷ ପୂରଣ ହୋଇ ପାରିନାହିଁ ଏବଂ ଦେଶର ଆଶାନୁରୁପ ବିକାଶ ହୋଇ ପାରୁନାହିଁ । ଗାନ୍ଧିଜୀଙ୍କ ମୂଳ ଲକ୍ଷ ପଛରେ ପଡିଥିବା ମଣିଷ ନିକଟରେ ସରକାର ଓ ପ୍ରଶାସନ ପହଂଚି ପାରୁନାହିଁ । ଏଥିରେ ସାମ୍ବାଦିକ ରବି ନାରାୟଣ କର, କବି ଡ.ଚନ୍ଦ୍ରକଳା ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟରତ ପ୍ରତିଟି ବ୍ୟକ୍ତି ଦେଶର ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୁଅନ୍ତୁ । ଏହାସହ ମିଶନ ଜ୍ୟୋତି ଟ୍ରଷ୍ଟ ପରି ବାସ୍ତବରେ ପଛରେ ପଡିଥିବା ମଣିଷ ମାନଙ୍କ ପାଇଁ ଆନ୍ତରିକତାର ସହ ସମାଜସେବା ଅନୁଷ୍ଠାନ ମାନେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା ରଶ୍ମୀଲତା ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଲେଖକ ପ୍ରାଣବନ୍ଧୁ ରାଉତ ପରିଚାଳନା କରିଥିଲେ । ସଂପାଦକ ଗୋବିନ୍ଦ ବେହେରା (ଚିଂଟୁ) ସ୍ୱାଗତ ଭାଷଣ ଏବଂ କୋଷାଧ୍ୟକ୍ଷ ରାଜୀବ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଦେଶାତ୍ମବୋଧ ସଙ୍ଗୀତ, ସାଧାରଣ ଜ୍ଞାନ ପ୍ରତିଯୋଗୀତା କରାଯାଇ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପରସ୍କୃତ କରାଯାଇ ଥିଲା । ପାହାଡ ଉପରେ ବଡ ଧରଣର ଟେଂଟ ମରାଯାଇ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ । ମେଘନାଦ ଜେନା, ସୁବ୍ରତ ବାରିକ, ଗୀତାଞ୍ଜଳୀ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।




