
ଚେନ୍ନାଇରେ ମୃତ ଶ୍ରମିକାଙ୍କୁ ଯାଜପୁର ଶ୍ରମ ବିଭାଗ ତରଫରୁ ସହାୟତା, ଗ୍ରାମକୁ ଆଣିଲେ ଓ କ୍ଷତିପୂରଣ ବି ଦେଲେ
ଚଣ୍ଡିଖୋଲ, ୧୬/୧୧(ଉ.ନ୍ୟୁଜ୍ ବ୍ୟୁରୋ): ତାମିଲନାଡୁର ଚେନ୍ନାଇରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡା ଗ୍ରାମ ପଂଚାୟତର ଚାରିଗୋଛିଆର ଭଣ୍ଡାପଲିର ରାମ ପୂର୍ତିଙ୍କ ଝିଅ ସୁଭଦ୍ରା ପୂର୍ତିଙ୍କ ମୃତ୍ୟୁ ହେବା ପରେ ଯାଜପୁର ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ସେଠାରେ ତାଙ୍କ ପାଖରେ ନିଜ ଲୋକ କେହି ନ ଥିଲେ ଯିଏକି ତାଙ୍କ ମରଶରୀରକୁ ଗ୍ରାମକୁ ଆଣି ସଂସ୍କାର କରାଇବେ । ଏ ଖବର ପାଇବା ପରେ ଶ୍ରମ ବିଭାଗ ପ୍ରଚେଷ୍ଟା କରି ମରଶରୀରକୁ ଚେନ୍ନାଇରୁ ଶାଳପଡା ଆଣିଥିଲେ । ରାତ୍ର ୦୧ଟା ପାଖାପାଖି ତାଙ୍କ ଶବ ଆସିଥିଲା । ଜିଲ୍ଲା ଶ୍ରମ ଅଧିକାରୀ ଦିପ୍ତୀରଂଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଚଣା ବ୍ଲକ ସହକାରୀ ଶ୍ରମ ଅଧିକାରୀ ଅଭିଜୀତ୍ ଜୟପ୍ରକାଶ ପ୍ରଧାନ ଗ୍ରାମକୁ ଯାଇ ଗ୍ରାମର ବ୍ୟକ୍ତିବିଶେଷ ଓ ସରପଂଚଙ୍କ ଉପସ୍ଥିତିରେ ଆଲୋଚନା କରିବା ସହ କ୍ଷତିପୂରଣ ରାଶି ୦୧ ଲକ୍ଷ ୦୪ ହଜାର ଟଙ୍କା ପ୍ରଦାନ କରିଥିଲେ । ସୁଦୂର ଚେନ୍ନାଇରୁ ଜଣେ ଆଦିବାସୀ ଶ୍ରମିକାଙ୍କ ମରଶରୀରକୁ ଗ୍ରାମକୁ ଆଣି କ୍ଷତିପୂରଣ ରାଶି ଅବିଳମ୍ବେ ପ୍ରଦାନ କରିଥିବାରୁ ଜିଲ୍ଲା ଶ୍ରମ ବିଭାଗ ଓ ଏଏଲଓ ଶ୍ରୀ ପ୍ରଧାନଙ୍କ ଭୂମିକାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରଂଶସା କରାଯାଇଛି ।




