
ପାଣିକୋଇଲି ପୂର୍ତ ବିଭାଗରେ ଦୁର୍ନୀତିର ଚେର ଲମ୍ବୁଛି; ମିଥ୍ୟା ବିଲ ପ୍ରଦାନ ପାଇଁ ଚାପ
ପାଣିକୋଇଲି, ୨୫/୦୯ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ) ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ ଗତ କିଛି ମାସ ମଧ୍ୟରେ ନାହିଁ ନ ଥିବା ଦୁର୍ନୀତି ସଂଗଠିତ ହୋଇଥିବା ବେଳେ ଏସବୁ ପ୍ରଶମିତ ହେବା ସ୍ଥଳେ ବରଂ ଲଗାମ ବିହୀନ ଭାବେ ବଢ଼ି ବଢ଼ି ଚାଲିଛି । ଓଲଟା ଉପରିସ୍ଥ ଯନ୍ତ୍ରୀ ଚାପ ସୃଷ୍ଟି କରି ମିଥ୍ୟା ବିଲ ପୈଠ ପାଇଁ ଚେଷ୍ଟିତ ଥିବା ବେଳେ ବିଭାଗୀୟ ହିସାବରକ୍ଷକ କିନ୍ତୁ କାମ ହୋଇଥିବା ବିଲ ପୈଠ ପାଇଁ ରୋକଠୋକ କହିଦେଇଥିବାରୁ ଏବେ ପରିସ୍ଥିତି ଭିନ୍ନ ମୋଡ ଆଡକୁ ଯାଉଛି । କିଛି ଦିନ ତଳେ ଉପରିସ୍ଥ ଯନ୍ତ୍ରୀ ପାଖାପାଖି ୨୦% ପର୍ଯ୍ୟନ୍ତ ପିସି ନେଇ କିଛି ଠିକାଦାରଙ୍କ ବିଲ କରିଦେବା ପାଇଁ କହିଥିବା ବେଳେ ଏବେ କିନ୍ତୁ ତାହା ହୋଇପାରିବ କି ନାହିଁ ସନ୍ଦେହଘେରରେ! କିଛି ଠିକାଦାର କାମଦାମ ନ କରି ଉପରିସ୍ଥ ଯନ୍ତ୍ରୀଙ୍କୁ ହାତବାରିସୀ କରି ବିଲ ନେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ହିସାବରକ୍ଷକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ କେତେକଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । କାମ ନ ହୋଇଥିବା ବିଲର ଟଙ୍କା ପ୍ରଦାନ ପାଇଁ ହିସାବରକ୍ଷକ ଅମଙ୍ଗ ଥିବା ବେଳେ ଉପରିସ୍ଥ ଯନ୍ତ୍ରୀ ମିଥ୍ୟା ବିଲ ସହ କିଛି କାମ ହୋଇଥିବା ବିଲକୁ ମିଶାଇ ଗୋଳମାଳିଆ କରି ସୁପାରିଶ ପାଇଁ ପଠାଇ ଏବେ ହଟହଟା ହେବା ଭଳି ସ୍ଥିତିରେ । କିଛି ଠିକାଦାର ମଧ୍ୟ ବିଲ ପାଇବା ଆଶାରେ ତାଙ୍କୁ ଦେଇଥିବା ୨୦% ପି.ସିକୁ ଫେରାଇ ଦେବାକୁ ଉଚିତ ମନେକରି ଟଙ୍କା ଫେରସ୍ତ ପାଇଁ ଉପରିସ୍ଥ ଯନ୍ତ୍ରୀଙ୍କୁ କହୁଥିବାର ଜଣାଯାଇଛି । ଏଠାରେ ଗାଦି ମାଡି ବସି ବେପରୁଆ ଦୁର୍ନୀତି ଚଳାଇଥିବା ଏହି ଉପରିସ୍ଥ ଯନ୍ତ୍ରୀଙ୍କ କୈାଣସି ପରିସ୍ଥିତିରେ ବଦଳି ହୋଇଗଲେ ସେମାନେ ତାଙ୍କୁ ଦେଇଥିବା ୨୦% ପି.ସି ଟଙ୍କା ବୁଡିଯିବାର ଆଶଙ୍କା କରି ଟଙ୍କା ଫେରସ୍ତ ପାଇଁ କିଛି ଠିକାଦାର ଏବେ ଅଡି ବସିଲେଣି । ପାଣିକୋଇଲି ପୂର୍ତ୍ତ ଡିଭିଜନରେ ଏତେସବୁ ଦୁର୍ନୀତି ଘଟିଚାଲିଥିଲେ ହେଁ ଏଗୁଡିକ ଉପରେ ଆଖିଦୃର୍ଶିଆ କାର୍ଯ୍ୟାନୁଷ୍ଠାନ ନ ହେବାର କାରଣ ହେଉଛି ଏହି ଉପରିସ୍ଥ ଯନ୍ତ୍ରୀ ଜଣକ ଉପର ସ୍ତରରେ ଭଲ ମାଲ ଫୋପାଡି ସେମାନଙ୍କ ପାଟି ଚୁପ କରିବାର ଫର୍ମୂଲା ବୋଲି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ଅଭିଯୋଗ କରିଛନ୍ତି । ବହୁ ଠିକାଦାରଙ୍କ ଠାରୁ ବଟି ଆଦାୟ କରି ମିଥ୍ୟା ବିଲ ପୈଠ କଲେ ଏହାଉପରେ ଆଗାମୀ ଦିନରେ ଲଢ଼େଇ ଜାରୀ ରହିବ ବୋଲି ଶ୍ରୀ ବାରିକ କହିଛନ୍ତି ।
ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ, ଯାଜପୁରରୋଡର ଜଣେ ଠିକାଦାର ଯିଏକି, ଯନ୍ତ୍ରୀ ଓ ଅଧିକାରୀଙ୍କ ଚାମଚା ସାଜି ବିଭାଗକୁ ବଦନାମ ଆଡକୁ ଟାଣି ନେଉଛନ୍ତି ସେ କୁଆଡେ ତାଙ୍କ ସ୍ତ୍ରୀଙ୍କ ନାମରେ ପାଖାପାଖି ୧୨୦ଟି ପର୍ଯ୍ୟନ୍ତ ୦୫ ଲକ୍ଷ କିମ୍ବା ତା’ଠାରୁ କମ ଟଙ୍କାର କାର୍ଯ୍ୟାଦେଶ ନେଇ କାମ ନ କରି ମିଥ୍ୟା ବିଲ କରି ପାଖାପାଖି ୦୬ କୋଟି ଟଙ୍କାରୁ ଅଧିକାଂଶ ପରିମାଣ ପେମେଂଟ ନେଇଯାଇଥିବାର ଗୁରୁତର ଅଭିଯୋଗ ହେଉଛି । ସେ ବାବୁ ଜଣଙ୍କ ରଂଗ ବଦଳାଇବାରେ ବି ଖୁବ୍ ଉସ୍ତାଦ୍ । ବିଜେଡି ସରକାର ବେଳେ ଧବଳଗିରି ନେତାଙ୍କ ପାଖରେ ଗୋଟାପୁଣି ହୋଇଥିବା ବେଳେ ଯାଜପୁରର ନେତାଙ୍କ ପାଖଲୋକ ବୋଲି ମଧ୍ୟ କହିବୁଲୁଥିଲେ । ଏବେ ପୁଣି ପଟ୍ଟ ପରିବର୍ତ୍ତନ କରି ବିଜେପି ନେତାଙ୍କ ପାଖଲୋକ ବୋଲାଇ ବିଭାଗରେ ନିଜର ଦବ୍ଦବା ଜାରୀରଖିଛନ୍ତି । ବୋଧହୁଏ ଏହି ବାବୁ ଜଣକ ବିଭାଗର ଅଧିକାଂଶ ମିଥ୍ୟା ବିଲ କରିବାର ନିର୍ଭରଯୋଗ୍ୟ ବ୍ୟକ୍ତି; ଯାହାଙ୍କ ଜରିଆରେ କିମ୍ବା ତାଙ୍କ କହିବା ମୂତାବକ ୟା’ ତା’ ନାମରେ କିମ୍ବା ତାଙ୍କ ଜ୍ଞାତିକୁଟୁମ୍ବଙ୍କ ନାମରେ ମିଥ୍ୟା ବିଲ କରି ଯନ୍ତ୍ରୀମାନେ କୋଟି କୋଟି ଟଙ୍କା ମିଥ୍ୟା ବିଲ ପୈଠ କରି ଏହି ଫମୂଲାରେ ନେତା ଓ ଯନ୍ତ୍ରୀଙ୍କୁ ସନ୍ତୁଷ୍ଟକରଣ କରିବାର ବ୍ୟବସ୍ଥା ବନାଇଛନ୍ତି । ଟଙ୍କା ପାଇ କିଛି ଟଙ୍କା ଉଠାଇ ନେତା ଯନ୍ତ୍ରୀଙ୍କୁ ବାଂଟି ନିଜେ ଲାଲେଲାଲ ହେଉଥିବାର କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ନେତାମୋନେ ବି ସେମିତି! ଜଣେ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କାର ଫାଇଦା ଦେବାକୁ ସୁପାରିଶ କରୁଥିବା ବେଳେ ଆଉ କିଛି ବେକାରଙ୍କୁ ଥଇଥାନ ପାଇଁ ନେତାଏ ବ୍ୟଗ୍ରତା ଦେଖାଉ ନାହାନ୍ତି କାହିଁକି ? ? ? ଏଭଳି ତଥାକଥିତ ମୁଷ୍ଟିମେୟ ଠିକାଦାରଙ୍କ ବାବଦରେ ବିଭିନ୍ନ ସ୍ଥାନରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ବେଳେ ବହୁ ବ୍ୟକ୍ତି ତାଙ୍କର ମୁଖା ଖୋଲିବାକୁ ଦାବୀ କରୁଛନ୍ତି । ଦେଖାଯାଉ ବିଭାଗ ଏହା ଉପରେ ଆଗକୁ କି ଦୃଷ୍ଟିଭଙ୍ଗୀ ନେଉଛି ନା ସେହି ତଥାକଥିତ ଧାରା ବଜାୟ ରଖି ରାଜକୋଷକୁ ଲୁଟି ଚାଲୁଛନ୍ତି !




