
ପ୍ରଭୂ ବିଶ୍ୱକର୍ମାଙ୍କ ପୂଜା ଯାଜପୁରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ


ବ୍ୟାସନଗର,୧୭/୦୯(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ନିର୍ମାଣର ଦେବତା ପ୍ରଭୂ ବିଶ୍ୱକର୍ମାଙ୍କ ପୂଜା ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳ, ଯାଜପୁରୋଡ ସହର ଆଦି ସମେତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଲଗାଣ ବର୍ଷା ଯୋଗୁ ନିର୍ମିତ ହୋଇଥିବା ନିମ୍ନମାନର ବହୁ ରାସ୍ତାଗୁଡିକ ଭାଙ୍ଗିରୁଜି ଯାଇଥିବାରୁ ଲୋକ ନିହାତି ଦରକାର ନ ଥିଲେ ଘରୁ ବାହାରିବାକୁ ଉଚିତ ମଣୁ ନ ଥିବା ବେଳେ ସ୍ୱଳ୍ପ ବୟସର ପିଲାମାନେ ରାସ୍ତାଘାଟ, ମେଢ଼ ନିକଟରେ ମଦ୍ୟପାନ କରି ଭୟ ସୃଷ୍ଟି କରୁଥିବାରୁ କେତେକ ବିଶେଷକରି ମହିଳା ଓ ତରୁଣ ଯୁବତୀମାନେ ପୂଜା ନ ବୁଲି ଘରେ ରହିବାକୁ ଉଚିତ ମଣୁଛନ୍ତି । ଆଗକୁ ଶାରଦୀୟ ପୂଜା ଆସୁଥିବାରୁ ପୋଲିସ ପ୍ରଶାସନ କଠୋର ନ ହେଲେ ଜାଣିଶୁଣି ଭୂଲ କରୁଥିବା ଯୁବକ ଓ ବ୍ୟକ୍ତିମାନେ ଅନାୟସରେ ଅସାମାଜିକ କାର୍ଯ୍ୟକରିବାକୁ ପଶ୍ଚାତ୍ପଦ ହେବେ ନାହିଁ । ଆଗାମୀ ପୂଜାସବୁକୁ ଶାନ୍ତି ଶୃଙ୍ଖଳାର ସହ ସଂପାଦନ କରିବାକୁ ରାଜ୍ୟ ପୋଲିସ ମହା-ନିଦ୍ଦେର୍ଶକ ଶ୍ରୀଯୁକ୍ତ ଯୋଗେଶ ବାହାଦୂର ଖୁରାନିଆ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଥାନା ଅଧିକାରୀମାନେ କିପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଦୃଢ଼ ହସ୍ତରେ ଏସବୁ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରିବେ ତାହା ଦେଖିବାକୁ ବାକି ରହିଲା ।
ସ୍ଥାନୀୟ ଓଏମସି ପରିଚାଳିତ ଫେରୋକ୍ରୋମ କାରଖାନାଟି ଏହି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଥିବାରୁ ଆଖପାଖ ଅଂଚଳରୁ ବହୁ ଲୋକେ ଏଠାକୁ ମେଢ଼ ଦେଖିବାକୁ ଆସିଥାନ୍ତି । କାରଖାନାର ମେକାନିକାଲ ୱାର୍କସପ୍ରେ ହୋଇଥିବା ବାରୁଆଳି ଦେଖିବାକୁ ବିଶେଷକରି ବେଶି ଲୋକ ଆଗଭର ଥାଆନ୍ତି । ଚଳିତ ବର୍ଷ କାରଖାନାର ୟୁନିଟ୍ ହେଡ଼ ଇଂ. ରଶ୍ମିରଂଜନ ପରିଡ଼ାଙ୍କ ଉଦ୍ୟମରେ ମେଢ଼ ଓ ବାରୁଆଳି ଚିତାକର୍ଷକ ହୋଇଥିବା ବେଳେ, ପୂଜା କାର୍ଯ୍ୟ ଯଥାରୀତି ମତେ ସଂପାଦିତ ହୋଇଛି । ହେଲେ ଧବଳଗିରିର କାଳୀ ମନ୍ଦିର ଛକ ନିକଟରୁ କାରଖାନାକୁ ଆସିଥିବା ରାସ୍ତାର ଦୁରାବସ୍ତା ପାଇଁ ଆଜି ପାଗ ଭଲ ଥିଲେ ବି ବହୁ ଲୋକ ଆସି ନ ଥିବାର ଦେଖାଯାଇଛି । ସନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ଥିବାର ଦେଖାଯାଇଥିଲା ।
ସେହିପରି ବ୍ୟାସନଗର ସ୍ୱୟଂଶାସିତ କଲେଜ ନିକଟରେ ଶିଳ୍ପୀ ଭାଗ୍ୟଧର ମହାରଣା (ଭୀମ) ତାଙ୍କ ୱାର୍କସପ୍ରେ ମହାସମାରୋହରେ ପୂଜା କାର୍ଯ୍ୟ ସଂପାଦନ କରିବା ସହ ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।





