୧୨ରେ ପୁଣି ଟାଟାଗେଟ୍ ଘେରିବ ଭୀମ ଆର୍ମି
ଯାଜପୁର,୧୦ା୩ (ଉ. ନ୍ୟୁଜ୍ ବ୍ୟୁରୋ): ଗୁଳିକାଣ୍ଡକୁ ୧୮ ବର୍ଷ ବିତି ଯାଇଥିଲେ ସୁଦ୍ଧା କଳିଙ୍ଗନଗର ସମନ୍ୱିତ ଶିଳ୍ପାଂଚଳରେ ବାସଚ୍ୟୁତଙ୍କ ସମସ୍ୟା ସମାଧାନ ହୋଇ ପାରିନାହିଁ । ବାରମ୍ବାର ପ୍ରଶାସନକୁ ଗୁହାରୀ କଲେ ମଧ୍ୟ କିଛି ସୂଫଳ ମିଳୁ ନାହିଁ । ଏ ନେଇ ଭୀମ ଆର୍ମି ପକ୍ଷରୁ ଗତ ଅକ୍ଟୋବର ୧୬ ତାରିଖରେ ଟାଟାଗେଟ୍ ବନ୍ଦ କରାଯାଇ ୧୧ଦଫା ଦାବିପତ୍ର ଟାଟା କର୍ତୃପକ୍ଷ ଓ ଜିଲା ପ୍ରଶାସନକୁ ପ୍ରଦାନ କାରାଯାଇ ଥିଲା । ସମସ୍ୟା ସମାଧାନ ତ ଦୂରର କଥା ଦୀର୍ଘ ୫ ମାସ ପରେ ମଧ୍ୟ ସରକାରଙ୍କ ପକ୍ଷରୁ କିମ୍ବା ଟାଟା ତରଫରୁ କିଛି ବି ଉତର ମିଳି ନାହିଁ । ତେଣୁ ବାଧ୍ୟ ହୋଇ ଟାଟା ବିସ୍ଥାପିତ ପରିବାର ଭୀମ ଆର୍ମି ଜରିଆରେ ଆସନ୍ତା ୧୨ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଟାଟା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବୋଲି ରାଜ୍ୟ ସଚିବ ଭୈରବ ବେହେରା ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ଆର୍ ଆର୍ କମିଶନ ଗଠନ, ସହିଦ ପରିବାରଙ୍କୁ ସୁବିଧାସୁଯୋଗ, ଆଦିବାସୀଙ୍କ ଉପରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ଜମି କ୍ଷତି ପୂରଣ ୧ କୋଟିକୁ ବୃଦ୍ଧି, ୨୦ ବର୍ଷିଆ ଲିଜ୍ ପଟ୍ଟା ବଦଳରେ ସ୍ଥାୟୀ ପଟ୍ଟା, ପୂର୍ଣ୍ଣ ଭାବେ ପୁନର୍ବାସ ଓ ଥଇଥାନ ନୀତି କାର୍ଯ୍ୟକାରୀ କରିବା, ଗାଡପୁର ଗାଁକୁ ବନ୍ଦ ଥିବା ରାସ୍ତା ଖୋଲିବା, ବେଆଇନ ଭାବେ ବାଦ ପଡିଥିବା ବିସ୍ଥାପିତ ପରିବାରକୁ ବିସ୍ଥାପନ ତାଲିକାରେ ସାମିଲ କରିବା, ସହିଦଙ୍କର କଟା ଅଙ୍ଗକୁ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରିବା, ୦୧.୦୧.୨୦୦୫ ସର୍ଭେକଟ୍ ଅଫ ତାରିଖକୁ ୦୧.୦୧.୨୦୧୫ ପର୍ଯ୍ୟନ୍ତ ବୃଦ୍ଧିକରିବା, ବର୍ଷକୁ ଦୁଇ ଥର ଆର୍ପିଡିଏସି ବୈଠକ ବସାଇବା ଆଦି ସ୍ଥାନ ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିସ୍ଥାପିତ ଚାକିରୀଆଙ୍କୁ କମ୍ ପେ ସ୍କେଲ୍ରେ ନିଯୁକ୍ତି, ଠିକ ସମୟରେ ପଦୋନ୍ନତି ନ ଦେବା, କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା, ଚତୁରତା ସହ ଚାକିରୀରୁ ବିଦା କରିବା ଆଦି ସମସ୍ୟା ରହିଛି । ଏସବୁ ସମସ୍ୟାର ତୁରନ୍ତ ସମାଧାନ ସହ ଗତ ଅକ୍ଟୋବର ୧୬ ତାରିଖରେ ଭୀମ ଆର୍ମି ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିର ଉତର ଦେବାକୁ ଦାବି ହୋଇଛି ।