
ସମାଜ ସେବିକା, ମହିଳା ସଂଗଠିକା, ନାରୀନେତ୍ରୀ ଜୟନ୍ତୀ ଜେନାଙ୍କୁ ଡକ୍ଟରେଟ୍ ଉପାଧି ମିଳିବା ପରେ ‘ନବଉତ୍କଳ ମହିଳା ସମିତି’ ତରଫରୁ ସମ୍ବର୍ଦ୍ଧନା
ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ସମାଜସେବା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଥିବା ବିଶିଷ୍ଟ ସମାଜସେବିକା, ଦକ୍ଷ ମହିଳା ସଂଗଠିକା, ନାରୀନେତ୍ରୀ, ଶ୍ରମିକ ସଂଗଠିକା, ଔପନ୍ୟାସିକା, ବିଶିଷ୍ଟ କବି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ଜୟନ୍ତୀ ଜେନାଙ୍କୁ ସମାଜସେବା ପାଇଁ ‘ଡକ୍ଟରେଟ’ ଉପାଧି ମିଳିବା ପରେ ବିଭିନ୍ନ କ୍ଷେତ୍ରରେ ଆନନ୍ଦର ଲହରୀ ଖେଳିଯାଇଛି । ନିଜର ସମାଜସେବା, ତ୍ୟାଗ ଓ ସଂଘର୍ଷମୟ ଜୀବନ ପାଇଁ ଶ୍ରୀମତୀ ଜେନା ବେଶ୍ ଚର୍ଚ୍ଚିତ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ଜେନାଙ୍କ ଠାରେ ସମାଜସେବାର ଛାପ ପରିଲକ୍ଷିତ ହୋଇଥିଲା । ବ୍ୟାସନଗର ସହରରେ ବିଭିନ୍ନ ବସ୍ତି ଅଂଚଳରେ ସେ ସର୍ବପ୍ରଥମେ ୨୨ ବର୍ଷ ତଳେ ‘ନବ ଉତ୍କଳ ମହିଳା ସମିତି’ ଗଠନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହି ସଂଗଠନ ମାଧ୍ୟମରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତାଙ୍କ କାର୍ଯ୍ୟଧାରା ପ୍ରତି ବହୁ ମହିଳା ଆକର୍ଷିତ ହୋଇ କାର୍ଯ୍ୟ କରିଚାଲୁଛନ୍ତି ।
ଆଜି ଗୁରୁବାର ପୂର୍ବାହ୍ନରେ ବ୍ୟାସନଗର ସାପଗଡ଼ିଆସ୍ଥିତ ‘ନବ ଉତ୍କଳ ମହିଳା ସମିତି’ କାର୍ଯ୍ୟାଳୟରେ ଶ୍ରୀମତୀ ଜେନାଙ୍କୁ ସମ୍ବର୍ଦ୍ଧନା ଦେବା ଉପଲକ୍ଷେ ଏକ ସମାରେହ ଅନୁଷ୍ଠିତ ହୋଇଥିଲା । ସଂଘର ସଭାନେତ୍ରୀ ଅମୂଲି ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର କାର୍ଯର୍୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ହାରାଧନ ବାନାର୍ଜୀ, ବ୍ୟାସନଗର ନଗରପାଳ ସଙ୍ଗୀତା ପିଙ୍ଗୁଆ, ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ଦୁଷ୍ମନ୍ତ କୁମାର ନାୟକ, ବିଶିଷ୍ଠ କବୟତ୍ରୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଘଡ଼ାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ଜେନାଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକନେତା ପରମାନନ୍ଦ ସେଠୀ, ସମାଜସେବୀ ରାଜେନ୍ଦ୍ର କୁମାର ବିଶ୍ୱାଳ, ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖି ଶ୍ରୀମତୀ ଜେନାଙ୍କୁ ‘ଡକ୍ଟରେଟ’ ଉପାଧି ମିଳିବା ଯଥାର୍ଥ ବୋଲି କହିବା ସହ ଗର୍ବିତ ବୋଲି କହିଥିଲେ । ଏଥିରେ ପୂର୍ବତନ କାଉନସିଲର ଶାନ୍ତିଲତା ମାଝୀ, ସମାଜସେବୀ ହେମନ୍ତ କୁମାର ଧିର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମିତିର ବହୁ କାର୍ଯ୍ୟକର୍ତା ସଭ୍ୟାଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରୀମତୀ ଜେନାଙ୍କ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ ତାଙ୍କ ସଂଘର୍ଷମୟ ଜୀବନ ଉପରେ ଅନେକ ସତକଥା ଏଠାରେ କହିଥିବା ବେଳେ ଉପାଧିର ଶ୍ରେୟ ‘ନବ ଉତ୍କଳ ମହିଳା ସମିତି’ର ସମସ୍ତ କର୍ମକର୍ତା, ସଭ୍ୟାଙ୍କୁ ପ୍ରଦାନ କରିଥିଲେ । ଶେଷରେ ପ୍ରଭାତୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।







