ବିଜେପି ଜଗତ୍ସିଂହପୁର ଜିଲ୍ଲା ଉପସଭାପତିରୁ ଅଜିତ୍ଙ୍କୁ ବହିଷ୍କାର; ବାଜପେୟୀ ଟ୍ରଷ୍ଟରୁ ୨ ସଦସ୍ୟ ବିଦା
ପାରାଦୀପ,୨୯ା୧୧(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଜଗତ୍ସିଂହପୁର ଜିଲ୍ଲା ବିଜେପିର ଉପ-ସଭାପତି ଅଜିତ୍ କୁମାର ଦାସଙ୍କୁ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଉପସଭାପତି ପଦବୀରୁ ଦାୟିତ୍ୱମୁକ୍ତ କରିଛନ୍ତି । ଶ୍ରୀ ମହାପାତ୍ର ଗତ ଶନିବାର ଦିନ ସନ୍ଧ୍ୟାରେ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ଯେ, ଅଜିତ୍ ଦଳ ବିରୋଧି କାର୍ଯ୍ୟ ଓ ବିଶୃଙ୍ଖଳା ଯୋଗୁଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ପ୍ରେସ୍ ଇସ୍ତାହାର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପରିସରରେ ଏକ ଜରୁୃରୀକାଳୀନ ବୈଠକ ଡକାଯାଇ ଟ୍ରଷ୍ଟର କୋଷାଧ୍ୟକ୍ଷ ସର୍ବେଶ୍ୱର ବଳିୟାରସିଂ ଓ ସଦସ୍ୟ ସର୍ବେଶ୍ୱର ଜେନାଙ୍କୁ ଟ୍ରଷ୍ଟ ବିରୋଧି କାର୍ଯ୍ୟ ଅଭିଯୋଗରେ ମଧ୍ୟ ବହିଷ୍କାର କରାଯାଇଥିବା ନେଇ ପ୍ରେସ୍ ଇସ୍ତାହାରରେ ଅଜିତ୍ ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ଗତ ବୁଧବାର ଦିନ ପାରାଦୀପରେ ବାଜପେୟୀଙ୍କ ଜନ୍ମଦିନରେ ସାଂସଦ ଅପରାଜିତାଙ୍କୁ ଅତିଥି ଚୟନ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଏହି ବିବାଦରେ ଅଜିତ୍ଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ପାରାଦୀପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାର ତିନି ଦିନ ପରେ ଅଜିତ୍ଙ୍କୁ ଦଳର ଜିଲ୍ଲା ଉପ-ସଭାପତି ପଦବୀରୁ ଦାୟିତ୍ୱମୁକ୍ତ କରାଗଲା । ଏହି ବହିଷ୍କାର ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ବିଜେପି ନେତାଙ୍କ ଦୁଇ ସହଯୋଗୀ ତଥା ଟ୍ରଷ୍ଟର ଦୁଇ ସଦସ୍ୟଙ୍କୁ ବହିଷ୍କାର କରି ୫ଜଣ ନୂଆ ସଦସ୍ୟ ଭାବେ ବାଛି ନିଜ ଟିମ୍ରେ ସାମିଲ କରିଛନ୍ତି ସଭାପତି । ବହିଷ୍କାର ହୋଇଥିବା ଏହି ଦୁଇ ଜଣ ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ଖାସ୍ ଲୋକ ବୋଲି ବେଶ ଜଣାଶୁଣା । ଆଇନଜୀବୀ କୈଳାସ ଚନ୍ଦ୍ର ସାହୁ, ସମାଜସେବୀ ଶୈଳେନ୍ଦ୍ରୀ ସେନାପତି, ନାରାୟଣ ବେହେରା, ହଟ କିଶୋର ସେଠୀ ଓ ଜୀବନ ମହାପାତ୍ର ୫ଜଣଙ୍କୁ ଅଜିତ୍ ଟ୍ରଷ୍ଟର ନୂଆ ସଦସ୍ୟ ଭାବେ ଗ୍ରହଣ କରିବା ପରେ ସେ ପୁରା ଆକ୍ସନ ମୁଡ୍ରେ ଥିବାର ଜଣା ପଡୁଛି । ଏହା ଫଳରେ ପାରାଦୀପ ବିଜେପି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବା ଜଳ ଜଳ ହେଇ ଦେଖାଯାଉଛି ।