ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଛି ବିଦ୍ୟୁତ୍ ବିଭାଗ
କଳିଙ୍ଗନଗର/ ଯାଜପୁର ; ୨୩/୦୮ (ବ୍ୟୁରୋ) : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଷ୍ଟିଲ ସିଟି ନାମରେ ପରିଚିତ ଥିବା ସ୍ଥଳେ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଛି ବିଦ୍ୟୁତ୍ ବିଭାଗ। ଏଥିସହିତ କାରଖାନା ସହ ଜଡ଼ିତ ଟାଉନସିପ୍ ଓ ପମ୍ପ ହାଉସରୁ ମଧ୍ୟ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି ବୋଲି ଜଣାପଡିଛି। ଦୀର୍ଘଦିନ ଧରି କାରଖାନା ପକ୍ଷରୁ ବିଦ୍ୟୁତ୍ ବିଲ ପୈଠ କରାଯାଇ ନଥିବା ବେଳେ ୬୫ କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ବକେୟା ଥିବା ଜଣାପଡ଼ିବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଥିବା ପ୍ରକାଶ ପାଇଛି। ସୂଚନାନୁଯାଇ ଗତ ୨୦୨୦ ମସିହା ଫେବୃଆରୀ ମାସରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ସ୍ଥଳେ କାରଖାନାରେ ପୁଞ୍ଜିନିବେଶ କରିଥିବା ବଡ଼ ବଡ଼ ସଂସ୍ଥା ଓହରି ଯାଇଛନ୍ତି। ତେବେ କାରଖାନା ବନ୍ଦ ରହିଥିବା ବେଳେ କାରଖାନା କତ୍ତୃପକ୍ଷ ଅନେକ ଦିନ ହେବ ବିଦ୍ୟୁତ୍ ଶୁଳ୍କ ପୈଠ କରିନାହାନ୍ତି । ଫଳରେ କାରଖାନା ଉପରେ ୬୫ କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ବକେୟା ପଡ଼ିଛି। ଏନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ କାରଖାନାକୁ ବାରମ୍ବାର ବକେୟା ବିଲ ପୈଠ କରିବାକୁ ତାଗିଦ କରାଯାଇଥିଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ କାରଖାନାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଅପରପକ୍ଷେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଦ୍ବାରା କାରଖାନା ପରିସର ସମ୍ପୂର୍ଣ୍ଣ ଅନ୍ଧାର ହୋଇପଡ଼ିଛି। ଏନେଇ କାରଖାନା କତ୍ତୃପକ୍ଷ କିମ୍ବା ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।