ନିର୍ମାଣାଧିନ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ

ଭୁବନେଶ୍ୱର, ୧୦/୧୨(ସନ୍ତୋଷ ରଥଙ୍କ ଠାରୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ପରିଦର୍ଶନ କରିଛନ୍ତି । ଟର୍ମିନାଲ ପରିସର ବୁଲି ସେ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଛନ୍ତି । ବସ୍ ଟର୍ମିନାଲରେ କ’ଣ ସବୁ ସୁବିଧା ରହିବ ତାହାର ମାନଚିତ୍ର ପରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବରମୁଣ୍ଡା ବସ୍ ଟର୍ମିନାଲର ନିର୍ମାଣ କାମ ଆସନ୍ତା ୧୮ମାସ ମଧ୍ୟରେ ଶେଷ ହେବ । ଏଥି ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଡିଜାଇନ୍ ଅତି ସୁନ୍ଦର ଓ ପଥ ପ୍ରଦର୍ଶକ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ତାହା ଭୁବନେଶ୍ବରର ଏକ ନୂଆ ଲ୍ୟାଣ୍ଡମାର୍କ ହେବ। ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଏକ ଅତ୍ୟାଧୁନିକ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ ହୋଇଛି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।





