
ଯାଜପୁରରୋଡ ବନାଂଚଳରେ ବ୍ୟାପକ ଦୁର୍ନୀତି, ଜବତ ପ୍ରୋକଲିନକୁ ଶୀଘ୍ର ଛାଡିବାକୁ ମସୁଧା
ଯାଜପୁରରୋଡ଼, ୦୩/୦୮(ଉ.ନ୍ୟୁଜ୍ ବ୍ୟରୋ): ଯାଜପୁର ଜିଲ୍ଲା କଟକ ବନଖଣ୍ଡ ଅଧିନ ଯାଜପୁରରୋଡ ବନାଂଚଳ (ରେଂଜ)ରେ ବହୁ ଦୁର୍ନୀତିର ଖୁଲାସା ହୋଇଥିବା ବେଳେ ଆହୁରି ଅନେକ ଦୁର୍ନୀତି ଏବେବି ଅନ୍ଧାରରେ ରହିଛି । ରେଂଜ ଅଧିକାରୀ ଚତୁରତାର ସହ ନିଜ କାନ୍ଧରୁ ଦୋଷ ଛଡ଼ାଇବା ଭଳି ଉଦ୍ୟମ ଜାରୀ ରଖିଥିବା ବେଳେ ବହୁ ଅନିୟମିତତା ଉପରେ ଉପରିସ୍ଥ ଅଧିକାରୀ ନଜର ଅନ୍ଦାଜ ନ କରିବା ପରିତାପର ବିଷୟ! ଫଳତଃ ଉବରିସ୍ଥ ଅଧିକାରୀ ଏହି ବାବୁ ଜଣଙ୍କ ପାଇଁ ବଦନାମ ହେବା ସାର ହେଉଛି । ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ ସମୟ ପୂର୍ବରୁ ବଦଳି ହୋଇଥିଲେ ହେଁ ସେ ଏଠାରୁ ଯିବାକୁ ନାରାଜ ଅଛନ୍ତି ଓ ଅନଗୂଳର ଆର.ସି.ସି.ଏଫ ଏଠାକୁ ଆସିଥିବା ନୂଆ ରେଂଜ ଅଧିକାରୀଙ୍କୁ ଛାଡୁ ନାହାନ୍ତି । ଏମିତି ଛକା ପଂଝା ମଧ୍ୟରେ ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ ସମୟ ଗଡିଯାଇଛି ଓ ସେ ଯାଜପୁରରୋଡର ଫେରୋକ୍ରୋମ କାରଖାନା ନିକଟସ୍ଥ ‘ମିୟାୱାକି’ ବନୀକରଣ ଯୋଜନାର ଅନିୟମିତାକୁ ନିୟମିତ କରିବା ପାଇଁ କାଗଜାଦି ପ୍ରସ୍ତୁତ ପାଇଁ ପ୍ରାଣପଣେ ଲାଗିପଡ଼ିଛନ୍ତି । ସେଥିପାଇଁ ସେ କଟକର ଡି.ଏଫ.ଓ ଅଫିସ ଓ ଅନଗୂଳର ଆର.ସି.ସି.ଏଫ ଅଫିସକୁ ଧାଁ ଧପଡ଼ ଜାରୀ ରଖିଛନ୍ତି । ଆଉ କିଛି ଦିନ ସେ ଏଠାରେ ରହିଲେ ଏହି ବନିକରଣରେ ହୋଇଥିବା ଅନିୟମିତତାକୁ ଘୋଡାଇବାରେ କେତେକାଂଶରେ ସଫଳ ହେବାର ଉଦ୍ଦେଶ୍ୟ ରଖିଛନ୍ତି । ପାଣି ନ ଦେଇ ବା କାଁ ଭାଁ ଦେଇ ୩୦ଲକ୍ଷ ଭଳି ଟଙ୍କା ଚଳୁ କରିଥିବା ବେଳେ ବାଡ଼ ବାବଦରେ ମିଥ୍ୟା ବିଲ ଯୋଗାଡ ଚାଲିଥିବାର ଜଣାଯାଇଛି । ଏଥିସହ କିଛି ଦିନ ତଳେ କୋରେଇ ଥାନା ଅର୍ନ୍ତଗତ ଖମିଗାଁ ମଂଜୁରୀରୁ ଲଘୁ ଖଣିଜ ପଦାର୍ଥ ଉତୋଳନ କରୁଥିବା ଏକ ପ୍ରୋକଲିନ ମେସିନକୁ ଜବତ କରାଯାଇଥିଲା । ବନାଂଚଳ ଅଧିକାରୀ ଓ ବନପାଳ ଘରେ ରହି ଅଳ୍ପବୟସ୍କ ସ୍କାର୍ଡ଼ର ପିଲାମାନଙ୍କୁ ସେଠାକୁ ମୋହରମ ମାଫିଆମାନଙ୍କ ପାଖକୁ ପଠାଇ ବହୁ କଷ୍ଟରେ ମାଡ ଖାଇ ସ୍ୱାର୍ଡର ପିଲାମାନେ ପ୍ରୋକଲିନ ମେସିନକୁ ଜବତ କରି ଯାଜପୁରରୋଡ ସ୍ଥିତ ବନାଚଂଳ କାର୍ଯ୍ୟାଳୟକୁ ଆଣିଥିଲେ । ଲଘୁ ଖଣିଜ ପଦାର୍ଥ ମାମଲାରେ ସଂପୃକ୍ତ ଥିବାରୁ ଏହାକୁ ଯାଜପୁର ସ୍ଥିତ ଉପ-ଖଣି ନିର୍ଦ୍ଦେଶକ (ଲଘୁ ଖଣିଜ)ଙ୍କ ଦୃଷ୍ଟିଗୋଚରକୁ ଆଣିବାର ଥିଲା । ହେଲେ ତାହା ନ କରି ମେସିନକୁ ଛାଡିବାର ଯୋଜନା କରି ବନପାଳଙ୍କ ଜରିଆରେ ଜଂଗଲ ନିୟମର-୫୬ ଧାରାରେ କେସ ରୁଜ୍ଜୁ କରି ବନାଂଚଳ ଅଧିକାରୀ ଚତୁରତାର ସହ କଟକ ସ୍ଥିତ ଡି.ଏଫ.ଓଙ୍କ ନିକଟକୁ ଯଥାଶୀଘ୍ର ରିପୋର୍ଟ (P.R ) ପଠାଇ ମେସିନକୁ ଛାଡିବା ପାଇଁ ମସୁଧା କରିଥିବାର ଅଭିଯୋଗ ହେଉଛି । ଏଥିପାଇଁ ବନପାଳଙ୍କ ଠାରୁ ଉପରିସ୍ଥ ଅଧିକାରୀ ଯାଏ ଲକ୍ଷ ଲକ୍ଷ ଟଙ୍କା କିକ୍ବ୍ୟାକ ହୋଇଥିବା ଚର୍ଚ୍ଚା ଯୋର ଧରିଛି । ଜଂଗଲ ନିୟମର-୫୬ ଧାରାରେ ଜବତ ଗାଡି ବା ମେସିନକୁ ଏତେ ଶୀଘ୍ର ମୁକ୍ତ କରିବା ପାଇଁ ରିପୋର୍ଟ ପଠାଇ ବନଖଣ୍ଡ ଅଧିକାରୀଙ୍କ ସୁପାରିଶ ପାଇବା ଘଟଣା ବୋଧହୁଏ ଓଡ଼ିଶା ଜଂଗଲ ବିଭାଗ ଇତିହାସରେ ୧ମ! ଦେଖାଯାଉ ଏ ବାବଦରେ ଆଗକୁ କ’ଣ ହେବାକୁ ଯାଉଛି ।




