
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ, ଯୋଗ ସୁସ୍ଥ ଶରୀର, ଶାନ୍ତ ମନ ଓ ସୁନ୍ଦର ଜୀବନର ଆଧାର ମାନବ ଶରୀର ପାଇଁ ଯୋଗ ମହୌଷଧି
ବ୍ୟାସନଗର, (ଉ. ନ୍ୟୁଜ୍ ବ୍ୟୁରୋ)୨୧। ୬: ଯୋଗ ସୁସ୍ଥ ଶରୀର, ଶାନ୍ତ ମନ ଓ ସୁନ୍ଦର ଜୀବନର ଆଧାର ଅଟେ । ମାନବ ଶରୀର ପାଇଁ ଯୋଗ ମହୌଷଧି ଭଳି କାର୍ୟ୍ୟ କରେ । ସୁସ୍ଥ ଶରୀର ସୁନ୍ଦର ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ ବୋଲି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ମତ ପ୍ରକାଶ ପାଇଛି । ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚ ଓ ବ୍ୟାସନଗର ପୌର ପରିଷଦ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିଅମ ପରିସରରେ ଦ୍ୱାଦଶ ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ କୋରାଇ ବିଧାୟକ ତଥା ଯାଜପୁର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗଦେଇ ଶିଶୁ ଠାରୁ ବୃଦ୍ଧ ପର୍ୟ୍ୟନ୍ତ ସମସ୍ତେ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇ ସୁସ୍ଥ ରାଷ୍ଟ୍ର ଗଠନରେ ସୁସ୍ଥ ଶରୀର ଓ ସୁସ୍ଥ ମନ ସହାୟକ ହୋଇଥାଏ ବୋଲି କହିଥିଲେ । ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ମୁଖ୍ୟ ସଂଯୋଜକ ଡ଼. ଚିନ୍ତାମଣି ପାଢୀଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମରେ ମଞ୍ଚ ସମ୍ପାଦକ ଶିଶିର କୁମାର ରାଉତ ସ୍ୱାଗତ ଭାଷଣ
ପ୍ରଦାନ କରିଥିବାବେଳେ ମଞ୍ଚ ସଭାପତି ବିଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇ ମଣିଷ ନିରୋଗ ରହିବାକୁ ହେଲେ ଯୋଗକୁ ଜୀବନଚର୍ୟ୍ୟା ସହିତ ଯୋଡିବାକୁ ପରାମର୍ଶ ଦେଇଥିଲେ। ଯୋଗଗୁରୁ ବ୍ରିଜେଶ କୁମାର ପତି ଓ ବିଭୂରଞ୍ଜନ ପାଲ ପ୍ରିୟତମା ଦାସ ପ୍ରମୁଖ ତିନିଶହ ଶିକ୍ଷାର୍ଥୀଙ୍କୁ ୩୦ ପ୍ରକାରର ଯୋଗାଭ୍ୟାସ ଶିକ୍ଷା କରାଇଥିଲେ । ଉପ ସଭାପତି ଦେବଦତ୍ତ ରାୟ,ଦୀପକ କୁମାର ପରିଡା, ସହ ସମ୍ପାଦକ ଭରତ ଚନ୍ଦ୍ର ବିଶ୍ୱାଳ , ଯୁଗ୍ମ ସମ୍ପାଦକ ପ୍ରଣବେନ୍ଦୁ ଜେନା, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ରାଉତ ଆଶୁତୋଷ ମିଶ୍ର,ଅଶୋକ ଦାସ,ପ୍ରକାଶ ଚକ୍ର, ଦୁର୍ବାଦଳ ବସୁ, ସତ୍ୟବ୍ରତ ପରିଡା, ଅମିତ ଦାସ, ଶଙ୍କର୍ଷଣ ରାଉତ, ଚିତ୍ରସେନ ଦାସ ବିଷ୍ଣୁ ଚରଣ ବିଶ୍ୱାଳ, ତଥାଗତ ବାଇ, କୁଳମଣି ରାଉତଙ୍କ ସମେତ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ମଞ୍ଚର ବରିଷ୍ଠ ସଦସ୍ୟ ପରମେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।







