ବଦଳିଲେ ଯାଜପୁରରୋଡ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନ, ଆସିଲେ ପ୍ରସନ୍ନ ସାହୁ
ବ୍ୟାସନଗର, ୧୬/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଗତ କାଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବଙ୍କ ଦସ୍ତଖତ ଥାଇ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରାଜ୍ୟ ସ୍ତରୀୟ ବନ ବିଭାଗର ରେଞ୍ଜର (ବନାଂଚଳ ଅଧିକାରୀ)ଙ୍କ ଏକ ବଡ ଧରଣର ବଦଳି ଆଦେଶ ଜାରୀ ହୋଇଛି । (ନୋଟିଫିକେସନ) ବିଜ୍ଞପ୍ତି ସଂଖ୍ୟା ସଂଖ୍ୟା-୧୩୩୪୯ ଅନୁସାରେ ଏକାଥରକେ ୧୨୪ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି । କେତେକଙ୍କୁ ଭଲ ଜାଗା ଦିଆଯାଇଥିବା ବେଳେ ଆଉ କେତେକଙ୍କୁ ତାଙ୍କ ପସନ୍ଦର ଜାଗା ମିଳି ନାହିଁ ଯାହାକୁ କି ଦଣ୍ଡାଦେଶ ବଦଳି(Punishment Posting) ଆଦେଶ ସଦୃଶ ହୋଇଛି । ଏହିକ୍ରମରେ ବଦଳି ତାଲିକାର ୬୪ କ୍ରମିକରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଜିଲ୍ଲା ବାଲୁଖଣ୍ଡ (ବନ୍ୟପ୍ରାଣୀ) ରେଞ୍ଜକୁ ବଦଳି କରାଯାଇଛି । ଶ୍ରୀ ପ୍ରଧାନଙ୍କ ନାମରେ ବହୁ ଅଭିଯୋଗ ରହିଛି । ଫେରୋକ୍ରୋମ କାରଖାନା ନିକଟରେ ମିୟାୱାକି ଯୋଜନାରେ ବୃକ୍ଷରୋପଣ ହେଉକି ଛୋଟରାୟପୁର ନିକଟରେ ମାସିକ ମୋଟା ଅଙ୍କର ବଟି ନେଇ ମୂଲ୍ୟବାନ ଶାଗୁଆନ ପର୍ଯ୍ୟନ୍ତ କାଠ ଚିରଟ ପାଇଁ ଖୋଲାମେଲା ବ୍ୟବସ୍ଥା କରିବା ହେଉକି କି ଅନଗୂଳ ଠାରେ ନିଜ ଘର ତିଆରି ପାଇଁ ସରକାରୀ ଗାଡିର ଅପବ୍ୟବହାର ହେଉ ଏପରି ବହୁ ସଂଗୀନ ଅଭିଯୋଗମାନ ରହିଛି । ଫେରୋକ୍ରୋମ କାରଖାନା ନିକଟରେ ଜଣେ ମାତ୍ର ୱାଚର ଓ ଜଣେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇ ଏଥିରେ ସ୍ୱାର୍ଡମାନଙ୍କୁ ଲଗାଇ କାମ କରି ମିଥ୍ୟା ବିଲ ଲୁଟୁଥିବାର ଜଣାଯାଇଛି । ଏଠାରେ ପତଳା ପତଳା ଗଛ ଲଗାଇ ବଡ ଯୋଜନା ଡିଣ୍ଡିମ ପିଟୁଥିବାର ଅସଲ ଉଦ୍ଦେଶ୍ୟ ଏବେ ପଦାରେ ପଡିଛି । ଅନଗୂଳ ଆର.ସି.ସି.ଏଫ ସଂଜୟ କୁମାର ସ୍ୱାଇଁଙ୍କୁ ହାତରେ ରଖି ବହୁ ଅନିୟମିତତା କରିଥିବାର ଅଭିଯୋଗ ଆସିଛି । ବନୀକରଣ ଯୋଜନାରେ ଜିନିଷପତ୍ର କିଣାରେ ବହୁ ମିଥ୍ୟାବିଲ କରାଯାଇଥିବାର ସନ୍ଧାନ ମିଳିଛି । ନର୍ସରୀ କାମରେ ବି ଦୁର୍ନୀତିର ଗନ୍ଧ ବାରୀ ହୋଇଛି । ଏଥିସହ ପୂର୍ବତନ ବନାଂଚଳ ଅଧିକାରୀଙ୍କ ସମୟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ରେଞ୍ଜ ଅଧିନ ଦାନଗଦି ବ୍ଲକର ମଂଗଳପୁର ଠାରେ କରାଯାଇଥିବା ଅର୍ବାନ ପାର୍କ ଏବଂ ଏହି ବ୍ଲକର ରାଣୀପଡ଼ା ଓ ରାଛିପୁର ଠାରେ ହୋଇଥିବା ପଂଚାୟତ ପାର୍କ (ବନ ବାଟିକା)ରୁ ଏହି ବାବୁଙ୍କ ଖାମଖିଆଲି ନୀତି ବା ଅନ୍ୟକୈାଣସି ଭିତିରି ଉଦ୍ଦେଶ୍ୟ ପାଇଁ ଏଠାର କବାଟ, ଝରକା ପର୍ଯ୍ୟନ୍ତ ବହୁ ଆସବାବପତ୍ର ଓ ସରଞ୍ଜାମ ଚୋରୀ ହୋଇଯାଇଛି । ସେତେବେଳର ରେଞ୍ଜ ଅଧିକାରୀଙ୍କ ବେଳେ ନେତା/ମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇ ହସିଉଠିଥିବା ଏହି ୦୩ ପାର୍କର ଅବସ୍ଥା ଶୋଚନୀୟ ହୋଇ ମରୁଭୂମି ପାଲଟିଛି । ଏଥିପାଇଁ ଦାୟୀ କିଏ ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠିଛି! କୁହାଯାଏ ରେଞ୍ଜ ଅଧିକାରୀ ଶ୍ରୀ ପ୍ରଧାନଙ୍କ ୧୩ ବର୍ଷ କେବଳ କଟିଛି କ) ୦୩ ବର୍ଷ ପାଖାପାଖି ଅନଗୁଳ ଜିଲ୍ଲା କେନ୍ଦୁପତ୍ର ରେଞ୍ଜରେ ଓ ଖ) ୧୦ ବର୍ଷ ପାଖାପାଖି ଟ୍ରେନିଂ ସ୍କୁଲରେ । ତେଣୁ ଯାଜପୁରରୋଡ ଭଳି ସମ୍ବେଦନଶୀଳ ରେଞ୍ଜ ସମ୍ଭାଳିବାକୁ ତାଙ୍କର ସେପରି ଅଭିଜ୍ଞତା ନ ଥିବାର କୁହାଯାଉଛି । ଏହିସବୁ କାରଣ ପାଇଁ ତାଙ୍କର ବଦଳି ହେଲା ବୋଲି କୁହାଯାଉଥିବା ବେଳେ ବଦଳି ତାଲିକାର ୦୮ କ୍ରମିକରେ ଯାଜପୁରରୋଡକୁ ଅନଗୂଳ ଜିଲ୍ଲା ବନ୍ତଳା କେନ୍ଦୁପତ୍ର ରେଞ୍ଜର ପ୍ରସନ୍ନ କୁମାର ସାହୁଙ୍କୁ ଯାଜପୁରରୋଡ ଭଳି ଦାୟିତ୍ୱବାନ ରେଞ୍ଜ ମିଳିଛି । ଶ୍ରୀ ସାହୁଙ୍କ ବଦଳି ପୁରସ୍କାର ସଦୃଶ ହୋଇଛି ବୋଲି କୁହାଯାଉଛି ।



