
ପାଣିକୋଇଲି ପୂର୍ତ ବିଭାଗରେ ବ୍ୟାପକ ହରିଲୁଟ; ବାବୁଙ୍କ କ୍ୱାର୍ଟର ସଜ୍ଜାରେ ମୋଟା ଅଙ୍କର ଖର୍ଚ୍ଚ, ଡିଏମଏଫର ଦୂରୁପଯୋଗ ଅଭିଯୋଗ

ପାଣିକୋଇଲି, ୦୯/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ ନାହିଁ ନ ଥିବା ଦୁର୍ନୀତି ସଂଗଠିତ ହୋଇଥିବାର ଜଣାଯାଇଛି । ଯନ୍ତ୍ରୀମାନଙ୍କ ମେରୀମୟ କାର୍ଯ୍ୟକଳାପ ଯୋଗୁ ଜନସାଧାରଣଙ୍କ କଷ୍ଠ ଅର୍ଥରୁ ସଂଗୃହୀତ ସରକାରୀ ପାଣ୍ଠିର ଦୂରୁପଯୋଗ ହୋଇଥିବାର ରୋଚକ ତଥ୍ୟ ସାମନାକୁ ଆସିଛି ।
ସୂଚନାଯୋଗ୍ୟ, ପାଣିକୋଇଲି ଡିଭିଜନ କାର୍ଯ୍ୟାଳୟରେ ଅଧିଷ୍ଠିତ ଅଧିକ୍ଷଣ ଯନ୍ତ୍ରୀଙ୍କ ସରକାରୀ କ୍ୱାଟରରେ ଗତ ବର୍ଷ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହୋଇ କ୍ୱାର୍ଟର ସଜ୍ଜା ହୋଇଥିବା ବେଳେ ପୁଣି ଏ ବର୍ଷ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଠିକାଦାର ବାବୁଙ୍କୁ ଖୁସି କରିବା ପାଇଁ ଏ ବର୍ଷ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ମାଟି ପକାଇ ଘାସ ଗାଲିଚା ସୃଷ୍ଟି କରାଯିବା ସହ ମାଟି ତଳେ ଅଣ୍ଡର ୱାରିଂ କରାଯାଇ ଝଲମଲ ଲାଇଟ ଲାଗିଛି । ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଛତା ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଛି । ଆଗପଟ ପ୍ରାଚେରୀକୁ ଯଥେଷ୍ଟ ଉଚ୍ଚା କରାଯାଇ ଜନସାଧାରଣଙ୍କ ଆଢ଼ୁଆଳରେ ରହିବା ଭଳି ବ୍ୟବସ୍ଥା କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ଠାରୁ ଏହାର ଏଷ୍ଟିମେଟ ମଞ୍ଜୁର କରାଯାଇଛଇ କି ନାହିଁ ତାହା ଜଣା ନାହିଁ । ହେଲେ ବାବୁଙ୍କୁ ଆପାୟିତ କଲା ଭଳି ନିର୍ମାଣ କରାଯାଇଥିବାର ଅଭିଯୋଗ ଆସିଛି । ତାଙ୍କ କ୍ୱାର୍ଟରରେ ୦୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ରାତ୍ର ୧୧ଟା/ ୧୨ ଟା ପର୍ଯ୍ୟନ୍ତ ଡରରେ କାମ କରୁଥିବାର ଦେଖାଯାଉଛି । ଦିନରେ ସେମାନେ ଅଫିସ କାମ ଓ ରାତ୍ରରେ ବାବୁଙ୍କ କ୍ୱାର୍ଟରରେ କାମ କରି କରି ନୟାନ୍ତ ହେଉଥିବାର ଦେଖାଯାଉଛି । ତାଙ୍କ ବାସଭବନକୁ ଆସୁଥିବା ଠିକାଦାର, ଯନ୍ତ୍ରୀ, ଅଧିକାରୀମାନଙ୍କ ସମେତ ତାଙ୍କ ଅତିଥି ଓ ବନ୍ଦୁବାନ୍ଧବଙ୍କ ସେବା ଓ ବୋଲହାକ ନ କଲେ ସେମାନଙ୍କୁ ବଦଳି ଭୟ ଥାଏ ବୋଲି କହିଛନ୍ତି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ । ଏବର୍ଷ କ୍ୱାର୍ଟର ସଜ୍ଜାରେ ପ୍ରାୟ ୧୫ଲକ୍ଷ ଟଙ୍କା ବରବାଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀ ବାରିକ କହିଛନ୍ତି ଏହା ଜିଲ୍ଲାର ୨ୟ କୁସୁମା ଭଳି ଅଧିକ ବ୍ୟୟବରାଦ ହୋଇ ନିର୍ମିତ ହୋଇଛି ଯାହା ସରକାରଙ୍କ ସ୍ୱଚ୍ଛ ଶାସନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି! ‘କମ୍ପାନି କା ମାଲ ଦରିଆ ମେ ଡାଲ’ ସଦୃଶ ଏହା ହୋଇଛି । ରାଜ୍ୟରେ ଭୋକ ଉପାସରେ ଲୋକେ ସଢ଼ୁଥିବା ବେଳେ ଏଭଳି ମେରୀମୟ ନିର୍ମାଣର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ତାଙ୍କ ଆଗ ପଟ ଫାଟକରେ ଅଧିକାଂଶ ବେଳେ ତାଲା ଝୁଲୁଥିବା ବେଳେ ପଛ ପଟ ଫାଟକ ତାଙ୍କ ପ୍ରିୟଜନଙ୍କ ପାଇଁ ଖୋଲା ଥାଏ । ସାଧାରଣ ଲୋକେ ଏହା ଜାଣିପାରୁ ନ ଥିବା ବେଳେ ଅନ୍ଧାରୀ ବିଜେ ପାଇଁ ପଛ ଗେଟ୍ କାମରେ ଲାଗିଥାଏ ବୋଲି ଶ୍ରୀ ବାରିକ କହିଛନ୍ତି । ଏତେ ପୁରୁଣା ଡିଭିଜନର ବହୁ ବାବୁମାନେ ଜନସାଧାରଙ୍କ ଆବେଗ ପ୍ରତି ସମ୍ବେଦନଶୀଳ ଥିବା ବେଳେ ଏ ବାବୁ ଜଣଙ୍କ ପୂରା ଉଲଟା । ସାଧାରଶ ଲୋକ ଏବାବୁଙ୍କ ଭେଟ ପାଇବା ମୁସ୍କିଲ । ଯିଏ ଠାର ବୁଝିଥିବ ସେ ହିଁ ତାଙ୍କୁ ଭେଟି ପାରିବ ବୋଲି ସେ କହିଛନ୍ତି । ଫିଲ୍ଡ ଭିଜିଟ୍ ନାରେ ଘରେ ଥାଇ ବି ଅଧିକାଂଶ ବେଳେ ବାବୁ ଜଣଙ୍କ ଅଫିସ ଆସି ନ ଥାନ୍ତି ଓ ତାଙ୍କ ଅଧସ୍ଥନ କର୍ମଚାରୀ ଏବଂ ପିଅନ ୟାଡୁସାଡୁ କହି ଲୋକଙ୍କୁ ଫେରାଇବା ଏକ ନିତିଦିନିଆ ଘଟଣା ପାଲଟିଛି । ୦୨ ଜଣ ବରିଷ୍ଠ ଏଷ୍ଟିମେଟରଙ୍କୁ ବସାଯାଇ ତାଙ୍କ ସ୍ଥାନରେ ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ଟେଣ୍ଡର ପକ୍ରିୟାର ଦାୟିତ୍ୱ ଦେଇ ୦୩ ପତ୍ରିୟା ଗୁପ୍ତ ଟେଣ୍ଡର ପି-୦୧ ଜରିଆରେ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ହରିଲୁଟ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି । ଏଭଳି ୦୪ ହଜାର ପାଖାପାଖି ଟେଣ୍ଡର ହୋଇଥିବାର ଆଶଙ୍କା କରିଛନ୍ତି ଶ୍ରୀ ବାରିକ । ତୁରନ୍ତ ଭିଜିଲାନ୍ସ ବିଭାଗର ଏହାର ତଦନ୍ତ କରି ପର୍ଦ୍ଦାଫାସ କରୁବୋଲି ସେ ଦାବୀ କରିଛନ୍ତି । ଏଭଳି ଟେଣ୍ଡରରେ ବହୁ କମ କାମ କରି ଯନ୍ତ୍ରୀ/ନେତାମାନଙ୍କୁ ଆପାୟିତ କରି କେତେକ ତଥାକଥିତ ଠିକାଦାର ୟା’ ତା’ ନାମରେ ଯୋଜନାର ସିଂହଭାଗ ଲୁଟି ନେଇଛନ୍ତି । ଏଥିସହ ଏହି ଡିଭିଜନରେ ଜିଲ୍ଲା ଖଣିଜ ପାଣ୍ଠି (District Mineral Fund, DMF)ର ବ୍ୟାପକ ଦୂରୂପଯୋଗ ହୋଇଥିବାର ଜଣାଯାଇଛି; ଯାହା ଉପରେ ବିଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଶ୍ରୀ ବାରିକ! ଏଠାରେ ବେନିୟମ କାମକୁ ଗୁରୁତ୍ୱ ଦେଇ ବିଭାଗର ପ୍ରଭୂତ କ୍ଷତି ଘଟାଯାଇଛି । ଡିଏମଏଫକୁ ଅନ୍ୟ ଦିଗରେ ସ୍ୱଳ୍ପ ବିନିଯୋଗ କରି ଚତୁରତାର ସହ ଏହାର ସିଂହ ଭାଗ ରାଶିକୁ କାମ ନ କରି ସନ୍ତୁଷ୍ଟିକରଣ ଯୋଜନାରେ ବରବାଦ କରିଥିବା ସେ ଅଭିଯୋଗ କରିଛନ୍ତି ।



