ଯାଜପୁରରୋଡ ମିଶ୍ରିଲାଲ ପେଟ୍ରୋଲ ପମ୍ପରେ ଅନଲାଇନ ପେମେଂଟ ନେବା ମନା



ବ୍ୟାସନଗର, ୦୮/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ ସହର ଧାତବ ଶିଳ୍ପ ନଗରୀ କଳିଙ୍ଗନଗରର ମୁଖଶାଳା ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱବହନ କରେ । ହେଲେ ଲୋକଙ୍କ ଅଭାବ ଅସୁବିଧା ପୂରଣ ପାଇଁ ବହୁ ସଂସ୍ଥା ଅବହେଳା ପ୍ରଦର୍ଶନ କରି ସମସ୍ୟାକୁ ବହୁ ଗୁଣିତ କରିଥାନ୍ତି । ଏପରି ଏକ କଥା ଦେଖିବାକୁ ମିଳିଛି ସହରର ମୁଖ୍ୟ ରାସ୍ତା ଗୋପବନ୍ଧୁ-ଚୋରଦା ଛକ ପାଶ୍ୱର୍ରେ କାର୍ଯ୍ୟରତ ଏକ ପୁରୁଣା ପେଟ୍ରୋଲ ପମ୍ପ (RMC Dill )ରେ । ଏହି ପେଟ୍ରୋଲ ପମ୍ପକୁ ସାଧାରଣତଃ ଅଧିକାଂଶ ଲୋକେ ମିଶ୍ରିଲାଲ ପେଟ୍ରୋଲ ପମ୍ପ ବୋଲି ଜାଣନ୍ତି । ବହୁ ଦିନରୁ କାର୍ଯ୍ୟରତ ଏହି ପମ୍ପରେ ଏବେ ବହୁ ନାହିଁ ନାହିଁର ବହୁ ଅସୁବିଧା ଦେଖିବାକୁ ମିଳୁଛି । ପିଇବା ପାଣି, ଶୈାଚାଳୟ ସୁବିଧା ବିଷୟରେ ଅନେକ ଜାଣନ୍ତି ନାହିଁ । ମାଗଣାରେ ଟାୟାରରେ ପବନ ଭରିବା ଯନ୍ତ୍ର ଅଛି ସିନା ଅଧିକାଂଶ ବେଳେ ଏଠାରେ କେହି କର୍ମଚାରୀ ଏ କାମ କରିବାକୁ ନ ଥାନ୍ତି । ଏଠାରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଗ୍ରାହକମାନଙ୍କୁ ଅତି କଦର୍ଯ୍ୟ ବ୍ୟବହାର କରିବାର ନଜିର ରହିଛି । ତାଛଡ଼ା ପମ୍ପରେ ଅନଲାଇନ ପେମେଂଟ ରଖୁ ନ ଥିବାରୁ ବହୁ ଗ୍ରାହକ ତେଲ ପକାଇବାକୁ ଆସି ହଇରାଣ ହରକତ ହେଉଛନ୍ତି । ଭାରତ ସରକାର ଦେଶବ୍ୟାପି କ୍ୟାସଲେସ କାରବାରକୁ ପ୍ରଶମିତ କରି ଅନଲାଇନ ପେମେଂଟକୁ ଅଗ୍ରାଧିକାର ଦେଉଥିବା ବେଳେ ଏଠି କିନ୍ତୁ କଥା ଓଲଟା । ତାଛଡ଼ା ଯାଜପୁରରୋଡ ଭଳି ବାଣିଜ୍ୟିକ ସହରରେ ଓଜନ ଓ ମାପ ବିଭାଗର କିଛି କାର୍ଯ୍ୟାନୁଷ୍ଠାନ ନ ଥିବାରୁ ବିଭାଗକୁ ମାସିକିଆ ବଟି ଦେଇ ଓଜନରେ ବହୁ ବ୍ୟବସାୟୀ ରୀତିମତ ଠକିଚାଲିଛନ୍ତି । ବହୁ ତେଲ ଟାଙ୍କି ବାଲା ମିଟର ରିଡିଂକୁ ଟାମ୍ପରିଂ କରିଥିବାର ଅଭିଯୋଗ ହୋଇଆସୁଛି । ଓଜନ ଓ ମାପ ବିଭାଗ ଏଠାରେ ଅଛି କି ନାହିଁ ବହୁ ବର୍ଷ ହେଲା ଏ କଥା ଜଣାପଡୁନାହିଁ ।




