
ଯାଜପୁରରୋଡ ଶ୍ରମ କାର୍ଯ୍ୟାଳୟ ତରଫରୁ ‘ଓଡ଼ିଆ ପକ୍ଷ’ ପାଳନ ଏବଂ ସଚେତନତା ଶୋଭାଯାତ୍ରା ଓ ସଭା

ବ୍ୟାସନଗର, ୦୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ କାର୍ଯ୍ୟାଳୟ ଠାରୁ କୋର୍ଟ ଛକ ନିକଟସ୍ଥ ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଜି ସକାଳେ ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ଓ ଘର ଆଗରେ ଲାଗିଥିବା ନାମଫଳକ ଆଦିକୁ ଆମ ମାତୃଭାଷା ଓଡ଼ିଆରେ ଲେଖିବା ପାଇଁ ଏକ ଶୋଭାଯାତ୍ରା ଯାଇଥିଲା । ଶୋଭାଯାତ୍ରାକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ନଡିଆ ପିଟି ଓ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ସାରା ରାଜ୍ୟରେ ଏପ୍ରିଲ ୦୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଯାଜପୁର ଜିଲ୍ଲାରେ ଏହା ଅନୁଷ୍ଠିତ ହୋଇଥିଲା । ସଚେତନତା ରଥ ଏବଂ ଶୋଭାଯାତ୍ରା ପ୍ରାୟ ୦୫ କିମି ଦୂର ବଜାର ପରିକ୍ରମା କରୁଥିବା ବେଳେ ଜନସାଧାରଣ ଓ ବ୍ୟବସାୟୀଙ୍କ ଧ୍ୟାନ ଆକର୍ଷଣ ପାଇଁ ବିଭିନ୍ନ ସ୍ଲୋଗାନ ନିଯାଇଥିଲା । ଏଥିରେ ଶ୍ରମ ବିଭାଗର ଯୁଗ୍ମ ଆୟୁକ୍ତ ଶିବଶଙ୍କର ମିଶ୍ର, ପ୍ରଭାଗୀୟ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବାଶିଷ ଜେନା, ସହକାରୀ ଶ୍ରମ ଅଧିକାରିଣୀ ସୁଶ୍ରୀ ସଂଗୀତା ସ୍ୱାଇଁ, ରଚ୍ଚନା ସେଠୀ, ସହକାରୀ ଶ୍ରମ ଅଧିକାରୀ ସ୍ମୃତିରଂଜନ ପଣ୍ଡା, ସୈାମ୍ୟସୁନ୍ଦର ରାଉତରାୟ, ସୈାମ୍ୟରଂଜନ ବେହେରା, ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ, ବହୁ ଶ୍ରମିକ ନେତା, ସମାଜସେବୀ, ସାମ୍ବାଦିକ, ବଣିକ ସଂଘର କର୍ମକର୍ତ୍ତା ଆଦି ସାମିଲ ହୋଇଥିଲେ । ଶୋଭାଯାତ୍ରାକୁ ଯାଜପୁରରୋଡ ଆଦର୍ଶ ଥାନା ପକ୍ଷରୁ ନିୟନ୍ତ୍ରିତ କରାଯାଇଥିଲା ।
ପରେ ଅପରାହ୍ନରେ ବ୍ୟାସନଗର ପୈାର ପରିଷଦର ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବାଶିଷ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ଶ୍ରମ ବିଭାଗର ଯୁଗ୍ମ ଆୟୁକ୍ତ ଶିବପ୍ରସାଦ ମିଶ୍ର, ପ୍ରଭାଗୀୟ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ସହକାରୀ ଶ୍ରମ ଅଧିକାରୀ ସୈାମ୍ୟସୁନ୍ଦର ରାଉତରାୟ ପ୍ରମୁଖ ମଂଚାସୀନ ରହି ଓଡ଼ିଆ ଭାଷାର ସୁଦୂରପ୍ରସାରୀ ପାଇଁ ବକ୍ତବ୍ୟ ରଖିଥିଲେ । ଏହି ସଭାକୁ ଉଭୟ ଶ୍ରମ ବିଭାଗ ଓ ପୈାର ପରିଷଦ ସହଯୋଗ କରିଥିଲେ ।




