
ପାଣିକୋଇଲି ପୂର୍ତ୍ତ ବିଭାଗରେ ଦୁର୍ନୀତି ଘୋଡାଇବାକୁ ମସୁଧା, ସି.ସି କ୍ୟାମେରାରୁ ଦୂରେଇ ରହିବାକୁ ଯୋଜନା
ପାଣିକୋଇଲି, ୨୩/୦୩ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ) ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟଟି ରାଜ୍ୟରେ ଏକ ପ୍ରମୁଖ ଡିଭିଜନ ଭାବେ ବିଦିତ ହୋଇ ଆସୁଥିବା ବେଳେ ଏଠାରେ ଦୁର୍ନୀତି କିନ୍ତୁ ଚରମ ସୀମାରେ ପହଚିଂଛି । ମାର୍ଚ୍ଚ ମାସ ପାଇଁ ବିଲ ପାସର ଚିନ୍ତା ଯନ୍ତ୍ରୀମାନଙ୍କୁ ଘାରିଥିବା ବେଳେ କେତେକ ଠିକାଦାର ମୁନାଫା ଉଠାଇବା ପାଇଁ, ଅଳ୍ପ କାମ କରି ବେଶି ବିଲ ଉଠାଇବା ପାଇଁ, ମିଥ୍ୟା ବିଲ କରି ମୋଟା ଲାଭ ଉଠାଇବା, ମରାମତି କାମରେ ଅଧିକ ଟଙ୍କା ନେବା ପାଇଁ ଆଦି ଯୋଜନା କରି କେତେକ ଠିକାଦାର ଯନ୍ତ୍ରୀଙ୍କୁ ସନ୍ତୁଷ୍ଟ କରି ଘୁରିବୁଲୁଥିବା ବେଳେ ସରକାରୀ ତହବିଲରୁ ମୋଟା ଅଙ୍କର ଦରମା, ଘର, ଗାଡି, ଶୀତତାପ (ଏୟାରକଣ୍ଡିସନ)ରେ ସୁଖ ସ୍ୱାଛନ୍ଦରେ ରହି ବାବୁମାନଙ୍କ ଲାଂଚ ନେବା ଲାଲସା କିନ୍ତୁ କମୁ ନାହିଁ । ସେଥିପାଇଁ ରାଜ୍ୟରେ କେତେକ ବାବୁମାନଙ୍କ ପାଖରୁ ଆଖି ଟେରା ହେବା ଭଳି ଆୟ ବର୍ହିଃଭୂତ ସଂପତ୍ତିର ଖୁଲସା ହେଉଛି ବୋଲି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ଓ କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ କହିଛନ୍ତି । ଅବଶ୍ୟ ଭିଜିଲାନ୍ସ କାଁ ଭାଁ ଏହା କରୁଥିବା ବେଳେ ଜାଣିଶୁଣି ଅନେକଙ୍କୁ ଘଂଟ ଘୋଡାଉଛି । ରାଜ୍ୟରେ ଇଞ୍ଜିନିୟରିଂ ବିଭାଗ ଅନେକ କ୍ଷେତ୍ରରେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଏଣେ ବିଭିନ୍ନ ପ୍ରକାରର ଟିକସ ଏବଂ ଏହାର ଜରିମାନାରେ ସର୍ବସାଧାରଣ ପେଶି ହୋଇ ହୋଇ ନୟାନ୍ତ ହେଲେଣି । ଆଗକୁ ଏହି ବ୍ୟବସ୍ଥା ବିରୋଧରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ମହାନ ବିପ୍ଳବ ଆସିବାର ଆଶଙ୍କା ଜଳଜଳ ଦିଶିଲାଣି । ବହୁ ଇଞ୍ଜିନିୟରିଂ ବିଭାଗର ଲାଂଚଖୋର ମନୋବୃତ୍ତି ପାଇଁ ବହୁ ସ୍ଥାନରେ ନିମ୍ନମାନର କାମ ହେଉଥିବା ବେଳେ ରକ୍ଷକ ଆଜି ଭକ୍ଷକ ସାଜି ସେସବୁ ଅନିୟମିତତାଗୁଡିକୁ ଘଂଟ ଘୋଡାଇଚାଲିଛନ୍ତି । କିନ୍ତୁ ଏପରି ବହୁ ବଡ଼ ବାବୁମାନଙ୍କ ଅବସରକାଳୀନ ଜୀବନ ଏବଂ ଘରୋଇ ଜୀବନକୁ ଦେଖିଲେ ଦୁଃଖ ଲାଗେ । ଏଥିପାଇଁ ଧନି ଦରିଦ୍ରର ତାରତମ୍ୟ ପୁଣି ବଢ଼ି ବଢ଼ି ଚାଲିଲାଣି ଏବଂ ସାମାଜିକ ଚିନ୍ତାଧାରା ବିପଦଗାମୀ ହେଲାଣି! ଏହାକୁ ସଜାଡିବ କିଏ ବୋଲି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଉଠୁଥିବା ଅଭିଯୋଗଗୁଡିକର ସମୟୋଚିତ ଏବଂ ସଠିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏପରି ଅଧିକାରୀ ଓ ଯନ୍ତ୍ରୀମାନେ ହେଣ୍ଡି ମାରୁଛନ୍ତି । ତଥାପି ଅନ୍ଧାର ରାତ୍ରୀ ସବୁବେଳେ ରହେ ନାହିଁ ନ୍ୟାୟରେ ବେଳେ ବେଳେ ଡେରିରେ ହେଲେ ବି କାର୍ଯ୍ୟାନୁଷ୍ଠାନ ହେଉଛି । ସମସ୍ତେ ଅନ୍ୟାୟ, ଅନୀତି, ଦୁର୍ନୀତି ଆଦିକୁ ପ୍ରଶୟ ଦିଅନ୍ତି ନାହିଁ । ବହୁ ସଚ୍ଚୋଟ ଅଧିକାରୀଙ୍କ ପାଇଁ ନ୍ୟାୟ କିଛି ମାତ୍ରାରେ ବଂଚି ରହିଛି । ମହାମାରୀ ‘କରୋନା’ ସମୟରେ ଅଧିକାଂଶ ସାଧୂ ହୋଇଯାଇଥିଲେ ଏବଂ କାଳର କରାଳରେ ଲୀନ ହେବା ଭୟରେ ସଚ୍ଚୋଟତା ଏବଂ ଦୟା ଭାବ ବଢ଼ାଇ ଦେଇଥିଲେ; ହେଲେ ଏବେ ପୁଣି ଅନ୍ୟାୟ, ଅନୀତି, ଦୁର୍ନୀତି, ବ୍ୟଭିଚାର, ହିଂସା, ଦ୍ୱେଷ ଆଦି ବଢ଼ି ବଢ଼ି ଚାଲିଲାଣି ।
ଗତ ୨୧/୦୩/୨୦୨୬ରେ ଆମେ ଅନେକ କ୍ଷେତ୍ରରେ ଦିଗହରା ହୋଇପଡ଼ିଥିବା ପାଣିକୋଇଲି ପୂର୍ତ୍ତ ବିଭାଗର ଅନ୍ଧାରୀ ବିଜେ ଉପରେ ଅଭିଯୋଗ ସଂପନ୍ନ ରିପୋର୍ଟ ଉପସ୍ଥାପନ କରିଥିଲୁ । ଏହାର ଗୋଡିଏ ଦିନ ପରେ ବେପରୁଆ ଭାବେ ଅନିୟମିତତା ଚଳାଇଥିବା ବାବୁମାନେ କିଛିମାତ୍ରାରେ ହୁସିଆର ହୋଇଯାଇଥିବାର ଜଣାଯାଇଛି । ସର୍ବସାଧାରଣଙ୍କ ଦୃଷ୍ଟି ଆଢ଼ୁଆଳରୁ ବର୍ତ୍ତିବା ପାଇଁ ଲଗାଯାଇଥିବା ସି.ସି କ୍ୟାମେରାରୁ କେତେକକୁ ଜାଣିଶୁଣି ବଙ୍କାଇ ଦେଇ ତଳମୁହାଁ କରାଯାଇଛି । ଫଳସୂରୁପ, ଅଫିସରୁ ବାବୁଙ୍କ କ୍ୱାଟରକୁ ଫାଇଲ ବୋହିନେବା ଦୃର୍ଶ୍ୟ କ୍ୟାମେରାରେ କଏଦୀ ହେବ ନାହିଁ । ମାତ୍ର ସେମାନଙ୍କ ଗେମ ପ୍ଲାନ ବି ରାସ୍ତାରେ ପଡି ଦାଣ୍ଡରେ ଆଲୋଚ୍ୟର ବିଷୟ ପାଲଟିଛି! ସି.ସି କ୍ୟାମେରାରୁ ଦୃର୍ଶ୍ୟ ହଟାଇବାକୁ ଯୋଜନା ହେଉଛି ବୋଲି ଶ୍ରୀ ବାରିକ ଆଶଙ୍କା କରିଛନ୍ତି । ବ୍ୟାଗ ଭିତରେ ଫାଇଲ ଲୁଚାଇ ରଖି ସେସବୁକୁ ବି ନେବା ଆଣିବା କରାଯାଉଥିବା କଥା ଜଣାପଡିଛି । ଦେଶ ବଂଚିବା ପାଇଁ ଦେଶପ୍ରେମ, ସାଧୂତା ସର୍ବାଗ୍ରେ ପ୍ରୟୋଜନ ଥିବା ବେଳେ ଏତେ ବଡ ପଦରେ ଥାଇଁ ବିଭାଗ ପାଇଁ, ରାଜ୍ୟ ପାଇଁ, ଦେଶ ପାଇଁ କାମ ନ କଲେ ବ୍ୟବସ୍ଥା ହିଁ ଭୂଷୁଡି ପଡିବା ସାର ହେବ । ଆଜି ବହୁ କର୍ପୋରେସନ ଦେବାଳିଆ ହୋଇ ଭୂଷୁଡି ପଡିଥିବା ବେଳେ ଜନତାଙ୍କ ଟିକସରେ ଇଜିଂନିୟରି ବିଭାଗର ବହୁ ଯନ୍ତ୍ରୀ ମେରୀମୟ ଜୀବନଯାପନ କରୁଛନ୍ତି ।
ସୂଚନାଯୋଗ୍ୟ, ବୈତରଣୀରୋଡ-ମକୁନ୍ଦପୁର ରାସ୍ତାଟି ଗତ କିଛି ମାସ ତଳେ ନିର୍ମିତ ହୋଇଥିଲେ ହେଁ ତାହା ଏବେ ଶୋଚନୀୟ ହୋଇଯିବା ଚିନ୍ତାଜନକ ଘଟଣା । ସେହିପରି ବ୍ୟାସନଗର ଷ୍ଟାଡିୟମ ଭିତରେ ନିର୍ମିତ ବହୁମୂଖି ଆଶ୍ରୟ ସ୍ଥଳ ଓ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ଆରମ୍ଭରୁ ବିଭିନ୍ନ ଫଟା କାନ୍ଥ, ଝରକା କାଚ ଭାଂଗି ଯିବା, ବୋର୍ଡରୁ ଅକ୍ଷର ଖସି ପଡିବା, ନିମ୍ନମାନର ନିର୍ମାଣ ପାଇଁ ଏହାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ଆସିବା ମାନେ ସବୁ ଦେଖି ଜାଣି ସେପରି କିଛି କାର୍ଯ୍ୟାନୁଷ୍ଠାନ ନ କରି ଖାଲି ଭଲ ରଂଗରେ ସଜେଇ ଦେଇ ବିଲ ପାସ କରାଇ ଦେଇଥିବାର ଜଣାଯାଇଛି । ଏପରି ବିଭାଗର ବହୁ ଦୁର୍ନୀତି ଉପରେ ଆମେ ଆଗାମୀ ସମୟରେ ଆଲୋଚନା ଜାରୀ ରଖିବୁ । ଏସବୁ ଅନିୟମିତତା ଆଦି ଉପରେ ଉଚ୍ଚ କର୍ତୃପକ୍ଷ, ଭିଜିଲାନ୍ସ ବିଭାଗ ତୁରନ୍ତ ଚଢ଼ଉ କଲେ ବହୁ ରହସ୍ୟର ଗୁମର ଫିଟନ୍ତା ବୋଲି ଆଶା କରାଯାଉଛି ।




