
କୋରାବନ୍ଦୀ ଗ୍ରାମର ବୃଦ୍ଧ ନିତ୍ୟାନନ୍ଦ ମହାରଣାଙ୍କୁ ଭତା ଦେବାରେ ମନମାନି
ଋଗଡ଼ି,(ଉ. ନ୍ୟୁଜ୍ ବ୍ୟୁରୋ): ସରକାରଙ୍କ ବିଭିନ୍ନ ଯୋଜନା କରାଯାଇଛି ଜନସାଧାରଣଙ୍କ ହିତ ସାଧନ ପାଇଁ ଏବଂ ଆବଶ୍ୟକତା ପୂରଣ କରିବା ପାଇଁ । କେନ୍ଦ୍ର ସରକାର ମଧ୍ୟ ରାଜ୍ୟରେ ଗରିବ ହଟାଇବା ପାଇଁ ଏବଂ ଅଭାବୀ ବ୍ୟକ୍ତିଙ୍କ ଅଭାବ ଅନାଟନ ପୂରଣ ପାଇଁ କରିଛନ୍ତି ବିଭିନ୍ନ ଯୋଜନା । ଯୋଜନା ପରେ ଯୋଜନା ପ୍ରଣୟନ ହେଉଛି ସତ, ଏସବୁର ସଫଳ ରୂପାୟନ ପାଇଁ ଅଧିକାରୀଙ୍କ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ତାଙ୍କ ମେରିମୟ ଓ ଲାଂଚ ଖୋର ମନୋବୃତି ପାଇଁ ଯୋଜନା ଗୁଡ଼ିକର ସ୍ୱାଦ କାର୍ଯ୍ୟକ୍ଷେତ୍ରରେ କମି ଯାଉଛି ।
ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ରଗଡ଼ି ଛକ ନିକଟସ୍ଥ କୋରାବନ୍ଦୀ ଗ୍ରାମର ନିତ୍ୟାନନ୍ଦ ମହାରଣାଙ୍କ କ୍ଷେତ୍ରରେ । ବୟସ ତାଙ୍କୁ ୮୦ ହେଲାଣି । ଜଣେ ବୈଦ୍ୟ ଭାବରେ ସ୍ଥାନୀୟ ଅଂଚଳରେ ଚେରମୂଳି ଔଷଧ ସାହାଯ୍ୟରେ ବହୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ବେଶ୍ ପରିଚିତ ହୋଇଛନ୍ତି । ସାହିତ୍ୟ ସାଧନାରେ ବ୍ରତୀ ରହି ଜଣେ କବି ଭାବରେ ନାମ କମାଇଛନ୍ତି । ଏହାଛଡ଼ା ସାମ୍ବାଦିକ ବୃତିକୁ ମଧ୍ୟ ଆଦରି ନେଇଛନ୍ତି । ବୟସାଧିକ କାରଣରୁ ଆଗଭଳି ସେ ଆଉ ଧାଁ ଧପଡ଼ କରିପାରୁ ନାହାନ୍ତି କି ଏ ଘରୁ ସେ ଘରକୁ ଯାଇ ରୋଗୀଙ୍କୁ ଦେଖି ପାରୁ ନାହାନ୍ତି । ଏବେ ସେ ନିଜ କୁଡ଼ିଆରେ ପଡ଼ି ରହିଛନ୍ତି । ସରକାରଙ୍କ ଯୋଜନା ତାଙ୍କ ପାଇଁ ନିହାତି ଦରକାରୀ ସାବ୍ୟସ୍ତ ହୋଇଛି । ସେ ଜଣେ ଭିନ୍ନକ୍ଷମ ଶାରୀରିକ ଅକ୍ଷମ ବ୍ୟକ୍ତି ମଧ୍ୟ । ସେଥିପାଇଁ ସେ ମାସିକ ୧୪୦୦ ଟଙ୍କା ଭତା ପାଉଛନ୍ତି । ୮୦ ବର୍ଷ ବୟସ କାରଣରୁ ସେ ମାସିକ ୩୫୦୦ ଟଙ୍କା ଭତା ପାଇବା କଥା । ହେଲେ କାଗଜପତ୍ର କାରଣ ପାଇଁ ସେ ତାହା ଏପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ଯେଉଁ ୧୪୦୦ ଟଙ୍କା ମାସିକ ପାଉଛନ୍ତି ସେଥିରୁ ଭତା ବାଂଟୁଥିବା ପିଅନ କାଠି ରାଉତ କିଛି ଭାଗ ମାଗୁଛନ୍ତି । ଅତୀତରେ ଏବାବଦରେ କିଛି ଘୁସ୍ ନେଇଥିବା ବେଳେ ଗତମାସରେ ୨୦୦ ଟଙ୍କା ହାତ ଗୁଂଜା ନେଇଥିବାର ନିତ୍ୟାନନ୍ଦ ମହାରଣା ଅଭିଯୋଗ କରିଛନ୍ତି । ଏବାବଦରେ ଶ୍ରୀ ମହାରଣା ଭିନ୍ନକ୍ଷମ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅଭିଯୋଗ କଲା ପରେ ତାହା ଏବେ ତଦନ୍ତ ପରିସରଭୁକ୍ତ ହୋଇଥିବାର ଶୁଣାଯାଉଛି । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ରାଉତ ଶ୍ରୀ ମହାରଣାଙ୍କ ଭତା ନଦେବା ପାଇଁ ଧମକ ଦେଇଥିବାର ଶ୍ରୀ ମହାରଣା କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଓ କୋରେଇ ବିଡିଓ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।

Live Share Market




