
ଶଙ୍ଖଚିଲା ଏକ୍ସସ୍ଲେସିୟର ଉଚ୍ଚ ମାଧ୍ୟମିକ ମେଧାବୀ ଛାତ୍ରଙ୍କ ଅକାଳ ବିୟୋଗ—ପରିବାର ଲୋକଙ୍କ ହତ୍ୟା ଅଭିଯୋଗ, କଲେଜ ସମ୍ମୁଖରେ ହଂଗାମା
ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ) ତା.୧/୧୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯାଜପୁରରୋଡ ସହର ନିକଟସ୍ଥ ଦଳା-ଶଙ୍ଖଚିଲା ରାସ୍ତାର ଛୋଟରାୟପୁର ଛକ ନିକଟରେ ଅବସ୍ଥିତ ଏକ୍ସସ୍ଲେସିୟର ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଏହି କଲେଜର ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଆଶିଷ କୁମାର ପାଳ (୧୭)ଙ୍କ ମୃତ ଦେହ କଲେଜର ଗାଧୁଆ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଏହାକୁ ଦେଖି ଛାତ୍ରମାନେ, ଶିକ୍ଷକ ଓ ସ୍ଥାନୀୟମାନେ ମଧ୍ୟ ଅଚମ୍ବିତ ହୋଇପଡ଼ିଛନ୍ତି। ଘଟଣା ସମୟରେ ମୃତ ଛାତ୍ର ଆଶିଷ, ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ମାଣତୀରା ପଞ୍ଚାୟତର କେନ୍ଦୁଢ଼ିପ ଗ୍ରାମର ବିଜୟ କୁମାର ପାଳଙ୍କ ପୁତ୍ର। ସେ ଜଣେ ମେଧାବୀ ଓ ଶାନ୍ତ ସ୍ୱଭାବର ଛାତ୍ର ଥିଲେ। ୩୧ ଅକ୍ଟୋବର ତାରିଖରେ ସେ ସବୁଦିନ ପରି କ୍ଲାସ ସାରି ନିଜ ରୁମକୁ ଫେରିଥିଲେ, କିନ୍ତୁ ପରେ ବାହାରି ଆସିନଥିଲେ ।
ସେହି ରାତି ଖାଇବାକୁ ମଧ୍ୟ କଲେଜ କ୍ୟାଣ୍ଟିନକୁ ଆସି ନ ଥିଲେ, ଯାହାକୁ ନେଇ ସାଥୀ ଛାତ୍ରମାନେ ସନ୍ଦେହ କରିଥିଲେ। ପରବର୍ତ୍ତୀ ସକାଳେ ଗାଧୁଆ ଘରରୁ ଦୀର୍ଘ ସମୟ ଧରି ଆସୁ ନ ଥିବା ଦେଖି ଅନ୍ୟ ଛାତ୍ରମାନେ ସେଠାକୁ ଯାଇ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଖୋଲି ଯାଜପୁରରୋଡ ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅସମୟରେ ମୃତ୍ୟୁ ସମ୍ବାଦ ପାଇ ସହଜରେ ଗ୍ରହଣ କରିପାରିନଥିଲେ ଆଶିଷଙ୍କ ପରିବାର। ତାଙ୍କ ପିତା ଓ ମା ସହିତ ଅନ୍ୟ ସଦସ୍ୟମାନେ କହିଛନ୍ତି । “ଆମ ପୁଅ ନିଜେ ମରିପାରିବନି, ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି।” ଏପରି ଅଭିଯୋଗ ସହିତ ପରିବାରର ରୋଦନ ଓ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ସହ ପାଣିକୋଇଲି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପରିବାର ଓ ଗ୍ରାମବାସୀମାନେ ଏହି ମୃତ୍ୟୁରେ କଲେଜ ପକ୍ଷର ଅବହେଳା ଓ ଅସାବଧାନତା ଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ଏକ୍ସେସେଲସିଓର କଲେଜ ସମ୍ମୁଖକୁ ଯାଇ ହଂଗାମା କରିଥିଲେ। କଲେଜ ଭିତରେ ଭଙ୍ଗାରୁଜା ହୋଇଥିଲା, କେତେଜଣ କର୍ତୃପକ୍ଷଙ୍କୁ ମାଡ଼ ମରା ଯାଇଥିବା ଖବର ମିଳିଛି। ଉପସ୍ଥିତ ଉତେକ୍ତ ଜନତାଙ୍କ ପୋଲିସ ସହିତ ମଧ୍ୟ ଧସ୍ତାଧସ୍ତି ଘଟିଥିଲା। ଉତ୍ତେଜିତ ଲୋକମାନେ କଲେଜ କର୍ତୃପକ୍ଷଙ୍କୁ ଆଲୋଚନା ପାଇଁ ଖୋଜୁଥିଲେ, କିନ୍ତୁ ସେମାନେ ଦେଖା ଦେଇନଥିଲେ। ପରେ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ନେଇଥିଲେ ଓ ମୃତଦେହକୁ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଘଟଣା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଏହି ଘଟଣାକୁ ଗୁରୁତର ଭାବରେ ନେଇଛନ୍ତି। ସେମାନଙ୍କ ମତ, କଲେଜ ହୋଷ୍ଟେଲ ଭିତରେ ଛାତ୍ର ମୃତ୍ୟୁ ହେବା ଏକ ସୁରକ୍ଷା ବ୍ୟବସ୍ଥା ତ୍ରୁଟିର ସ୍ପଷ୍ଟ ଉଦାହରଣ। ଛାତ୍ର ଜୀବନ ସୁରକ୍ଷା ଓ ନିୟମିତ ନିରୀକ୍ଷଣ ବ୍ୟବସ୍ଥା ରଖିବାକୁ ପ୍ରଶାସନ ଓ ଶିକ୍ଷା ବିଭାଗଙ୍କ ନିକଟରୁ କଠୋର ତଦନ୍ତ ଓ ପଦକ୍ଷେପ ନେବାକୁ ବିଦ୍ଧିଜୀବୀ ମହଲରେ ଦାବି ଉଠିଛି। ଯାଜପୁରରୋଡ ସହର ଓ କଳିଙ୍ଗନଗର ପାଖପାଖି ଅଞ୍ଚଳରେ ଏହି ଘଟଣା ନେଇ ତିବ୍ର ଚର୍ଚ୍ଚା ଓ ଶୋକର ଛାୟା ଖେଳି ଯାଇଛି ।
ବହୁ ଦିନରୁ କିଛି ଅବିଭାବକ ଅଭିଯୋଗ କରିଆସୁଥିଲେ କି ଅଧିକ କଟକଣା କରି ସ୍କୁଲ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମନ ଉପରେ ଅଧିକ ଚାପ ସୃଷ୍ଟି କରିଆସୁଛନ୍ତି । ଏପରିକି, ପିଲାଙ୍କୁ ଘରକୁ ଆଣି ପୁଣି ନିର୍ଦ୍ଧାରିତ ସମୟରେ ସ୍କୁଲରେ ନ ଛାଡିଲେ ପିଲାଙ୍କ ସମେତ ଅବିଭାବକମାନଙ୍କୁ ମଧ୍ୟ ଗାଳିଗୁଲଜ କରିବାକୁ ପଛାଉ ନ ଥିଲେ ସ୍କୁଲ କର୍ତୃପକ୍ଷ । ଏପରିକି ୧୫ ମିନିଟ ବିଳମ୍ବ ହେଲେ ବି ସେମାନେ ଗାଳି ଦେବାକୁ ପଛାଉ ନ ଥିଲେ । ସବୁକ୍ଷେତ୍ରରେ ଅତି ଲେମ୍ୁ ଚିପୁଡିଲେ ପିତା । ତେଣୁ ଯେଉଁ ପିଲା ଆମ ଦେଶର ଭବିଷ୍ୟତ ସେମାନଙ୍କ ମନୋଭାବକୁ ସ୍କୁଲ କର୍ତୃପକ୍ଷ ବୁଝିବା ଆବଶ୍ୟକ । କାରଣ ପିତାମାନେ ହଷ୍ଟେଲରେ ଛାଡିବା ପରେ ସ୍କୁଲ କର୍ତୃପକ୍ଷଙ୍କ ଛାତ୍ରଛାତ୍ରୀମାନଙ୍କ ସବୁ ଦାୟିତ୍ୱ ହେଉଛି ସେମାନଙ୍କର । ଅଧିକ ତାଗିଦ୍ କରି ଦେଖାଇ ହେଉଥିବା ସ୍କୁଲ କର୍ତୃପକ୍ଷଙ୍କ ଏତାଦୃଶ ଆଚରଣ ପାଇଁ ମଧ୍ୟ ଦେଶର ବିଭିନ୍ନ ଆବାସିକ ସ୍କୁଲରେ ଏପରି ଘଟଣା ମାନ ଘଟୁଛି । ପିତାମାତାମାନେ ମଧ୍ୟ ହଷ୍ଟେଲରେ ଛାଡିବା ପରେ ପିଲାଙ୍କ ଭଲ ମନ୍ଦ ସବୁବେଳେ ବୁଝିବା ସହ ତାଙ୍କର ମାନସିକ ସ୍ଥିତିକୁ ତର୍ଜ୍ଜମା କରିବା ଆବଶ୍ୟକ । ପିଲାଙ୍କୁ ଅଧିକ ନମ୍ବର ସହ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳ ହେବାର ଚାପ ମଧ୍ୟ ନ ରଖିବା ଉଚିତ । କାରଣ ଆଜିକାଲିର ଛାତ୍ରଛାତ୍ରୀମାନେ ଆମ ଠାରୁ ଅଧିକ ମେଧାବୀ ଓ ସେମାନଙ୍କର ନିଜସ୍ୱ ପସନ୍ଦ ମଧ୍ୟ ରହିଛି, ଯାହାକୁ ଜିତିବା ପାଇଁ ସେ ପ୍ରୟାସରେ ଥିବାର ପରିଲକ୍ଷିତ ହୁଏ । ଆଜିକାଲି ବହୁ ଛାତ୍ରଛାତ୍ରୀ ମୋବାଇଲରେ ପାଠ ପଢ଼ୁଥିବା ବହୁ ସ୍କୁଲ ସେମାନଙ୍କୁ ଏଥିରୁ ବାରଣ କରିଥାନ୍ତି, ଏପରିକି ବାପମାଆଙ୍କ ସହ କଥା ବି କରାଇ ଦେଇ ନ ଥାନ୍ତି । ବହୁ କମ ସମୟରେ କଥା ହେବାକୁ ସର୍ତ ରଖନ୍ତି ୱାଡ଼େନମାନେ । ଦେଶରେ ମେଧାବୀ ଛାତ୍ର ଛାତ୍ରୀମାନେ ମଧ୍ୟ ଅପରିଣତି ବୟସରଙ୍କ ପ୍ରେମ ଜାଲରେ ପଡି ସେଥିରେ ଅସଫଳ ହୋଇ ଆତ୍ମହତ୍ୟା କରୁଥିବାର ଖବର ନଜରକୁ ଆସୁଛି । ଏହି ଘଟଣା ପରେ ଯାଜପୁର ଜିଲ୍ଲା ପ୍ରଶାସନ ସଜାଗ ହୋଇଥିବା ବେଳେ ଜିଲ୍ଲାରେ ଚାଲିଥିବା ଆବାସିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ଥିତି ପରଖିବା ପାଇଁ ଅଚାନକ ରେଡ଼ ମଧ୍ୟ କରିପାରନ୍ତି ଯାଜପୁର ଜିଲ୍ଲା ପ୍ରଶାସନ! ଏହି ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ପ୍ରକୃତ ଘଟଣା ହତ୍ୟା ନା ଆତ୍ମହତ୍ୟା ଏହାକୁ ପର୍ଦ୍ଦାଫାସ କରିବାକୁ ନେଇ ପୋଲିସର ଚିନ୍ତା ବଢ଼ିଯାଇଛି । 




