
ଯାଜପୁରରୋଡ଼ ମା’ଶ୍ୟାମା କାଳୀଙ୍କ ଆସନ୍ତା ୩୧ର ମେଲଣ ପାଇଁ ପାଗ ଖୋଜୁଛନ୍ତି ସହରବାସୀ

https://youtube.com/shorts/kHqoBk5N0P4?si=TIEPAWLjF1cCgBJC
ବ୍ୟାସନଗର,୨୯/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ଯାଜପୁର ଜିଲ୍ଲାର କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର ସହରର ମା’କାଳୀଙ୍କ ପୂଜା ବାତ୍ୟା ‘ମୋନ୍ଥା’ ପାଇଁ ପ୍ରଭାବିତ ହୋଇଛି । ଗଣମାଧ୍ୟମରୁ ଖବର ପ୍ରସାରଣ ଦେଖି ଅଧିକାଂଶ ଶ୍ରଦ୍ଧାଳୁ ଭୟଭୀତ ହୋଇ ଗତ ସୋମବାର ୨୭ ତାରିଖରେ ପୂଜା ଦେଖି ଭାବିଥିଲେ ଝଡ଼ ବର୍ଷା ପାଇଁ ଆଉ କାଳୀ ପୂଜାକୁ ଦେଖିହେବ ନାହିଁ! ମାତ୍ର ଝଡ଼ ତୋଫାନ ହେବ ନାହିଁ ଖାଲି ବର୍ଷା ହେବ ବୋଲି ଆମେ କହିଆସୁଛୁ । ବିଶାଳ ମେଲଣ ଉତ୍ସବ ମଧ୍ୟ ମାନ୍ଦା ପଡିବ ବୋଲି ଆଶଙ୍କା କରାଯାଉଥିଲା । ଗତ କାଲି ରାସ୍ତାରେ ଏକ ତୋରଣ ଗଳିପଡ଼ିବା ପରେ ନାହିଁ ନ ଥିବା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଦେଖାଯାଇଛି ଯେ, ବର୍ଷାର ପ୍ରଭାବ ଆଜି ଦିନଟି ରହିପାରେ ଓ ଏବଂ ଆଜି ସନ୍ଧ୍ୟା ବେଳକୁ ପୂଣି ପୂଜା ପେଣ୍ଡାଲ ଚମକି ପାରେ । ପେଣ୍ଡାଲ ପାଖରେ ଜମି ଥିବା ପାଣିକୁ ନିଷ୍କାସନ କରାଯାଉଛି । ହେଲେ ଆସନ୍ତା କାଲି ଓ ୩୧ ତାରିଖର ଭଷାଣୀ ଉତ୍ସବରେ ପାଗ ଅନୁକୂଳ ରହିପାରେ ବୋଲି ଆମେ ଆଶା କରୁଛୁ । ଗତ କାଲି ବର୍ଷା ପାଇଁ ପେଣ୍ଡାଲଗୁଡିକ ଖାଁ ଖାଁ ପଡ଼ିଥିଲେ ହେଁ ଆଜି ଠାରୁ ପୂଜା ବଜାର ପୁଣି ଜମିପାରେ । ପେଣ୍ଡାଲର ଆୟୋଜକମାନେ ବହୁ ଅର୍ଥ ବଇନା ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରିବା ସହ ଭଷାଣି ଏବଂ ମେଲଣ ପାଇଁ ବାଜା ବାଣି ଆଦି ବହୁ ଆଗରୁ ବରାଦ ହୋଇ ସାରିଛନ୍ତି । ଯାହାହେଲେ ବି ମେଲଣ ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି । ଲକ୍ଷାଧିକ ଲୋକଙ୍କ ସମାବେଶ କିଛି ମାତ୍ରାରେ ମନ୍ଦୀଭୂତ ହୋଇପାରେ । ଏଣେ ଅଧିକ ଚେଷ୍ଟା ଚଳାଇ ଭଷାଣୀ ଉତ୍ସବକୁ ମଧ୍ୟ ଏଥର ଭଲ କରିବା ପାଇଁ ଲାଗିପଡ଼ିଛନ୍ତି ଆୟୋଜକମାନେ । ଦେଖାଯାଉ, ମାଆଙ୍କର କ’ଣ ଯୋଜନା ରହିଛି ! (ଚିତ୍ର ଉତୋଳନ: ଶୁଭ୍ରାଶୁଂ ଶେଖର ନାୟକ)





