
ବ୍ୟାସନଗର ସହରର ଗୋପବନ୍ଧୁ ଛକ ‘ଟ୍ରାଭେଲ୍ସ ସଂସ୍ଥା’ ଉପରକୁ ଗୁଳିମାଡ଼, ଦୃବୁର୍ତଙ୍କୁ ଧରିଲା ଯାଜପୁରରୋଡ଼ ପୋଲିସ
ବ୍ୟାସନଗର,୧୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରର ଗଣପର୍ବ ‘ମା’ କାଳୀ ପୂଜା’କୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ, ପୋଲିସ, ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ନହକା-ଗୋପବନ୍ଧୁନଗର କାଳୀ ମେଢ଼ର ଅନତି ଦୂରରେ ସନ୍ଧ୍ୟା ସମୟରେ ଏକ ଟ୍ରାଭେଳ୍ସ ସଂସ୍ଥା ଉପରେ ଗୁଳିମାଡ଼ ହେବା ଘଟଣା ସାଧାରଣରେ ଆତଙ୍କ ଖେଳାଇ ଦେଇଛି । କିଏ କାହିଁକି ଏଭଳି କାଣ୍ଡ ଘଟାଇଲା ତାକୁ ନେଇ ଯାଜପୁରରୋଡ଼ ପୋଲିସ ତନାଘନା ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ ଗୋପବନ୍ଧୁନଗର ପାଂଚାଳି ହୋଟେଲ ସମ୍ମୁଖରେ ଥିବା ‘ଡିଏମ୍ କମ୍ୟୁନିକେସନ୍’ କାଚ ଦରଜାକୁ ପ୍ରାୟ ସନ୍ଧ୍ୟା ଆଠଟାରେ ଦୁଇ ଜଣ ଯୁବକ ଅଚାନକ ଗୁଳି ମାଡ଼ କରି ସେଠାରୁ ତୁରନ୍ତ ଫେରାର୍ ହୋଇଯାଇଥିଲେ । ଘଟଣା ଘଟିବା ବେଳେ ଦୋକାନ ମାଲିକ ଦେବଦତ ପଣ୍ଡା ବାହାରକୁ ଯାଇଥିବାରୁ ସେ ବର୍ତି ଯାଇଥିବାର ଜଣାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ଦୋକାନ ସମ୍ମୁଖରୁ ଗୁଳି ଖୋକା ଜବତ କରିବା ସହିତ ଫରେନ୍ସିକ୍ ଟିମ୍ ଦ୍ୱାରା ତଦନ୍ତ ଚଳାଇଛି । ଦୋକାନ ମାଲିକଙ୍କୁ ପୁଲିସ୍ ଥାନାକୁ ନେଇ ପଚରାଉଚୁରା କରିଥିବା ବେଳେ ଖୁବ୍ଶୀଘ୍ର ଅପରାଧୀଙ୍କ ପିଛା କରିଥିଲା । ଏଥିନେଇ ସହରରେ ପୁଲିସର ତନାଘନା କରି ଜାରୀ ରହିଥିବା ବେଳେ ସହରର ମୁଖ୍ୟ ମୁଖ୍ୟ ଜାଗାରେ ପୁଲିସ ଛାଉଣି ହେବା ସହ ଆସନ୍ତା ପୂଜା ପାଇଁ ସହରରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ପ୍ରମୁଖ ରାସ୍ତାରେ ପାଟ୍ରୋଲିଂକୁ ଜୋରଦାର କରାଯାଉଛି । ଏଥିସହିତ ଗୁଳି କାଣ୍ଡ ଘଟାଇଥିବା କୋରେଇ ଥାନା ଅର୍ନ୍ତଗତ ପୂର୍ବକୋଟର ମାଇକେଲ ସନ୍ତୋଷ ଏବଂ ଯାଜପୁରରୋଡ଼ ଥାନା ଅର୍ନ୍ତଗତ ମୁଣ୍ଡମାଳର ସନ୍ତୋଷ ପ୍ରଧାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବାରୁ ସର୍ବସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି । ଖୁବ୍ କମ ସମୟ ମଧ୍ୟରେ ଅର୍ଥାତ୍ ଘଟଣା ଘଟିବାର ମାତ୍ର ୦୫ ଘଂଟା ମଧ୍ୟରେ ଦୃବୁର୍ତଙ୍କୁ ଧରିବାରେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଉଛି ।




