ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର,୧୨/୦୯(ବିଭୂତି ଭୁଷଣ ଜେନା/ ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ରାଜ୍ୟରେ ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏ ସମ୍ପର୍କରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏ ସମ୍ପର୍କରେ ବିଭିନ୍ନ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ଉଲ୍ଲେଖିତ ଏବଂ ପତ୍ରରେ ଜଣାଇଛନ୍ତି ଯେ, ରାଜ୍ୟ ସରକାର ସ୍ୱଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧ । ନିକଟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲାଗୁଡ଼ିକ ସୂଚାଉଛି ଯେ, ଏ କ୍ଷେତ୍ରରେ ସକ୍ରିୟ ଓ ନିରନ୍ତର ଧ୍ୟାନ ଦେଇ ପ୍ରତିକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କେବଳ ଦୋଷୀଙ୍କୁ ଦଣ୍ଡ ଦେବା କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହାର ସମାଧାନ ହୋଇ ପାରିବନାହିଁ; ବରଂ ଦୁର୍ନୀତିର ମୂଳ କାରଣଗୁଡ଼ିକୁ ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ବ୍ୟବସ୍ଥାଗତ ପ୍ରଣାଳୀରେ ଦୂର କରିବା ପାଇଁ ସୃଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ।
ଏ ସମ୍ପର୍କରେ ‘ସନ୍ଥାନମ କମିଟି’ ସୁପାରିଶ ଅନୁସାରେ ବିଭିନ୍ନ ବିଭାଗମାନେ ନିଜେ ନିଜେ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟକରି ମାମଲା ସୃଷ୍ଟି ହେବା ପୂର୍ବରୁ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାର ବିଶେଷ ଗୁରୁତ୍ୱ ରଖୁଛି । ପ୍ରତିରୋଧାତ୍ମକ ଦୁର୍ନୀତି ନିବାରଣ ସଚେତନତା ମାଧ୍ୟମରେ ଅଧିକ ନିୟାମକତା, ଇଚ୍ଛାଧୀନ କ୍ଷମତା, ସେବା ପ୍ରଦାନରେ ଏକାଧିକାର, ଦୁର୍ବଳ ଅଭିଯୋଗ ଶୁଣାଣି ବ୍ୟବସ୍ଥା, ଯାଂଚ ପ୍ରଣାଲୀରେ କୋହଳ ବ୍ୟବସ୍ଥା ଏବଂ ଜନସଚେତନତା ଅଭାବ ପରି ବିଷୟଗୁଡ଼ିକର ସମାଧାନ କରିପାରିବ ।
ଦୁର୍ନୀତି ନିବାରଣ ପ୍ରତି ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଆକର୍ଷଣକାରୀ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି:- କ୍ରୟ ଏବଂ ଚୁକ୍ତି ପରିଚାଳନା, ମାନବ ସମ୍ବଳ ପରିଚାଳନା, ସେବା ପ୍ରଦାନ, ସର୍ବସାଧାରଣଙ୍କ କାର୍ଯ୍ୟ ନିରୀକ୍ଷଣ ବ୍ୟବସ୍ଥା, ବ୍ୟବସାୟ କରିବାର ସୁବିଧା(ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍‌) ଏବଂ ‘ଜନ ବିଶ୍ୱାସ ବିଲ’ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
କ୍ରୟ ଏବଂ ଚୁକ୍ତି ପରିଚାଳନା କ୍ଷେତ୍ରରେ ଇ-କ୍ରୟ (ପ୍ରୋକ୍ୟୋରମେଂଟ), ଇ-ଟେଣ୍ଡରିଂ ଏବଂ ତୃତୀୟ ପକ୍ଷ ସାର୍ଟିଫିକେସନ୍ ଅବଲମ୍ବନ କରିବା ଦ୍ୱାରା ଇଚ୍ଛାଧୀନ କ୍ଷମତାର ବ୍ୟବହାର ସମ୍ଭାବନା କମିଥାଏ ଏବଂ ସ୍ୱଚ୍ଛତା ସୁନିଶ୍ଚିତ ହୁଏ । ଉଦାହରଣସ୍ୱରୂପ, ଯେଉଁସବୁ ବିଭାଗମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଅନ୍‌ଲାଇନ୍ ଟେଣ୍ଡରିଂ ଆରମ୍ଭ କରୁଛନ୍ତି, ସେଥିରେ ପକ୍ଷପାତିତା ସମ୍ପର୍କିତ ଅଭିଯୋଗ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବାର ଦେଖାଯାଇଛି ।
ମାନବ ସମ୍ବଳ ପରିଚାଳନାରେ ସ୍ୱଚ୍ଛତା ଅବଳମ୍ବନକୁ ଗୁରୁତ୍ୱ ଦିଆଯାଇ ଅନ୍‌ଲାଇନ୍ ବଦଳୀ ନୀତିର କାର୍ଯ୍ୟକାରିତା ଏବଂ ସମ୍ବେଦନଶୀଳତା ପଦବୀରେ କର୍ମଚାରୀମାନଙ୍କର ପର୍ଯ୍ୟାୟକ୍ରମିକ ପରିବର୍ତନ, ଅନୁଚିତ ଲାଭ ପ୍ରବୃତିକୁ ନିରୁତ୍ସାହିତ କରେ । କିଛି ବିଭାଗ ନ୍ୟାୟ ସଙ୍ଗତ ଓ ସ୍ୱଚ୍ଛତାର ସହ ଅନ୍‌ଲାଇନ ବଦଳୀ ପ୍ରଣାଳୀ ପରିଚାଳନା କରୁଛନ୍ତି, ଯାହାକି, ଅନ୍ୟ ବିଭାଗମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁସରଣ କରାଯିବା ଆବଶ୍ୟକ ।
ନିୟମଗୁଡ଼ିକର ସରଳୀକରଣ ଏବଂ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର, ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ ଅଧୀନରେ ନାଗରିକମାନଙ୍କୁ ମଧ୍ୟସ୍ଥି ବିନା ନିଜର ଅଧିକାରଗୁଡ଼କ ପ୍ରାପ୍ତ କରିବାରେ ସାହାଯ୍ୟ କରୁଛି । ‘ଆମ ଶାସନ’ ପରି ପ୍ରୟାସଗୁଡ଼ିକ ନାଗରିକଙ୍କୁ ସେବା ପ୍ରଦାନ ସମ୍ପର୍କରେ ସିଧାସଳଖ ମତାମତ (ଫିଡବ୍ୟାକ୍‌) ପ୍ରଦାନର ସୁଯୋଗ ପ୍ରଦାନ କରୁଛି । ଯାହାଫଳରେ ଉତର ଦାୟିତ୍ୱ ବୃଦ୍ଧି ପାଇଛି । ୱାମିସ୍ ଏବଂ ୱାର୍କ ପାସ୍ ବୁକ୍ ପରି ବ୍ୟବସ୍ଥା ନାଗରିକମାନଙ୍କୁ ନିଜ ଅଂଚଳର ପ୍ରକଳ୍ପଗୁଡ଼ିକର ଭୌତିକ ଏବଂ ଆର୍ôଥକ ପ୍ରଗତି ସମ୍ପର୍କରେ ତତ୍କାଳିକ ସୂଚନା ପ୍ରଦାନ କରୁଛି । ଯାହାଫଳରେ ଅନୀତିମୂଳକ ହସ୍ତକ୍ଷେପର ସମ୍ଭାବନା କମିଛି । ବ୍ୟବସାୟ କରିବାର ସୁବିଧା (ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍‌) ଏବଂ ‘ଜନ ବିଶ୍ୱାସ ବିଲ’ ବ୍ୟବସାୟ ସମ୍ପର୍କୀୟ ନିୟମାବଳୀର ସୁଧାର ଏବଂ ସାଧାରଣ ବା ସାମାନ୍ୟ ଉଲ୍ଳଂଘନକୁ ଅପରାଧୀକରଣରୁ ମୁକ୍ତ କରିବା ଅତିରିକ୍ତ ଇଚ୍ଛାଧୀନ କ୍ଷମତାର ବ୍ୟବହାର ଓ ଦୁର୍ନୀତିର ସୁଯୋଗକୁ କମାଇଥାଏ ।
ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆହୁଜା ଦୁର୍ନୀତି ପ୍ରତି କଡ଼ା ଆଭିମୁଖ୍ୟ ଓ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଭ୍ୟନ୍ତରୀଣ ସଚେତନତା କମିଟି (ଇଂଟରନାଲ ଭିଜିଲାନ୍ସ କମିଟି) ଗଠନ କରି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ ପୂର୍ବକ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍‌, ୱାମିସ୍‌, ଇ-ଟେଣ୍ଡରିଂ, ଇ-ପ୍ରୋକ୍ୟୁରମେଂଟ, ୱାର୍କ ପାସ ବୁକ୍‌, ଡିବିଟି ଜରିଆରେ ଅର୍ଥ ପ୍ରେରଣ ଏବଂ ଅନ୍‌ଲାଇନ୍ ମାନବ ସମ୍ବଳ ପରିଚାଳନା ବବ୍ୟସ୍ଥା ପାଇଁ ପ୍ରଯୁକ୍ତି-ଭିତିକ ସୁଧାରଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ସେଥିରେ ଅଧିକ ଉନ୍ନତି ଆଣିବା, କର୍ମଚାରୀମାନଙ୍କ ପର୍ଯ୍ୟାୟକ୍ରମିକ ପରିବର୍ତନ, ନ୍ୟାୟସଙ୍ଗତ ଓ ସ୍ୱଚ୍ଛତା ଅବଳମ୍ବନ ପୂର୍ବକ ଅନ୍‌ଲାଇନ ବ୍ୟବସ୍ଥାରେ ବଦଳି ଏବଂ କାର୍ଯ୍ୟରେ ସାଧୁତା ଅବଲମ୍ବନ ସନ୍ଦେହ ରହୁଥିବା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ (ସମ୍ବେଦନଶୀଳ) ପଦବୀରୁ ନିବୃତ ରଖବା ସହ ସ୍ୱଚ୍ଛତାର ସହ ମାନବ ସମ୍ବଳ ପରିଚାଳନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ମଧ୍ୟ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ଥିବା ସମସ୍ତ ସମୟସୀମାକୁ କାର୍ଯ୍ୟାଳୟରେ ପ୍ରଦର୍ଶନ କରିବା, ଡ୍ୟାସବୋର୍ଡ଼ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକଳାପକୁ ନିରୀକ୍ଷଣ କରି ନାଗରିକମାନଙ୍କୁ ସଶକ୍ତ କରିବା, ଦୁର୍ନୀତି ପ୍ରତି ଶୂନ ସହନଶୀଳତା (ଜିରୋ ଟଲେରାନ୍ସ) ସଂସ୍କୃତିକୁ ପ୍ରତିଷ୍ଠିତ କରିବା ପାଇଁ ସମୟ ସମୟରେ ସମୀକ୍ଷା, ବରିଷ୍ଠ ଅଧିକାରୀମାନଙ୍କ ସହିତ ଖୋଲା ଆଲୋଚନା ଏବଂ ଫିଡବ୍ୟାକ୍‌ର ସଂରଚିତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନିର୍ଦ୍ଦେଶଗୁଡ଼ିକ ସମସ୍ତ ଅଧିକାରୀଙ୍କ ନିକଟରେ ଯେପରି ନିଶ୍ଚିତ ଭାବରେ ପହଂଚିବ ଏବଂ ନିର୍ଦ୍ଦେଶିତ ଅନୁସାରେ ଏହାର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେବ, ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆହୁଜା ଗୁରୁତ୍ୱାରୋପ କରିଛିନ୍ତି । ଦୃଢ଼ ପ୍ରତିରୋଧାତ୍ମକ ସଚେତନତା ଢ଼ାଂଚା ବାସ୍ତବରେ ଏକ ଜନକୈନ୍ଦ୍ରିକ ସରକାର ପ୍ରତିଷ୍ଠାକୁ ସାକାର କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଆଶା ରଖି ଏହାକୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂର୍ପକ ଅଧିକାରୀ ପଠାଣୀ ରାଉତ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close