୪ଜଣ ଭିନ୍ନକ୍ଷମ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ
ଯାଜପୁର,31/12: ଭିନ୍ନକ୍ଷମମାନଙ୍କୁ ସଶକ୍ତୀକରଣ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବା ପାଇଁ ଆଇନ ସହ ମାନବିକତାର ମଧ୍ୟ ଆବଶ୍ୟକତା ରହିଛି । ହେଲେ ଏହି ଯୋଜନାକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କ ଆନ୍ତରିକତା, ନିଷ୍ଠା ସହ ମାନବିକତାର ଅଭାବ ପାଇଁ ଭିନ୍ନକ୍ଷମମାନେ ସଶକ୍ତ ହେଉ ନାହାନ୍ତି । ଏଥିନେଇ ସରକାର ଗୁରୁତ୍ୱର ସହ ଚିନ୍ତାକରି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ସତୀଶ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଃୁଖୀ ମଣିଷଙ୍କ ନିକଟରେ ପ୍ରଶାସନ ପହଂଚି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗଇ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି । ଭିନ୍ନକ୍ଷମମାନଙ୍କ ଠାରୁ ଦଃୁଖୀ ମଣିଷ ଆଉ କେହି ନଥାଇ ପାରେ । ଭିନ୍ନକ୍ଷମଟି ଯଦି ଗରୀବ ଲୋକ ହେଲା ତେବେ ପରିସ୍ଥିତି ଅତ୍ୟନ୍ତ ଦଃୁର୍ଭାଗ୍ୟଜନକ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ନରସିଂହପୁର ଗ୍ରାମର ଅଙ୍କିତା ରାଉତ ଜଣେ ମେଧାବୀ ଛାତ୍ରୀ । ସେ ସଂପୂର୍ଣ୍ଣ ମୁକ ଓ ବଧିର ହୋଇ ଥିବାରୁ ସଂପୂର୍ଣ୍ଣ ୧୦୦ ଭାଗ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ୮୦ ଭାଗ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଛନ୍ତି । ଏହା ସତ୍ୱେ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଭାବେ ତାଙ୍କର ନିଜ କଳେଜରେ ଯଥେଷ୍ଟ ସୁନାମ ରହିଛି । ତାଙ୍କର ବାପା ଅଜୟ କୁମାର ରାଉତ ନିଜ ଗ୍ରାମର ଜଣେ ଭଲ ମଣିଷ ଏବଂ ଗ୍ରାମର ସବୁଠାରୁ ଗରୀବ ଲୋକ ଅଟନ୍ତି । ତାଙ୍କର ଘର ଢିହ ବ୍ୟତୀତ ଅନ୍ୟ କିଛି ବି ସମ୍ପତି ନାହିଁ । ଗତ ସପ୍ତାହରେ ତାଙ୍କର ଏକମାତ୍ର ଭାଇ ରାସ୍ତା ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଛି । ଅଙ୍କିତା ଜଣେ ଭଲ ଚିତ୍ରକର ଏବଂ ବିଉଟିସିଆନ ଭାବେ ସୁନାମ ଅର୍ଜନ କରିଛନ୍ତି । ହେଲେ ଏହି ଗରୀବ ଦଃୁଖୀ ପରିବାରର ମୁକ ବଧିର ଛାତ୍ରୀ ନିଜର କଳାକୃତିର ବିକାଶ ପାଇଁ ଆବଶ୍ୟକ ସୁଯୋଗ ପାଉ ନାହାନ୍ତି । କେବଳ ଅର୍ଥାଭାବ ହିଁ ଏ କ୍ଷେତ୍ରରେ ବଡ ସମସ୍ୟା ହୋଇଛି । ଏଭଳି ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ତରଫରୁ ହେଉଥିବା ଯୋଜନା ପ୍ରକୃତ ଭିନ୍ନକ୍ଷମ ମାନଙ୍କ ନିକଟରେ ପହଂଚୁ ନାହିଁ । ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ଭିନ୍ନକ୍ଷମ ମାନଙ୍କୁ ନିଜ ଗୋଡରେ ଠିଆ ହେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି ମୁକ ବଧିର ଭିନ୍ନକ୍ଷମ ମାନେ ନିଜେ ଆତ୍ମ ନିର୍ଭରଶୀଳ ହେବା ପାଇଁ କୌଣସି ପ୍ରକାର ଆବେଦନ କରିବା ସମ୍ଭବ ନୁହେଁ । ଏପରିକି ପରିବାର ଦୁରାବସ୍ଥା ପାଇଁ ପରିବାର ଲୋକେ ମଧ୍ୟ ନିଜ ପରିବାରର ଭିନ୍ନକ୍ଷମ ମାନଙ୍କ ପାଇଁ କୌଣସି ପ୍ରକାର ଆବେଦନ କରି ପାରୁ ନାହାନ୍ତି । ଯେଉଁଥି ପାଇଁ ଅଙ୍କିତାଙ୍କ ପରି ଭିନ୍ନକ୍ଷମଙ୍କ ପ୍ରତିଭା ବିକଶିତ ହେଇ ପାରୁନାହିଁ କିମ୍ବା ଆତ୍ମ ନିର୍ଭରଶୀଳ ହୋଇ ପାରୁ ନାହାନ୍ତି । ଫଳରେ ସରକାରଙ୍କ ଭିନ୍ନକ୍ଷମ ସଶକ୍ତକରଣ ଯୋଜନା କେବଳ ପ୍ରଚାର ସର୍ବସ୍ୱ ହୋଇ ପଡୁଛି । ଏଭଳି ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାକୁ ମଧ୍ୟ କୌଣସି ଉଦ୍ୟମ ହେଉନାହିଁ । ଅଙ୍କିତାଙ୍କ ନିକଟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ପ୍ରତିନିଧି ଦଳ ପହଂଚି ତାଙ୍କୁ ସ୍ଥାନୀୟ ଅଂଚଳରେ ବିଉଟିପାର୍ଲର କରିବାକୁ ଏବଂ ଚିତ୍ରକର ଭାବେ ଆତ୍ମନିର୍ଭରଶୀଳ ହେବାକୁ ଆର୍ôଥକ ସହାୟତା, ପ୍ରୋତ୍ସାହନ କିମ୍ବା ଋଣ ପ୍ରଦାନ କରିବାକୁ ଉଦ୍ୟମ କରାଯିବାକୁ ସତୀଶ ଦାବି କରିଛନ୍ତି । ଦାରିଦ୍ର୍ୟତା ପାଇଁ ତାଙ୍କର ଆବଶ୍ୟକ ଚିକିତ୍ସା ହୋଇ ପାରି ନଥିବାରୁ ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ଉଦ୍ୟମ କରାଯାଉ । ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ପଂଚାୟତକୁ ସୁନପୁର ଗ୍ରାମର ନକୁଳ ସାମଲଙ୍କ ଝିଅ ନଳିନୀ ସାମଲ ଜଣେ ମାନସିକ ଅନଗ୍ରସର ଭାବେ ୬୭ ଭାଗ ଭିନ୍ନକ୍ଷମର ପ୍ରମାଣପତ୍ର ପାଇଛନ୍ତି । ହେଲେ ବାସ୍ତବରେ ସେ ମାନସିକ ଅନଗ୍ରସର ଏବଂ ମୁକ ଓ ବଧିର ଅଟନ୍ତି । ବଢିଲା ଝିଅଟି ବିବାହ ହୋଇ ନ ପାରିବାରୁ ବାପାମାଆଙ୍କ ଉପରେ ବୋଝ ହୋଇ ରହିଛନ୍ତି । ବାପା ନକୁ ଳ ସାମଲ ଏବେ ବୁଢା ହୋଇ ଗଲେଣି । ଏବେ ଏହି ଝିଅର ଭବିଷ୍ୟତ ନେଇ ବାପା ମୁଣ୍ଡରେ ହାତ ଦେଇ ବସିଛନ୍ତି । ତାଙ୍କୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସଗୃହ ପ୍ରଦାନ କରାଗଲେ ସେ ମୁଣ୍ଡ ଗୁଂଜିବାକୁ ଛାତଟିଏ ପାଇ ଯାଆନ୍ତେ । ହେଲେ ବାପାଙ୍କ ନାମରେ ପ୍ରାୟ ୧୫ ବର୍ଷ ପୂର୍ବରୁ ପ୍ରଦାନ କରାଯାଇ ଥିବା ଆବାସ ପାଇଁ ଏହି ଭିନ୍ନକ୍ଷମ ମଧ୍ୟ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି । ଏହି ଗାଁର ଧରଣୀଧର ଦାସଙ୍କ ଝିଅ ପାର୍ବତୀ ଦାସଙ୍କ ମଧ୍ୟ ସମାନ ଅବସ୍ଥା । ସେ ମଧ୍ୟ ମୁକ ଓ ବଧିର ଭାବେ ୭୫ ଭାଗ ଭିନ୍ନକ୍ଷମର ପ୍ରମାଣପତ୍ର ପାଇଛନ୍ତି । ଆବାସ ଯୋଜନାରେ ଗୃହଟିଏ ପାଇ ପାରୁ ନାହାନ୍ତି । କୁସୁନପୁର ଗାଁର ଅନ୍ୟ ଜଣେ ଭିନ୍ନକ୍ଷମ ଯୁବତୀ ହେଲେ ବୀଣାପାଣି ସାହୁ । ତାଙ୍କ ବାପାଙ୍କ ନାମ ଧରଣୀ ସାହୁ । ସେ ୭୫ ଭାଗ ଭିନ୍ନକ୍ଷମ । ନିଜର ଭାଇ ପାଖରେ ଗୋଟିଏ ଭଙ୍ଗା ଆଜବେଷ୍ଟସ ଘରେ ଦୟନୀୟ ଜୀବନ ବିତାଉଛନ୍ତି । ଏହି ତିନି ଭିନ୍ନକ୍ଷମଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟବିଭାଗର ଗୋଟିଏ ପ୍ରତିନିଧି ଦଳ ସେମାନଙ୍କ ନିକଟକୁ ପରିସ୍ଥିତିର ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଏହାସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କାଉନସେଲିଂ କରାଯାଇ ପ୍ରୋତ୍ସାହନ ସହ ଋଣ ପ୍ରଦାନ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସତୀଶ ତାଙ୍କର ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏଭଳି ମହିଳା ଭିନ୍ନକ୍ଷମଙ୍କ କ୍ଷେତ୍ରରେ ପ୍ରଶାସନ ମାନବିକତା ଦୃଷ୍ଟିରୁ ସେମାନଙ୍କ ମୁଣ୍ଡ ଉପରେ ଛାତଟିଏ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନକୁ ପ୍ରାଥମିକତା ଦିଆଯାଉ । ପରିବାରରେ ଲୋକ ଅନେକ କ୍ଷେତ୍ରରେ ଏମାନଙ୍କ ଭରସା ହେଉ ନ ଥିବାରୁ ପରିବାରରୁ କେହି ଆବାସ ପାଇବା କାରଣରୁ ଏମାନଙ୍କୁ ଆବାସରୁ ବଂଚିତ କରା ନ ଯିବାକୁ ସତୀଶ ଅନୁରୋଧ କରିଛନ୍ତି ।