
ପାଣିକୋଇଲି ପୂର୍ତ ବିଭାଗରେ ଏବେ ବି ଚାଲିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ରାଜ୍
ପାଣିକୋଇଲି, ୨୩/୦୭ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ) ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ ଗତ କିଛି ମାସ ମଧ୍ୟରେ ନାହିଁ ନ ଥିବା ଦୁର୍ନୀତି ସଂଗଠିତ ହୋଇଥିବା ବେଳେ ଏହା ଉପରେ ଗଣମାଧ୍ୟମରେ ଚର୍ଚ୍ଚା ଜାରୀ ରହିଛି । ପାଣିକୋଇଲି ପୂର୍ତ ବିଭାଗର ଡିଭିଜନକୁ କିଛି ଲାଂଚଖୋର ଉପରିସ୍ଥ ଅଧିକାରୀ ସୁନା ଅଣ୍ଡା ଦିଆ କୁକୁଡା ବୋଲି ଧରିନେଇ ଦୁର୍ନୀତି କରି ଫାଇଦା ମାରି ନେଉଛନ୍ତି । ସେମାନଙ୍କ ଛଡା ଅବସରପ୍ରାପ୍ତ କିଛି କିରାଣୀ ଓ ପିଅନଙ୍କ ମଧ୍ୟ ଟଙ୍କା କମାଇବା ମୋହ ଏଯାଏ ତୁଟିନି ବୋଲି କହନ୍ତି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ । ଅବସର ପରେ ମଧ୍ୟ ଉପରିସ୍ଥ ଯନ୍ତ୍ରୀଙ୍କୁ ବଶ କରି ଓ ବିଭିନ୍ନ ବାଟରେ ଆପାୟିତ କରି କେତେକ ମୁଷ୍ଟିମେୟ ଓ ଲାଂଚଖୋର କିରାଣୀ ଏବଂ ପିଅନଙ୍କ ଦବଦବା ଏବେ ବି ଏଠାରେ ଜାରୀ ରହିଛି । ଅବସର ପରେ ମଧ୍ୟ ସେମାନେ ରୀତିମତ ଅଫିସକୁ ଆସି ପୁରୁଣା କାମଦାମ କରିବା ସହ ଫାଇଲ (ନଥିପତ୍ର) ଉପରେ ଆଖି ରଖିଛନ୍ତି । ଜାଣିଶୁଣି କିଛି ଫାଇଲକୁ ଗାଏବ କରି ପୁଣି ଠିକାଦାର ଆଦିଙ୍କ ଠାରୁ ମାଲ ପାଇବା ପରେ ଫାଇଲ ଆଣି ପୁଣି ତା’ର କାମଦାମ କରି ବିଲ ପାସ କରିଦେବାର ଲୋଭ ଦେଖାଇ ଲାଂଚ ନେଉଥିବାର ଚର୍ଚ୍ଚା ହେଉଛି । ଏଣେ ବେକାର ଯୁକବ/ଯୁବତୀଙ୍କ ପାଇଁ କାମଧନ୍ଦା ପାଇବା ମୁସ୍କିଲ ହୋଇ ପଡିଥିବା ବେଳେ ଅବସର ପରେ ପେନ୍ସନ ପାଉଥିବା ଏଭଳି କର୍ମଚାରୀଙ୍କୁ ଅଫିସରେ କାମ କରିବାକୁ ଅନୁମତି ଦେବା ଘଟଣା ଏସ.ଇଙ୍କ ଭୂମିକାକୁ ନେଇ ସନ୍ଦେହ ଦେଖାଦେଇଛି । ଆଶ୍ଚର୍ଯ୍ୟର କଥା ଏହିକି, ଜନୈକ ଅବସରପ୍ରାପ୍ତ ପିଅନ ପାଣିକୋଇଲି ସେକ୍ସନରେ ଜେ.ଇ (କନିଷ୍ଠ ଯନ୍ତ୍ରୀ)ଙ୍କ ଦାୟିତ୍ୱ ତୁଲାଇ ମେଜରମେଂଟ ବୁକ୍ ଓ ବିଲ ଫର୍ମରେ ହିସାବପତ୍ର ଉଲ୍ଲେଖ କରୁଥିବାର ସଂଗୀନ ଅଭିଯୋଗ ଆସିଛି । ଏସ.ଇ କୋମଲ କୁମାର ସ୍ୱାଇଁଙ୍କ ସମୟରେ ପାଣିକୋଇଲି ଭଳି ଏକ ପ୍ରମୁଖ ଏବଂ ବୃହତ୍ ପୂର୍ତ୍ତ ବିଭାଗର ଡିଭିଜନ କାର୍ଯ୍ୟାଳୟଟି ଏବେ ଅନେକ କ୍ଷେତ୍ରରେ ଦିଗହରା ହୋଇଯାଇଥିବାର ଶ୍ରୀ ବାରିକ ଅଭିଯୋଗ କରିଛନ୍ତି । ଏମ.ବି (ମେଜରମେଂଟ ବୁକ୍)ରେ ଉଲ୍ଲେଖ ଥିବା ହସ୍ତାକ୍ଷରକୁ ଭିଜିଲାନ୍ସ ବିଭାଗ କିମ୍ବା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ତର୍ଜ୍ଜମା କଲେ ପାଣିକୋଇଲି ପୂର୍ତ୍ତ ବିଭାଗ ସେକ୍ସନରେ ଏହି ଅବସରପ୍ରାପ୍ତ ପିଅନଙ୍କ ସଂପୃକ୍ତି ଓ କାରସାଦି ଧରାପଡ଼ନ୍ତା ବୋଲି ଆଶଙ୍କା କରିଛନ୍ତି ଶ୍ରୀ ବାରିକ ।




