
ଶଶିଭୂଷଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଭୟ ସ୍ୱାଇଁଙ୍କ ପୁତ୍ର ଅର୍ଜ୍ଜୁନଙ୍କୁ ଜେଇଇ ଆଡଭାନ୍ସରେ ସର୍ବଭାରତୀୟ ୧୯୭୫ ର୍ୟାଙ୍କ
ବ୍ୟାସନଗର,୦୩/୦୬(ଉ. ନ୍ୟୁଜ୍ ବ୍ୟୁରୋ): ସଦ୍ୟ ପ୍ରକାଶିତ ଜେ.ଇ.ଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷାରେ ଯାଜପୁରରୋଡ ନିବାସୀ ତଥା ସ୍ଥାନୀୟ ଶଶିଭୂଷଣ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଭୟ କୁମାର ସ୍ୱାଇଁଙ୍କ ଜ୍ୟେଷ୍ଠ ପୁତ୍ର ଅର୍ଜ୍ଜୁନ ସ୍ୱାଇଁ ସର୍ବଭାରତୀୟ ସ୍ତରରେ ୧୯୭୫ ର୍ୟାଙ୍କ ରଖି ରେକର୍ଡ କରିଛନ୍ତି । ଆମ ସହର, ଜିଲ୍ଲା ଯାଜପୁର ଓ ଓଡ଼ିଶା ପାଇଁ ଏହା ଗୈାରବର ବିଷୟ । ସେ ଜେ.ଇ.ଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷାରେ ୯୯.୭୭% ପ୍ରତିଶତ ନମ୍ବର ରଖି ଉଦାହରଣ ରଚିଛନ୍ତି । ସେ ସ୍ଥାନୀୟ ସେଂଟ ଜାଭିର୍ୟସ ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀରେ ୯୯% ପ୍ରତିଶତରୁ ଉର୍ଦ୍ଧ, ଦ୍ୱାଦଶ ଶ୍ରେଣୀରେ ପ୍ରୟାସ ବିଦ୍ୟାମନ୍ଦିରରୁ ୯୭% ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ନିଜ ମେଧା ପ୍ରତିଭାର ପରିଚୟ ଦେଇଛନ୍ତି । ସେ ଏକ ପ୍ରତିଷ୍ଠିତ ଆଇ.ଆଇ.ଟି ସଂସ୍ଥାରେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ପଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ମାତା ଦୀପାରାଣୀ ନାୟକ ଜଣେ ଗୃହୀଣୀ । ପିତା ଶ୍ରୀ ସ୍ୱାଇଁ ଶିକ୍ଷକତା ସହ ସଂଗୀତରେ ରୁଚି ରଖିଛନ୍ତି । ଶ୍ରୀ ସ୍ୱାଇଁ ଜଣେ କଣ୍ଠଶିଳ୍ପୀ ସହ ଅରଗାନ ବାଦକ ଭାବେ ସୁପରିଚିତ । ସେ ‘ଦୁର୍ଲ୍ଲଭ କଳା ପରିଷଦ’ର ଜଣେ ପୁରୁଖା କଳାକାର ଓ ସଂଗୀତ ଗୁରୁ ମଧ୍ୟ । ତାଙ୍କ ପୁତ୍ରଙ୍କ ଏଭଳି ସଫଳତାରେ ‘ଦୁର୍ଲ୍ଲଭ କଳା ପରିଷଦ’ର ମୁଖ୍ୟ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, କଳାକାର ବସନ୍ତ କୁମାର ପାତ୍ର, ଅରୁଣ ଦାସ, ଉପଦେଷ୍ଠା ତଥା ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସମୀର କୁମାର ମିଶ୍ର, ବିଦ୍ୟୁତ୍ପ୍ରଭା ରାୟ, ସୁମିତ୍ରା ମିଶ୍ର, ସଂଗୀତ ଗୁରୁ ଅଜୟ କୁମାର ବ୍ରହ୍ମ ପ୍ରମୁଖ ଖୁସି ବ୍ୟକ୍ତ କରିବା ସହ ଅର୍ଜ୍ଜୁନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ପିଲାଟି ଦିନରୁ ‘ଉଦୟବଟ’ ଦ୍ୱାରା ଆୟୋଜିତ ବହୁ ପ୍ରତିଯୋଗିତାରେ ଅର୍ଜ୍ଜୁନ ଭାଗ ନେଇ ସେସବୁରେ କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇ ଉତ୍ସାହିତ ଥିଲେ ବୋଲି ତାଙ୍କ ପିତା ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି । ପିଲାଟି ଦିନରୁ ‘ଉଦୟବଟ’ ଦ୍ୱାରା ଆୟୋଜିତ ବହୁ ପ୍ରତିଯୋଗିତାରେ ଅର୍ଜ୍ଜୁନ ଭାଗ ନେଇ ସେସବୁରେ କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇ ଉତ୍ସାହିତ ଥିଲେ ବୋଲି ତାଙ୍କ ପିତା ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି । 




