
ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ବିସ୍ଥାପିତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ
କଳିଙ୍ଗନଗର, ଜୁନ୍ ୩, ୨୦୨୬: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନଆଇଏନଏଲ) ପକ୍ଷରୁ ମଙ୍ଗଳବାର ଦିନ ଏନଆଇଏନଏଲ ଟାଉନସିପ୍ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱି ଗ୍ରୋ’ ସହଯୋଗରେ ବିସ୍ଥାପିତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନଆଇଏନଏଲର ଏମଡି ତଥା ସିଇଓ ପଦ୍ମପାଳ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚଆରଓ) ଅନିମେଶ ସାମନ୍ତ ଏବଂ ‘ୱି ଗ୍ରୋ’ର ପ୍ରୋପ୍ରାଇଟର ତଥା ଅଭିଜ୍ଞ କ୍ୟାରିୟର କାଉନସେଲର ଡ଼ଃ ଶୁଭାଶିଷ ଜାମୁଦା ପ୍ରମୁଖ ଯୋଗଦେଇଥିଲେ। ଆଲୋଚନାଚକ୍ରରେ ପ୍ରାୟ ୪୨ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ସଠିକ୍ କ୍ୟାରିୟର ବାଛିବା ଦିଗରେ ମାର୍ଗଦର୍ଶନ କରିବା ଏବଂ ସେମାନଙ୍କ ଆଶା ଅନୁଯାୟୀ ଭବିଷ୍ୟତରେ ଉପଲବ୍ଧ ସୁଯୋଗଗୁଡ଼ିକ ସମ୍ପର୍କରେ ଅବଗତ କରାଇବା। କାର୍ଯ୍ୟକ୍ରମରେ ଅଭିଜ୍ଞ କ୍ୟାରିୟର କାଉନସେଲର ଡ଼ଃ ଶୁଭାଶିଷ ଜାମୁଦା ଦଶମ, ଦ୍ଵାଦଶ ଏବଂ ସ୍ନାତକ ଶିକ୍ଷା ପରେ କିପରି କ୍ୟାରିୟର ବାଛିବେ, ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ସେ ଆଗାମୀ ଦିନର କ୍ୟାରିୟର ସୁଯୋଗ ବିଷୟରେ ବୁଝାଇଥିଲେ। ଏଥିସହିତ, ଆଜିକାଲିର ବଦଳୁଥିବା ଚାକିରି ବଜାରରେ ସଫଳ ହେବା ପାଇଁ ନିଜର ଦକ୍ଷତା ବଢ଼ାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଏନଆଇଏନଏଲର ଏମଡି ଓ ସିଇଓ ପଦ୍ମପାଳ କହିଥିଲେ ଯେ, କ୍ୟାରିୟର ବାଛିବା ସମୟରେ ନିଜର ରୁଚି କେଉଁଥିରେ ଅଛି ତାହା ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତଭିତ୍ତିକ ଶିକ୍ଷା ଉପରେ ଧ୍ୟାନ ଦେବା, ଟେକ୍ନୋଲୋଜି ଭିତ୍ତିକ ଷ୍ଟାର୍ଟଅପ୍ରେ ସୁଯୋଗ ଖୋଜିବା ଏବଂ ମନ ଦେଇ ଶୁଣିବା ପରି ଅତ୍ୟାବଶ୍ୟକ କୌଶଳ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ସମାଜର ହିତ ପାଇଁ ଏଭଳି କାଉନସେଲିଂ କାର୍ଯ୍ୟକ୍ରମ ନିରନ୍ତର ଜାରି ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିସ୍ଥାପିତ ପରିବାରର ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ କ୍ୟାରିୟର ସ୍ୱପ୍ନକୁ ସାକାର କରିବାରେ ଏନଆଇଏନଏଲର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ।




