
ଭାରତର ଭୟାନକ ବାହାନଗା ରେଳ ଦୁର୍ଘଟଣାର ୦୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁରରୋଡ଼ ରେଳ ଷ୍ଟେସନରେ ଶ୍ରଦ୍ଧାଞ୍ଜଳି ସଭା
ବ୍ୟାସନଗର,୦୨/୦୬: ଭାରତର ସବୁଠୁ ଭୟଙ୍କର ଏବଂ ଶତାଦ୍ଦୀର ବଡ ରେଳ ଦୁର୍ଘଟଣା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଆଜକୁ ଠିକ୍ ୦୩ ବର୍ଷ ତଳେ ଅର୍ଥାତ୍ ୦୨/୦୬/୨୦୨୩ରେ ଘଟିଥିଲା । ଲୈାହ ଦାନବ ପ୍ରାୟ ୩୦୦ଜଣ ଯାତ୍ରୀଙ୍କର ଜୀବନ ନେଇଥିବା ବେଳେ ପ୍ରାୟ ୧୨ଶହରୁ ଉର୍ଦ୍ଧ ଯାତ୍ରୀ ଏଥିରେ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲା । ସ୍ଥାନୀୟ ବ୍ୟକ୍ତିଙ୍କ ଅକୁଣ୍ଠ ସହଯୋଗ, ସ୍ଥାନୀୟ ଜିଲ୍ଲା ପ୍ରଶାସନ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଠାରେ ଜୀବନହାନିର ସଂଖ୍ୟାକୁ ବହୁ ମାତ୍ରାରେ ପ୍ରଶମିତ କରାଯାଇପାରିଥିବା ବେଳେ ଆହତମାନେ ସୁସ୍ଥ ହୋଇ ପରେ ଘରକୁ ଫେରିଥିଲେ । ଆମ ଦେଶ କାହିଁକି ସମଗ୍ର ବିଶ୍ୱରେ ଏହି ତ୍ରିକୋଣୀୟ ରେଳ ଦୁର୍ଘଟଣା ଚହଳ ପକାଇଦେଇଥିବା ବେଳେ ଏବେବି ଏହି ଲୋମହର୍ଷଣକାରୀ ଦୁର୍ଘଟଣାର କରାଳ ବିଭୀଷିକା ମନରୁ ଲିଭି ନାହିଁ । ଶବ ଚିହ୍ନଟରେ ବହୁ ସମସ୍ୟା ଦେଖାଦେଇଥିଲା । ଏହି ଲୋମଟାଙ୍କୁରା ଘଟଣାଟିକୁ ୦୩ ବର୍ଷ ପୂରିଥିବା ବେଳେ ଏହି ଅବସରରେ ‘ଯାଜପୁରରୋଡ଼ ରେଳବାଇ ଡିଭିଜନ କ୍ରିୟାନୁଷ୍ଠାନ କମିଟି’ର ଆବାହକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅକାରଣରେ ପ୍ରାଣବଳୀ ଦେଇଥିବା ଯାତ୍ରୀଙ୍କ ସ୍ମରଣାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଯାଜପୁର-କେଉଁଝର ରେଳ ଷ୍ଠେସନ ଠାରେ ଆଜି ମଂଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଦୁର୍ଘଟଣା ସମୟ ସନ୍ଧ୍ୟା ଠିକ ୬ଟା ୫୫ମି. ସମୟରେ ଏଠାରେ ସମସ୍ତେ କ୍ୟାଣ୍ଡେଲ ଲଗାଇ ୦୨ ମିନିଟ ନୀରବ ପ୍ରାର୍ଥନା କରି ମୃତ୍ୟୁବରଣ କରିଥିବା ଯାତ୍ରୀ ଆଦିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଶ୍ରୀ ରାଉତ ଦୁର୍ଘଟଣାର ଭୟାବହତା ଉପରେ ସୂଚନା ଦେଇଥିବା ବେଳେ ଯାଜପୁରରୋଡ ଠାରେ ରେଳ ବିଭାଗ ଏକ ଡିଭିଜନ ପ୍ରତିଷ୍ଠା ପାଇଁ ଦାବୀ ଦୋହରାଇଥିଲେ । କାରଣ ଏଠାରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥିବା ବେଳେ ଉନ୍ନତ ଭିତିଭୂମି ରହିଛି, ଷ୍ଠେସନ ନିକଟସ୍ଥ ବ୍ୟାସ ସରୋବର ନିକଟରେ ପର୍ଯ୍ୟାପ୍ତ ସରକାରୀ ଖାଲି ଜମି ରହିଛି । ଏଥିରେ ‘ସିଟୁ’ର ଯାଜପୁର ଜିଲ୍ଲା ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ ଯୋଗ ଦେଇ ମୃତାହତ ଯାତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଯାଜପୁରରୋଡ ଠାରେ ରେଳ ଡିଭିଜନ ପ୍ରତିଷ୍ଠା, ରେଳବାଇରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯାଜପୁର-କେଉଁଝରରୋଡ ରେଳ ଷ୍ଟେସନରେ ସମସ୍ତ ଟ୍ରେନର ରହଣି ପାଇଁ ତୁରନ୍ତ ପଦକ୍ଷେପ ନେବା, ରେଳବାଇରେ ଘରୋଇକରଣକୁ ବନ୍ଦ କରିବାକୁ କହିଥିଲେ । ଜିଲ୍ଲାର ବରିଷ୍ଠ ଶ୍ରମିକ ନେତା ପରମାନନ୍ଦ ସେଠୀ ବାଣିଜ୍ୟିକ ଓ ଭିତ୍ତିଭୂମି ଦୃଷ୍ଟିରୁ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା ଦାବୀକୁ ସମର୍ଥନ କରିବା ସହ ଆଗାମୀ ଦିନରେ ଏହି ସମୂହ ଦାବୀ ପୂରଣ ଦିଗରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଥିଲେ, ଖୋର୍ଦ୍ଧାରୋଡ ରେଳ ଡିଭିଜନରେ ଯାଜପୁର ଏମ.ପିଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ସାମଲ ମୃତ ଯାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଷ୍ଟେସନର ଉନ୍ନତିକରଣ ପାଇଁ ମିଳିତ ପ୍ରଚେଷ୍ଟା ଆବଶ୍ୟକ ବୋଲଇ କହିଥିଲେ । କୋରେଇ ବିଧାୟକ ପ୍ରାର୍ଥୀ ତଥା ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ବାରିକ ରେଳ ବିଭାଗର ଉଦାସୀନତା ପାଇଁ ଯାଜପୁରରୋଡ ଠାରେ ଡିଭିଜନ ପ୍ରତିଷ୍ଠା ଆଶା ମଉଳି ଯାଉଛି ବୋଲି କହିବା ସହ ରେଳ ବିଭାଗରେ ଏବେ ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଯାଜପୁର ଜିଲ୍ଲା ବଜରଂଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର ଷ୍ଟେସନର ଉନ୍ନତି ପାଇଁ ସମସ୍ତେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସଂଗେ ସଂଗେ ରେଳ ଡିଭିଜନ ପ୍ରତିଷ୍ଠାର ଯର୍ଥାତତା ଉପରେ ଆଲୋକପାତ କରିଥିଲେ । ବରୀ ବିଧାୟକ ପ୍ରାର୍ଥୀ ପୁଲିନ୍ ବିହାରୀ ଖୁଂଟିଆ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ରେଳଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବୀ କରିଥିଲେ । ଏଥିରେ ଯୁବନେତା ଅସିତ୍ ଦାସ, ସମାଜସେବୀ ଆଶିଷ କୁମାର ରଥ, ସମୀର କୁମାର ମିଶ୍ର, ଶ୍ୟାମ ଅଗ୍ରୱାଲ, ଡ଼ା. ବିଭାସ କର୍ମକାର, ଅଭିମନ୍ୟୁ ବିଶ୍ୱାଳ, ଜହ୍ନାର ପୂର୍ବତନ ସମିତି ସଭ୍ୟ କ୍ଷୀରୋଦ କୁମାର ଦାସ, ବିଜେପି ନେତା ସରୋଜ ଦେଓ, ରଶ୍ମିରଂଜନ ଓଝା, ଅଭିମନ୍ୟୁ ପାତ୍ର ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ସମସ୍ତେ କ୍ୟାଣ୍ଡେଲ ଲଗାଇ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ସମସ୍ତ ଯାତ୍ରୀ ଆଦିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସ୍ଥାନୀୟ ଆର.ପି.ଏଫ ଅଧିକାରୀ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସହଯୋଗ କରିଥିଲେ । ଶ୍ରମିକ ନେତା ଅରୁଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





