
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ
କଟକ,(ସଙ୍ଗୀତା ମହାପାତ୍ରଙ୍କ ଠାରୁ) ୧ ଜୁନ ୨୦୨୬: ଜିଲ୍ଲାର ଅରିଲୋ ସ୍ଥିତ ଓମଫେଡ଼ ଡାଏରୀ ଠାରେ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ବିଶ୍ଵ ଦୁଗ୍ଧ ଦିବସ (World Milk Day)କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଉପସ୍ଥିତ ଗୋପାଳକ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାର ଲକ୍ଷ୍ୟ ରଖି ରାଜ୍ୟ ସରକାର ନୂତନ ଭାବେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହି ଯୁଗାନ୍ତକାରୀ ଯୋଜନାରେ ଗାଈ ଓ ମଇଁଷି ପାଳନ ପାଇଁ ୭୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବିଗତ ଦୁଇ ବର୍ଷରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଗୋପାଳକ ୩୨୬ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି । ଏହି କାମଧେନୁ ଯୋଜନା ଅଧିନରେ ମଇଁଷି-ଉଦ୍ୟୋଗ-ବିକାଶ-ଯୋଜନା, ଗୋପାଳନ ଯୋଜନା, ମାଈ ବାଛୁରୀ ପାଳନ ଯୋଜନା, ଗୋସମ୍ପଦ-ବୀମା-ଯୋଜନା, ଗୋପାଳକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ, ଘାସଚାଷ ପାଇଁ ପ୍ରୋତ୍ସାହନ ପରି ଅନେକ ଉପାଦାନ ଅନ୍ତର୍ଭୁକ୍ତ । ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ୪ ଲକ୍ଷ ୧୬ ହଜାରରୁ ଅଧିକ ଗୋପାଳକ ଉପକୃତ ହୋଇଛନ୍ତି। ୩୨୬ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ବାହାରୁ ୨୪ ହଜାରରୁ ଅଧିକ ଉଚ୍ଚ ଉତ୍ପାଦନକ୍ଷମ ଗାଈ ଅଣାଯାଇଛି, ଯାହା ଫଳରେ ପ୍ରତିଦିନ ପ୍ରାୟ ୨ ଲକ୍ଷ ୨୪ ହଜାର ଲିଟର ଅତିରିକ୍ତ ଦୁଗ୍ଧ ଉତ୍ପାଦନ ସମ୍ଭବ ହୋଇପାରିଛି । ଗାଈଗୋରୁଙ୍କ ସୁରକ୍ଷା ସହ ପରିଚାଳନା ଓ ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି-ଲକ୍ଷ୍ୟରେ ନୂତନଭାବେ ଆମ ସରକାର ‘ଗୋମାତା’ ଯୋଜନା ପ୍ରଣୟନ କରିଛନ୍ତି । ୩୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ଏହି ଯୋଜନାରେ ଗୋରୁଗାଈଙ୍କ ଟିକାକରଣ, ରୋଗ ନିୟନ୍ତ୍ରଣ ଓ ଚିକିତ୍ସା ସେବା ଉପରେ ଧ୍ୟାନ ଦିଆଯାଉଛି । ପ୍ରାଣିକଲ୍ୟାଣ ପ୍ରତି ରାଜ୍ୟ ସରକାର ସର୍ବଦା ସମ୍ବେଦନଶୀଳ । ସହାନୁଭୂତି, ସଂବେଦନଶୀଳତା ଓ ପର୍ୟ୍ୟାବରଣସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ୟୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି । ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ । ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ମାଧ୍ୟମରେ ଗୋ-ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସ୍ଥାୟୀ-ପୁଞ୍ଜି-ନିବେଶର ୪୦ ରୁ ୫୦ ପ୍ରତିଶତ ଏବଂ ସର୍ବାଧିକ ଏକ କୋଟି ପର୍ୟ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହା ସହ ରାଜ୍ୟ ବାହାରୁ ଗାଈ ଆଣି ଉଦ୍ୟୋଗ ପ୍ରତିଷ୍ଠା କଲେ; ପ୍ରତି ଗାଈର ମୂଲ୍ୟ ବାବଦକୁ ଅଧିକ ୧୫ ପ୍ରତିଶତ ରିହାତି ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଓମଫେଡ଼ର ଦୈନିକ ଦୁଗ୍ଧ ସଂଗ୍ରହ ଆର୍ଥିକ ବର୍ଷ ୨୦୨୫-୨୬ ରେ ଦୈନିକ ପ୍ରାୟ ୬% ହାରରେ ବୃଦ୍ଧି ପାଇଛି । ବର୍ତ୍ତମାନ ୪୪୫୫ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ପ୍ରାୟ ଦୈନିକ ୬ ଲକ୍ଷ ୭୦ ହଜାର ଲିଟର ଦୁଗ୍ଧ ଗୋପାଳକ ମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ଦୁଗ୍ଧ ସଂଘ ମାନେ କିପରି ଅଧିକରୁ ଅଧିକ ସମବାୟ ସମିତି ଗଠନ କରି ଅଧିକ ଦୁଗ୍ଧ ସଂଗ୍ରହ କରି ଲାଭବାନ ହେବେ ସେଥି ପ୍ରତି ଗୁରୁତ୍ବାରୋପ କରାଯାଇଛି । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମାର୍କେଟିଂ ୪% ହାରରେ ବୃଦ୍ଧି ପାଇଛି । ସେହିପରି ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ମାର୍କେଟିଙ୍ଗ ବୃଦ୍ଧି କରାଯିବା ସହ ବଜାରରେ ନୂତନ ମିଲ୍କ ପ୍ରଡକ୍ଟ ଯଥା ବାଲଟି ଦହି, UHT ଲସି ,UHT ବଟର ମିଲ୍କ , UHT ଚକୋଲଟେ ସେକ୍, A2 Milk, A2 ଘିଅ ଆଦି ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଅଛି । ଆଗାମୀ ଦିନରେ ନୂତନ ପ୍ରକଳ୍ପ ଯଥା ସୋଲାର ପ୍ଳାଣ୍ଟ, ମିଲ୍କ ପାଉଡର ପ୍ଳାଣ୍ଟ ଆଦି ସ୍ଥାପନ କରାଯିବାକୁ ପ୍ରସ୍ତାବ ଅଛି । ଆଗାମୀ ଦିନରେ ଓମଫେଡ଼ ଗୋଖାଦ୍ୟକୁ ଅଧିକରୁ ଅଧିକ ଚାଷୀ ମାନଙ୍କ ପାଖକୁ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ । ଏଥି ସହ ସବୁ ସ୍ତରରେ କିପରି ସ୍ବଚ୍ଛତା ଅବଲମ୍ବନ କରାଯିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । ଏହି କାର୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବ , ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଓମଫେଡ଼ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ପ୍ରେମ କୁମାର ଚୌଧୁରୀ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମଞ୍ଚରେ ଉପସ୍ଥିତ ଥିଲେ । ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୋପାଳକ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଦୁଗ୍ଧ ଚାଷୀ ଙ୍କୁ କାର୍ୟ୍ୟାନ୍ଵୟନ ବଣ୍ଟନ କରାଯାଇଥିଲା ।






