
ଯାଜପୁର ଜିିଲ୍ଲା ଶ୍ରମ କାର୍ଯ୍ୟାଳୟର ଶିଥିଳତାକୁ ନେଇ ମିଳିତ ଶ୍ରମିକ ମଂଚ ବୈଠକରେ ଅସନ୍ତୋଷ
ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ ଅର୍ନ୍ତଗତ ଲକ୍ଷ୍ମୀନଗର ସ୍ଥିତ କମ୍ୟୁନିଟ୍ ସେଂଟର ଠାରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ମିଳିତ ଶ୍ରମିକ ମଂଚର ଏକ ଏକ ଜରୁରୀ ବୈଠକ ବରିଷ୍ଠ ଶ୍ରମିକ ନେତା ତଥା ଗ୍ରାମାଂଚଳ ଶ୍ରମିକ ସଂଘର ସଭାପତି ରବୀନ୍ଦ୍ର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଆବାହକ ତଥା ବରିଷ୍ଠ ଶ୍ରମିକ ନେତା ପରମାନନ୍ଦ ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ମଂଚର ବିଭିନ୍ନ କାର୍ଯ୍ୟକ୍ରମ ସଂର୍ପକରେ ଆଲୋଚନା କରିଥିଲେ । ସ୍ଥାନୀୟ ଯୁଗ୍ମ ଶ୍ରମ କାର୍ଯ୍ୟାଳୟରେ ଉପୁଜିଥିବା ବିଭିନ୍ନ ସମସ୍ୟା ସହ ଏହି କାର୍ଯ୍ୟାଳୟରୁ ଅଚାନକ ୦୨ ଜଣ ଠିକା କର୍ମଚାରୀଙ୍କୁ ଅପସାରଣ କରାଯିବା ଉପରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଓ ସମସ୍ତେ ଏହାକୁ ସମର୍ଥନ କରିଥିଲେ । ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ ଦିନ ଧରି ଠିକା କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ଡାଟା ଏଂଟ୍ରି ଅପରେଟରମାନଙ୍କୁ ସାରା ରାଜ୍ୟ ୦୧ ଏପ୍ରିଲ, ୨୦୨୬ ଠାରୁ କାର୍ଯ୍ୟ ବନ୍ଦ କରିଦେବା ଫଳରେ ଶ୍ରମ କାର୍ଯ୍ୟାଳୟରେ ଏବେ ନାହିଁ ନ ଥିବା ସମସ୍ୟା ଦେଖାଦେଇଛି । ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ସେ ଦାବୀ କରିଥିଲେ । ଏଥିରେ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ସଂଘବଦ୍ଧ ଏକତା ବଜାୟ ରଖିବା ସହ ବିଧିବ୍ୟବସ୍ଥା ମାଧ୍ୟମରେ ଶ୍ରମିକମାନଙ୍କ ସ୍ୱାର୍ଥସାଧନ ନିମନ୍ତେ ଐକ୍ୟବଦ୍ଧ ଭାବେ କାର୍ଯ୍ୟକରିବାକୁ ନିବେଦନ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ନିର୍ମାଣ ଶ୍ରମିକ ସଂଗଠନର ବହୁ ସଭାପତି ଓ ସଂପାଦକ ଆଦିମାନେ ଯୋଗ ଦେଇ ସ୍ଥାନୀୟ ଯାଜପୁରରୋଡ ଶ୍ରମ କାର୍ଯ୍ୟାଳୟରେ ଓଡ଼ିଶା କୋଠାବାଡି ତଥା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ସହାୟତା ରାଶି ପ୍ରଦାନରେ ହେଉଥିବା ବିଳମ୍ବତା ଉପରେ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଉପରେ ମତପ୍ରକାଶ କରିଥିଲେ । ଏଥିରେ ଶ୍ରମିକ ନେତା ପ୍ରମୋଦ ସାମଲ, ମନୋରଂଜନ ସାହୁ, କୃଷ୍ଣଚନ୍ଦ୍ର ବେହେରା, ଲୋକନାଥ ପଲେଇ, ଶରତ ଚନ୍ଦ୍ର ରାଉତ, ପାକିଜା ବେଗମ୍, ରୁନୁ ଲାଲା, ରଜନୀକାନ୍ତ ଦାସ, ଅରୁଣ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ପରେ ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ରଙ୍କ ସହ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ଶ୍ରୀ ମିଶ୍ର ଏସବୁର ସମାଧାନ ଦିଗରେ ଯତ୍ନଶୀଳ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।




