
ନାହିଁ ନାହିଁରେ ଚାଲିଛି ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବ ସହ ଆମ୍ବୁଲାନ୍ସ ସେବାରୁ ବଂଚିତ ଅଂଚଳବାସୀ
ଯଖପୁରା,(ଉ. ନ୍ୟୁଜ୍ ବ୍ୟୁରୋ): କଳିଙ୍ଗନଗର ଶିଳ୍ପାଂଚଳ ଓଡ଼ିଶାର ଅର୍ଥନୀତିର ଏକ ବଡ଼ ସ୍ତମ୍ଭ । ବଡ଼ ବଡ଼ କଳାକାରଖାନାରୁ ବାହାରୁଥିବା ଚିମିନିରୁ ବାହାରୁଥିବା ଧୂଆଁ ଯେପରି ବିକାଶର ସଙ୍କେତ ଦିଏ, ଠିକ୍ ସେହିପରି ଏହି ଅଂଚଳରେ ରହୁଥିବା ସାଧାରଣ ମଣିଷର ଜୀବନ ହେଉଛି ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ । ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୁର୍ଦର୍ଶା ସ୍ଥାନୀୟ ଜନସାଧାରଣଙ୍କୁ ଚରମ ନିରାଶ ଓ କ୍ଷୋଭ ଆଡ଼କୁ ଠେଲି ଦେଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଜି ସ୍ୱାସ୍ଥ୍ୟସେବାର ପରିତ୍ୟକ୍ତ କୋଠାଭଳି ଦିଶୁଛି । ଯଖପୁରା ବଡ଼ ପଂଚାୟତ ଓ ଜନବହୁଳ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ସ୍ୱାସ୍ଥ୍ୟସେବା ନାମକୁ ମାତ୍ର । କେବଳ ଡାକ୍ତର ନୁହନ୍ତି ଏଠାରେ ଜରୁରୀକାଳୀନ ସେବା ପାଇଁ ଏକ ଆମ୍ବୁଲାନ୍ସ ମଧ୍ୟ ନାହିଁ । ଫଳ ସ୍ୱରୂପ ଦୁର୍ଘଟଣା ଗ୍ରସ୍ତ ରୋଗୀ ହୁଅନ୍ତୁ କିମ୍ବା ଗୂରୂତର ଅସୁସ୍ଥ ବ୍ୟକ୍ତି ସମସ୍ତଙ୍କୁ ଭଗବାନଙ୍କ ଭରସାରେ ଛାଡ଼ି ଦିଆଯାଉଛି । ଯଖପୁରା ପାଶ୍ୱର୍ର୍ରେ ଭିସା ଷ୍ଟିଲ, ଜେଏସ୍ଡବ୍ଲ୍ୟୁ, ଜିନ୍ଦଲ, ଜେଜେ ଇସ୍ପାତ, ଇମ୍ଫା, ଭିସିଆଇ କେମିକାଲ୍ସ, ସନବିରା ଏବଂ ସାଇଜର ଭଳି ବହୁ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ରହିଛି । ଏହି କମ୍ପାନୀଗୁଡ଼ିକ ଉପରେ ନିର୍ଭର କରି ହଜାର ହଜାର ଶ୍ରମିକ ଓ ଭଡ଼ାଟିଆ ଏଠାରେ ବସବାସ କରନ୍ତି । କିନ୍ତୁ ଏହି କମ୍ପାନୀଗୁଡ଼ିକର ବିକାଶ ମଧ୍ୟରେ ସାଧାରଣ ମଣିଷର ଜୀବନ ସୁରକ୍ଷା କେଉଁଠି ? ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏହି ଅପାରଗତାକୁ ନେଇ ସ୍ଥାନୀୟ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ପଟେ ଦେଶ ଗଢ଼ିବାରେ ଅଂଚଳର ଅବଦାନ ଯଥେଷ୍ଟ । ଅନ୍ୟପଟେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଅବହେଳା । ଜଣେ ଗର୍ଭବତୀ ମହିଳା ହୁଅନ୍ତୁ ଅବା ଦୁର୍ଘଟଣାରେ ପଡ଼ିଥିବା ବ୍ୟକ୍ତି ମୃତ୍ୟୁକୁ ଆଲିଙ୍ଗନ କରବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ । ଆମ୍ବୁଲାନ୍ସର ଅଭାବ ଯୋଗୁଁ ଅନେକ ରୋଗୀ ବାଟରେ ହିଁ ମୃତ୍ୟୁବରଣ କରୁଛନ୍ତି । ଯଖପୁରାବାସୀଙ୍କ ଧୈର୍ଯ୍ୟର ବନ୍ଧ ଏବେ ଭାଙ୍ଗିବାରେ ଲାଗିଛି । ସରକାରୀ ସ୍ତରରେ ଏହି ସମସ୍ୟାର ସମାଧାନ ପାଇଁ ଅଂଚଳବାସୀଙ୍କ ଦାବି ଗୁଡ଼ିକ ତୁରନ୍ତ ପୂରଣ କରାଯିବାକୁ ଦାବି ହେଉଛି । ନିୟମିତ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଜାରି ରଖିବା, ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଂଟିଆ ଡାକ୍ତର ଓ ସ୍ୱାସ୍ଥକର୍ମୀ ଓ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯେଗାଇ ଦେବାକୁ ଦାବି ହେଉଛି । ଏହାପ୍ରତି ଶିଳ୍ପ ସଂସ୍ଥାଙ୍କ ଉତରଦାୟିତ୍ୱ ରଖି ସିଏସ୍ଆର୍ ପାଣ୍ଠି ମାଧ୍ୟମରେ ମେଡିକାଲକୁ ସୁସଜ୍ଜିତ କରିବା ପାଇଁ ଶିଳ୍ପ ସଂସ୍ଥାମାନଙ୍କୁ ସରକାର ନିର୍ଦ୍ଦେଶ ଦେଇ ଯଖପୁରାବାସୀ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହେଉଛି । ନହେଲେ ଆଗାମୀ ଦିନରେ ଏହି ଅବହେଲା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ଯଖପୁରାର ଏହି ସ୍ୱାସ୍ଥ୍ର୍ୟ ସଙ୍କଟ ପ୍ରତି ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।





