
ମୁଖ୍ୟମନ୍ତ୍ରୀ ଟ୍ରଫି- ୨.୦ ର ଦ୍ଵିତୀୟ ଦିବସରେ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ
କଟକ,(ସଙ୍ଗୀତା ମହାପାତ୍ରଙ୍କ ଠାରୁ)୬.୦୬ – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡ଼ି ଚାମ୍ପିୟନସିପ୍ –୨୦୨୬ ଅନ୍ତର୍ଗତ ଜୋନ୍–୨ (କଟକ) ପ୍ରତିଯୋଗିତାର ଦ୍ୱିତୀୟ ଦିବସ ମ୍ୟାଚ୍ଗୁଡ଼ିକ କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ଠାରେ ଅତ୍ୟନ୍ତ ରୋମାଞ୍ଚକର ପରିବେଶରେ ଅନୁଷ୍ଠିତ ହୋଇଛି । ୦୫ ଜୁନରୁ ୦୭ ଜୁନ ପର୍ୟ୍ୟନ୍ତ ଚାଲିଥିବା ଏହି ଚାମ୍ପିୟନସିପ୍ ରେ ବିଭିନ୍ନ ଜିଲ୍ଲାର ପ୍ରତିଭାଶାଳୀ ଖେଳାଳିମାନେ ନିଜ ଦକ୍ଷତାର ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି । ବାଳକ ବର୍ଗର ପୁରୀ ଦଳ ୫୨–୩୬ ପଏଣ୍ଟରେ ଯାଜପୁରକୁ ପରାସ୍ତ କରି ୧୬ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ କରିଛି । ଅନ୍ୟ ଏକ ମ୍ୟାଚ୍ରେ କଟକ ଦଳ ୫୧–୪୦ ପଏଣ୍ଟରେ ଭଦ୍ରକକୁ ପରାସ୍ତ କରି ୧୧ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇଛି । ସେହିପରି ଜଗତସିଂହପୁର ଦଳ ୫୦–୩୭ ପଏଣ୍ଟରେ ଖୋର୍ଦ୍ଧାକୁ ପରାସ୍ତ କରି ୧୩ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ କରିଛି । ଅନ୍ୟପକ୍ଷେ ବାଳିକା ବର୍ଗରେ ଜଗତସିଂହପୁର ଦଳ ୬୧–୪୨ ପଏଣ୍ଟରେ ଖୋର୍ଦ୍ଧାକୁ ପରାସ୍ତ କରି ୧୯ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇଛି । କଟକ ଦଳ ୪୪–୧୬ ପଏଣ୍ଟରେ କେନ୍ଦ୍ରାପଡ଼ାକୁ ପରାସ୍ତ କରି ୨୮ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ କରିଛି । ପୁରୀ ଦଳ ୫୩–୩୨ ପଏଣ୍ଟରେ ଯାଜପୁରକୁ ପରାସ୍ତ କରି ୨୧ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କଟକ ଦଳ ୪୭–୧୨ ପଏଣ୍ଟରେ ଭଦ୍ରକକୁ ପରାସ୍ତ କରି ୩୫ ପଏଣ୍ଟ ବ୍ୟବଧାନରେ ଚମତ୍କାର ବିଜୟ ହାସଲ କରିଛି । ପ୍ରତିଯୋଗିତାର ପର୍ୟ୍ୟବେକ୍ଷକ ଭାବେ ଓଡ଼ିଶା କବାଡ଼ି ଆସୋସିଏସନ୍ର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଜୟଶ୍ରୀ ସ୍ୱାଇଁ ଏବଂ ଚୟନ ସମିତିର ଅଧ୍ୟକ୍ଷ ଶ୍ରୀ ଶୁଭ୍ରାଂଶୁ ଶେଖର ବେହେରା ପ୍ରତିଯୋଗିତାର ସୁପରିଚାଳନା ଓ ତଦାରଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଜିର କାର୍ୟ୍ୟକ୍ରମରେ ଓଡ଼ିଶା କବାଡ଼ି ଆସୋସିଏସନ୍ର ଉପସଭାପତି ଶ୍ରୀ ପୃଥ୍ୱୀରାଜ ପଟ୍ଟନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରିବା ସହ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିଥିଲେ । ଆସନ୍ତା ୦୭ ଜୁନ ୨୦୨୬ ତାରିଖରେ ଜୋନ୍–୨ର ଫାଇନାଲ୍ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ। ଏହାକୁ ନେଇ କ୍ରୀଡ଼ାପ୍ରେମୀ, କବାଡ଼ି ଅନୁରାଗୀ ଓ ସାଧାରଣ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହେଉଛି ।




