
‘ଉଦୟବଟ’ ତରଫରୁ ୫୪ତମ ବିଶ୍ୱ ପରିବେଶ ଦିବସ ପାଳିତ
ବ୍ୟାସନଗର,୦୫/୦୬: ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଶୁକ୍ରବାର ଅପରାହ୍ନରେ ‘ଉଦୟବଟ’ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଟ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଟିତ ଆଲୋଚନାଚକ୍ରରେ ଯୋଗ ଦେଇଥିବା ପରିବେଶପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁରରୋଡ଼ ବନ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ଏସ୍.ଡି.ଏମ୍. ବିନୋଦ ବିହାରୀ ଜେନା, ମୁଖ୍ୟ ବକ୍ତା ଭାବେ ଟୋଲକାନିସ୍ଥିତ ଝାଡେଶ୍ୱର ମହା ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କ୍ରୋମନଗର ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ବରିଷ୍ଠ ଶ୍ରମିକ ନେତା ପରମାନନ୍ଦ ସେଠୀ, କୋରେଇ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରମିକ ନେତା ଅରୁଣ ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଉଦୟବଟର କାର୍ଯ୍ୟନିର୍ବାହୀ ସମ୍ପାଦିକା ବିଦ୍ୟୁତତ୍ପ୍ରଭା ରାୟ ଅତିଥବ ପରିଚୟ ପ୍ରଦାନ କରିଥିଲେ । ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଠ ଆମ ଦେଶରେ ପରିବେଶ ସମସ୍ୟା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପର୍ଯ୍ୟାପ୍ତ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଛି । ଅତିଥିଭାବେ ପର୍ଯ୍ୟାପ୍ତ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଉତାପ ନିୟନ୍ତ୍ରଣ, ବୃଷ୍ଟିର ନିୟନ୍ତ୍ରଣ, ମାଟିର ଜଳ ଧାରଣ କ୍ଷମତା ବୃଦ୍ଧି, ଔଷଧ ତିଆରି, ଅମ୍ଳଜାନ ପ୍ରଦାନ, ଅଙ୍ଗାରକାମ୍ଳର ହ୍ରାସ, ପଣୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳ, ରାସ୍ତା ପାଶ୍ୱର୍ରେ ଛାୟା ପ୍ରଦାନ ଆଦି ବିବିଧ କ୍ଷେତ୍ରରେ ବୃକ୍ଷ ସହଯୋଗ କରିଥାଏ ବୋଲି ଅତିଥିମାନେ ନାନା ଉପାୟରେ ଲୋକମାନଙ୍କୁ ବୁଝାଇ ପର୍ଯ୍ୟପ୍ତ ପରିମାଣରେ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜଣେ ମେଧାବୀ ଛାତ୍ର ଅର୍ଜୁନ ସ୍ୱାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସମାଜସେବୀ ସମୀର କୁମାର ମିଶ୍ର, ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର, ଅଭିମନ୍ୟୁ ବିଶ୍ୱାଳ, ଅଭୟ ସ୍ୱାଇଁ, ହରଦୟାଲ ସିଂହ, ଗୋଲାପ ମଲ୍ଲିକ, ଭାରତୀ ବେହେରା, ଆରତୀ ବାରିକ, କେତକୀ ବାରିକ, ପ୍ରଫୁଲ୍ଲ ବାରିକ, ଭାରତ ଭୂଷଣ ରାଉତ, ଭାରତୀ ବିଶ୍ୱାଳ, ତିଳୋତମା ମହାନ୍ତି, ନରହରି ବେହେରା, କାଳନ୍ଦି ବାରିକ, କାଂଚନ ନାୟକ, ସୁଜାତା ଜେନା, ନିକତା ବାରିକ, ରିସା ପିଙ୍ଗୁଆ, ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରମୁଖ ଯୋଗ ଦେଇ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ହୋଇଥିବା ବେଳେ ପଲିଥିନର ବର୍ଜ୍ଜନ ସର୍ବାଗ୍ରେ ଆବଶ୍ୟକ ବୋଲି କହିଥିଲେ । ସଭାର ସଭାପତି ଶ୍ରୀ ରାଉତ ପ୍ରକୃତିମାତାର ଉପଯୁକ୍ତ ସୁରକ୍ଷା, ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ, ବଚିଂଥିବା ବୃକ୍ଷରାଜିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ କୈାଣସି ଗୋଟିଏ ଅନୁଷ୍ଠାନ ନୁହେଁ ବରଂ ସମସ୍ତ ଜନସାଧାରଣଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ରାଜ୍ୟରେ କାଳକ୍ରମେ ଜଂଗଲର ପରିମାଣ ୩୩%ରୁ ଖସି ଖସି ଆସି ୨୧% ପ୍ରତିଶତରେ ପହଚିଂଥିବାରୁ ସେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ଅଧିକ ସଂଖ୍ୟକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଯଥା: ନିମ୍ବ, କରଂଜ, ଅଶ୍ୱତ୍ଥ, ବର, ତୁଳସୀ ଆଦି ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ । ବୃକ୍ଷ ଏକାଧାରାରେ ପରିବେଶ ସନ୍ତୁଳନରେ, ଖାଦ୍ୟ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସନ୍ତୁଳନ କରିବା ଆଦି ବହୁ ଉପଯୋଗୀ କାର୍ଯ୍ୟରେ ସହାୟକ ହୋଇ ଚାଲିଛି । ଚାରିଆଡେ କଂକ୍ରିଟକରଣ ହେଉଥିବାରୁ, କଳ କାରଖାନାର ଧୂଳି ଧୂଆଁ, ଗାଡି ଘୋଡାର ବହୁଳ ବ୍ୟବହାର ଯୋଗୁ ଆଜି ବିଶ୍ୱର ତାପମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇ ଚାଲିଥିବାରୁ ଉଦ୍ବେଗ ପ୍ରକାଶ କରି ସେ ପରିବେଶର ସନ୍ତୁଳନ ଉପରେ ସମସ୍ତେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ସମସ୍ତେ ପ୍ରକୃତିକୁ ଭଲ ପାଇବା ସହ ଆନ୍ତରିକତାର ସହ ଏହାର ସୁରକ୍ଷା ପାଇଁ ଯତ୍ନଶୀଳ ଉଦ୍ୟମ ନ କଲେ ମନୁଷ୍ୟ ସମାଜ ପାଇଁ ପ୍ରକୃତି ଦାରୁଣ ହେବ ବୋଲି ବକ୍ତାମାନେ ଆଶଙ୍କା କରିଥିଲେ । ଶେଷରେ ଯୁବ ସମାଜସେବୀ ଅନୁପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।







