ନିସନ୍ତାନ ଦମ୍ପତି ଆଇନ୍ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

ଯାଜପୁର, ୨୦.୧୧: ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବଶତଃ କେହି ସନ୍ତାନ ଦାନ କରିବା ହେଉ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବା ହେଉ ଏଥି ନେଇ ସରକାରୀ ନିୟମ କାନୁନ ରହିଛି । ଏହାର ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲିକ ସତର୍କ କରାଇ ଦେଇଛନ୍ତି । ଆଜି ଶୁକ୍ରବାର ପୁର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ରଥକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସମଗ୍ର ଜିଲା ପରିକ୍ରମା କରିବାକୁ ଥିବା ଏହି ରଥକୁ ଉଦ୍ଘାଟନ କରି ଶ୍ରୀ ମଲ୍ଲିକ ପୋଷ୍ୟ ସନ୍ତାନ ବେଆଇନ୍ ଭାବେ ଗ୍ରହଣ କରିବା ଏକ ଅପରାଧ ବୋଲି କହିଥିଲେ । ପିତୃ ମାତୃହୀନ, ଅବହେଳିତ ଓ ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ବିଭିନ୍ନ ଶିଶୁ ଯତ୍ନ ଗୃହରେ ରଖାଯିବାର ବ୍ୟବସ୍ଥା ହୋଇଥାଏ । ପରେ ସେମାନଙ୍କୁ ଆମଇନ୍ଗତ ଭାବେ ଆଗ୍ରହୀ ନିସନ୍ତାନ ଦମ୍ପତିଙ୍କୁ ପ୍ରଦାନ କରାଯାଇଥାଏ । ଆଗ୍ରହୀ ଦମ୍ପତି ଅନ୍ଲାଇନ୍ ମାଧ୍ୟମରେ ପଂଜିକୃତ କରାଇ ଆଇନ୍ ଅଦାଲତଙ୍କ ଦ୍ୱାରା ସ୍ୱିକୃତି ପ୍ରାପ୍ତ ହେଲେ ନିର୍ଦ୍ଧାରିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୁଚନା ଦେଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛୁକ ବ୍ୟକ୍ତିମାନେ ସେମାନଙ୍କ ନାମ ଅନ୍ଲାଇନ୍ ମାଧ୍ୟମରେ ଡ଼ବ୍ଲୁ.ଡ଼ବ୍ଲୁ.ଡ଼ବ୍ଲୁ.ସିଏଆରଏ.ଏନ୍ଆଇସି.ଇନରେ ପଂଜିକୃତ କରାଇ ପାରିବେ ବୋଲି କହିଥିଲେ । ୨୦୧୭ ନଭେମ୍ବର ମାସ ଠାରୁ ଯାଜପୁର ସହରର ବାଳାଶ୍ରମ ଠାରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଲା ପରେ ବର୍ତମାନ ସୁଦ୍ଧା ୪୧ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ପ୍ରଦାନ କରାଯାଇଛି ବୋଲି ଶ୍ରୀ କର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ପ୍ରୋଗ୍ରାମ ଅଫିସର ମଞ୍ଜୁଳା ରଥ, ସମସ୍ତ ସିଡ଼ିପିଓ, ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତା, କାଳନ୍ଦୀ ଚରଣ ସାହୁ, ଅବିନା କୁମାରୀ ସାମନ୍ତ, ଶିଶିର ମଲିକ, ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ ।





