
ଶ୍ରୀ ଗଣେଷ ଶିକ୍ଷା କେନ୍ଦ୍ର, ଶୁଳିଆର ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ଦାନଗଦି, ୦୩/୩(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅର୍ନ୍ତଗତ ରଣାଗୁଣ୍ଡି ପଂଚାୟତର ଶୁଳିଆ ଠାରେ ଅବସ୍ଥିତ ‘ଶ୍ରୀ ଗଣେଷ ଶିକ୍ଷା କେନ୍ଦ୍ର’ର ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଆଜି ଶୁକ୍ରବାର ସନ୍ଧ୍ୟାରେ ଶିକ୍ଷାବିତ୍ ଗଜେନ୍ଦ୍ର କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ଉନ୍ନୟନ ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଇଂ. ପ୍ରିତୀରଂଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଶିକ୍ଷାର ପ୍ରସାର ପାଇଁ ଶ୍ରୀ ଗଣେଷ ଶିକ୍ଷାନୁଷ୍ଠାନ ନିରନ୍ତର ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳରେ ତା’ର କାର୍ଯ୍ୟ ଜାରୀ ରଖି ପ୍ରଂଶସାର ପାତ୍ର ପାଲଟିଛି । ମୁଖ୍ୟ ବକ୍ତା ଭାବେ ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ପାଠ ପଢ଼ା ସହ ସେମାନଙ୍କ ଚରିତ୍ର ଗଠନ, ସାଧୂୁ ଉପାୟରେ ପରିଶ୍ରମ କରିବା, ଜାତୀୟତା ଭାବନାରେ ଉଦ୍ବୁଦ୍ଧ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ୦୯ ନଂ. ଜୋନର ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବ୍ରୁ, ସମାଜସେବୀ ଅଧର କୁମାର ମିଶ୍ର, ବିଦ୍ୟାଳୟର ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତ, ପୂର୍ବତନ ସମିତି ସଭ୍ୟ ଗଣେଶ୍ୱର ମହାନ୍ତ, ଯୁବ ସମାଜସେବୀ ମୁନା ହାଇବ୍ରୁ, ଅମରେନ୍ଦ୍ର ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଉନ୍ନତ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ସଂପାଦକ ଲାଲବାହାଦୂର ମହାନ୍ତ ଅତିଥି ପରିଚୟ ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ନିର୍ମଳା ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । କ୍ରୀଡ଼ା, ସାସ୍କୃତିକ ପ୍ରତିଯୋଗିତା, ଚିତ୍ରାଙ୍କନ ଆଦି ବିଭିନ୍ନ ବାର୍ଷିକ ପ୍ରତିଯୋଗିତାରେ କୃତ୍ୟକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା ।