ଯାଜପୁର ଭଳି କୃଷି ସମୃଦ୍ଧ ଜିଲ୍ଲାରେ କୃଷିନୀତି ଏକ ପ୍ରକାର ଦିଗହରା
ଯାଜପୁର ; ୨୦/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) :ଯାଜପୁର ଜିଲ୍ଲାର ଜଳସେଚନ ଏବଂ ଜଳ ନିଷ୍କାସନର ବିଫଳ ବ୍ୟବସ୍ଥା ପୁଣିଥିରେ ପଦାରେ ପଡିଛି। ଅନିୟମିତ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ପ୍ରବଳ ବର୍ଷା ପରେ ବନ୍ୟା ହୋଇ ଚାଷଜମି ସବୁ ପାଣିରେ ବୁଡିଥିବା ଦେଖିବାକୁ ମିଳିଛି। ଯାହା କିଛି ଫସଲ ଆଶା କରାଯାଉଥିଲା ସେତକ ମଧ୍ୟ ଧୋଇଗଲା। ଏଥିସହ ଜଳସେଚନ ଓ ଜଳ ନିଷ୍କାସନ ପାଇଁ ପ୍ରତିବର୍ଷ ଶହ ଶହ କୋଟି ଟଙ୍କା ଅନୁଦାନ ବ୍ୟୟ ହେଉଥିଲେ ମଧ୍ୟ ଚାଷୀଙ୍କୁ ଫାଇଦା ମିଳୁନି। ଯାଜପୁର ଭଳି କୃଷି ସମୃଦ୍ଧ ଜିଲ୍ଲାରେ କୃଷିନୀତି ଏକ ପ୍ରକାର ଦିଗହରା ହୋଇଯାଇଛି। ଯାଜପୁର ଜିଲ୍ଲାକୁ ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖା ନଦୀଗୁଡ଼ିକ ଜାଲ ପରି ଘେରି ରହିଥିବା ସତ୍ତ୍ବେ ସମସ୍ତ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିଲା ନାହିଁ। ଜିଲ୍ଲାର ମୋଟ ୧ଲକ୍ଷ ୪୫ହଜାର ୪୫୦ହେକ୍ଟର ଚାଷ ଜମି ମଧ୍ୟରୁ ୬୮ହଜାର ୭୪୮ହେକ୍ଟର ଜଳସେଚିତ ବୋଲି କାଗଜପତ୍ରରେ ଦର୍ଶାଉଥିବା ବେଳେ ୬୦ଭାଗ ମରୁଡ଼ି କବଳିତ ହୋଇଥିବାର ବେସରକାରୀ ଭାବେ କୁହାଯାଉଥିଲା। ମାତ୍ର ଚଳିତ ମାସ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ଜିଲ୍ଲାର ୩୮ହଜାର ୯୧୫ହେକ୍ଟର ଚାଷ ଜମିକୁ ବୁଡାଇ ଦେଇଛି ବୋଲି ଜିଲ୍ଲା ପ୍ରଶାସନ ସରକାରଙ୍କୁ ଜଣାଇଛନ୍ତି। ବର୍ଷା ଅଭାବରୁ ମରୁଡି ଓ ବର୍ଷା ପରେ ଧୋଇ ଘଟଣା ଲକ୍ଷାଧିକ ଚାଷୀଙ୍କ ଜୀବିକାକୁ ପ୍ରଭାବିତ କରିଛି। ଦଶରଥପୁର ବ୍ଲକର ୧୩ଟି ପଞ୍ଚାୟତର ପ୍ରାୟ ୫ହଜାର ହେକ୍ଟର ଚାଷ ଜମିକୁ ନିୟମିତ ନଦୀ ମୁହଁରେ ଛାଡ଼ି ଦିଆଯାଉଛି। ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ବିଫଳ ଭଳି ଜଳ ନିଷ୍କାସନ ପାଇଁ କାମ କରୁଥିବା ଯାଜପୁର ଡ୍ରେନେଜ ଡିଭିଜନ୍ ମଧ୍ୟ ଫେଲ୍ ମାରିଛି। ହଜାର ହେକ୍ଟର ଚାଷ ଜମିରୁ ଏ ଯାଏଁ ପାଣି ନିଷ୍କାସନ ହୋଇପାରୁ ନାହିଁ। ଦଶରଥପୁର ବ୍ଲକ୍ ଭଳି ସମଗ୍ର ଜିଲ୍ଲାରେ ଏଭଳି ଅବସ୍ଥା ଲାଗି ରହିଛି।