
ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ୨୦୨୫ରେ ଶେଷ ହେବ : ମରାମତି ହେବ ୧୬ ନମ୍ୱର୍ ଜାତୀୟ ରାଜପଥ
ଯାଜପୁର, ୦୭/୦୫(ବ୍ୟୁରୋ): ଚଣ୍ଡୀଖୋଲ-ଡୁବୁରୀ ୫୩ ନମ୍ୱର୍ ଜାତୀୟ ରାଜପଥ ଡିସେମ୍ବର ୨୦୨୫ ମଧ୍ୟରେ ଶେଷ ହେବ । ଚଣ୍ଡୀଖୋଲରୁ ପାଣିକୋଇଲି ଅଭିମୁଖେ ଯାଇଥିବା ୧୬ ନଂବର ଜାତୀୟ ରାଜପଥର ଉଭୟ ପଟର ଦବି ଯାଇଥିବା ଗୋଟିଏ ଲେଖା ଧାଡି ରାସ୍ତା ମରାମତି ହେବ ବୋଲି ଯାଜପୁର ସଡକ ସୁରକ୍ଷା କମିଟି ବୈଠକରେ ସ୍ଥିର ହୋଇଛି । ଏହି ଦୁଇ ଜାତୀୟ ରାଜପଥର ରାଜ୍ୟରେ ଯଥେଷ୍ଟ ଗୁରୁତ୍ୱ ଥିବା ବେଳେ ୫୩ ନମ୍ୱର୍ ଜାତୀୟ ରାଜପଥ ନେଇ ଜନଅସନ୍ତୋଷ ଜାତୀୟ ସ୍ତରର ପ୍ରସଙ୍ଗ ହୋଇଥିଲା ।୫୩ ନମ୍ୱର୍ ଜାତୀୟ ରାଜପଥ ଦୂରାବସ୍ଥା ନେଇ ସର୍ବଦା ସଡକ ସୁରକ୍ଷା କମିଟି ବୈଠକରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା । ହେଲେ ଏଥର ସଡକ ସୁରକ୍ଷା କମିଟି ବୈଠକରେ ଭିନ୍ନ ସ୍ୱର ଦେଖିବାକୁ ମିଳିଥିଲା । ଏହି ରାସ୍ତାର ଦୂରାବସ୍ଥା ନୁହେଁ ବରଂ କେବେ ରାସ୍ତା କାର୍ଯ୍ୟ କେବେ ଶେଷ ହେବ ଏହାର ଚୁଡାନ୍ତ ତାରିଖ ଘୋଷଣା କରିବାକୁ ଦାବି ହୋଇଥିଲା । ଏହାସହ ପ୍ରଥମ ଥର ପାଇଁ ଚଣ୍ଡୀଖୋଲରୁ ପାଣିକୋଇଲି ଅଭିମୁଖେ ଯାଇଥିବା ୧୬ ନମ୍ୱର୍ ଜାତୀୟ ରାଜପଥ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ପାଇଁ ରାସ୍ତା ଦବିଯିବା ଅଭିଯୋଗ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।ବୈଠକ ଆରମ୍ବ ହେବା ପରେ ସଭ୍ୟ ସତୀଶ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ. ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟ ବହୁତ ହେଲା । ବର୍ଷ ବର୍ଷ ଧରି ଅଧାଗଢା ରାସ୍ତା ପାଇଁ ଦୁର୍ଘଟଣାରେ ଲୋକେ ପୋକମାଛି ପରି ମଲେ । ଏଣିକ ପଦୁଟିଏ କୁହ , ରାସ୍ତା ସଂପ୍ରସାରଣ କାର୍ଯ୍ୟ କେବେ ଶେଷ କରିବ ? ଏଥିନେଇ ବୈଠକରେ ଗୁରୁତ୍ୱର ସହ ଆଲୋଚନା ହୋଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଦୀର୍ଘ ସମୟ ଧରି ଜାତୀୟ ରାଜପଥ କର୍ତୁପକ୍ଷ ଓ ନିର୍ମାଣକାରୀ ସଂସ୍ଥା ଉପରେ ବର୍ଷିଥିଲେ । ଶେଷରେ ପରିସ୍ଥିତିର ବାଧ୍ୟବାଧକତାରେ ଏହି ଜାତୀୟ ରାଜପଥ ଡିସେମ୍ବର ୨୦୨୫ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ । ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥର ବାସ୍ତବ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଆନ୍ତରିକତା ଓ ନିଷ୍ଠାକୁ ସଭ୍ୟ ସତୀଶ ବିଶ୍ୱାଳ ପ୍ରଶଂସା କରିଥିଲେ । ଏହି ରାସ୍ତାରେ ଆଦୌ ପାଣି ଛିଂଚା ହେଉ ନଥିବାରୁ ରାସ୍ତା ନିର୍ମାଣ ସମୟରେ ରାସ୍ତାରେ ପ୍ରବଳ ଧୂଳି ଉଡିବା ସହ ବିପଦ ଜନକ ପ୍ରଦୂଷଣ ହେଉଛି ବୋଲି ସତୀଶ ଅଭିଯୋଗ କରିଥିଲେ । ଏଥିପାଇଁ ଦୁଇ ଚକିଆ ଯାନର ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାକୁ ଜାତୀୟ ରାଜପଥ କର୍ତୁପକ୍ଷ ଅସ୍ୱୀକାର କରିଥିଲେ ମଧ୍ୟ ବୈଠକରେ ସର୍ବସମ୍ମତ ଭାବେ ଏହି ଅଭିଯୋଗର ସତ୍ୟାତାକୁ ସ୍ୱୀକାର କରାଗଲା । ଏଥିନେଇ ରାସ୍ତା ନିର୍ମଶକାରୀ ସଂସ୍ଥା ସଚେତନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।ଚଣ୍ଡୀଖୋଲରୁ ପାଣିକୋଇଲି ଅଭିମୁଖେ ଯାଇଥିବା ଜାତୀୟ ରାଜପଥର ଉଭୟ ପାଶ୍ୱର ଡାହାଣ ପଟେ ଥିବା ଗୋଟିଏ ଧାଡି ରାସ୍ତା ସଂପୂର୍ଣ୍ଣ ଦବିଯିବା ଫଳରେ ରାସ୍ତାରେ ଯାବତୀୟ ଦୁର୍ଘଟଣା ଘଟୁଛି । ଏହି ଜାତୀୟ ରାଜପଥର ନିର୍ମାଣ ଶୈଳୀରେ ତ୍ରୁଟି ଏବଂ ବ୍ୟାପକ ଦୁର୍ନିତି କରାଯାଇ ଥିବାରୁ ଏଭଳି ଦୂରାବସ୍ଥା ହୋଇଛି ବୋଲି ପ୍ରଥମ ଥର ପାଇଁ ହୋଇଥିବା ଅଭିଯୋଗକୁ ଜୋରଦାର ଭାବେ ଉଠାଇଥିଲେ ସଭ୍ୟ ସତୀଶ ବିଶ୍ୱାଳ । ଓଭରଲୋଡ ଗାଡି ଚଳାଚଳ ପାଇଁ ଏଭଳି ହୋଇଥିବାର ଦର୍ଶାଇ ପ୍ରସଙ୍ଗକୁ ଟାଳି ଦେବାର ଜାତୀୟ ରାଜପଥ ଅଧିକାରୀ ଉଦ୍ୟମ କରିଥିଲେ । ଏଥିନେଇ ସତୀଶ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଠିକା ସଂସ୍ଥାର ଯୁକ୍ତି ସଂପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇ ଏଭଳି ଯୁକ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏଥିନେଇ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡା ଯିବ ବୋଲି ସତୀଶ କହିଥିଲେ । ଯାଜପୁର ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରି ଜାତୀୟ ରାଜପଥ ଅଧିକାରୀ ନିଜର ଏହି ଯୁକ୍ତିକୁ ପ୍ରତ୍ୟାହାର କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଖୁବଶିଘ୍ର ଏହି ଜାତୀୟ ରାଜପଥ ମରାମତି କରିବାକୁ ବୈଠକରେ ଉପସ୍ଥିତ ଜାତୀୟ ରାଜପଥ ଅଧିକାରୀ ପ୍ରତିଶୃତି ଦେଇଥିଲେ । ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥରେ ଖୁବ ବିପଦ ଜନକ ବଡ ବଡ ହମ୍ପସ ପାଇଁ ଛୋଟ କାରରେ ଯାଉଥିବା ଲୋକେ କାରରୁ ଓହ୍ଲାଇବା ପରେ କାର ଗୁଡିକ ହମ୍ପସ ପାର ହେଉଛନ୍ତି । ନଚେତ ଉକ୍ତ କାର ଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ସରକାରଙ୍କ ବଧି ବ୍ୟବସ୍ଥା ଅନୁସାରେ ହମ୍ପସ କରାଯିବାକୁ ସତୀଶ ଦାବି କରିଥିଲେ । ପୋଲିସ ସହାୟତାରେ ଆଇନ ଅନୁସାରେ ହମ୍ପସ ନିର୍ମାଣ କରିବାକୁ ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଚଣ୍ଡୀଖୋଲ ଛକର ବିଭିନ୍ନ ପ୍ରକାର ଟ୍ରାଫିକ ସମସ୍ୟା ନେଇ ଚଣ୍ଡୀଖୋଲ ଟ୍ରକ ମାଲିକ ସଂଘ ତରଫରୁ ଏବଂ ଯାଜପୁରର କେତେକ ବିପର୍ଯ୍ୟସ୍ତ ରାସ୍ତା ନେଇ ଯାଜପୁର ଟ୍ରକ ଓ ବସ ମାଲିକ ସଂଘର ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଚଣ୍ଡୀଖୋଲରୁ କଟକ ଅଭିମୁଖେ ଯାଇଥିବା ଜାତୀୟ ରାଜପଥରରେ ୪ କିଲୋମିଟର ଦୂରରେ ଗଣସା ଠାରେ ଖୁବଶିଘ୍ର ଟ୍ରକ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି । ଚଣ୍ଡୀଖୋଲ ଆରଟିଓ ସମ୍ବିତ କୁମାର ବୈଠକରେ ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ଜାତୀୟ ରାଜପଥ ବିଭାଗର ବହୁ ଅଧିକାରୀଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଯାଜପୁର ପୋଲିସ ତରଫରୁ ଏସଡିପିଓ ପ୍ରଶାନ୍ତ ମାଝୀ ଯୋଗଦେଇ ସଡକ ସୁରକ୍ଷା ପାଇଁ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ପୋଲିସ ସହଯୋଗ ପ୍ରଦାନ କରିବ ବୋଲି ମତ ପ୍ରକାଶ କରିଥିଲେ ।