
‘ଉଦୟବଟ’ ତରଫରୁ ୫୩ତମ ବିଶ୍ୱ ପରିବେଶ ଦିବସ ପାଳିତ
ବ୍ୟାସନଗର, ୦୫/୦୬ (ଉ. ନ୍ୟୁଜ୍ ବ୍ୟୁରୋ): ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଗୁରୁବାର ପୂର୍ବାହ୍ନରେ ‘ଉଦୟବଟ’ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଟ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଟିତ ଆଲୋଚନାଚକ୍ରରେ ଯୋଗ ଦେଇଥିବା ପରିବେଶପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଠ ଆମ ଦେଶରେ ପରିବେଶ ସମସ୍ୟା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପର୍ଯ୍ୟାପ୍ତ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଛି । ଏଥିରେ ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର, ଯୁବ ସମାଜସେବୀ ଅନୂପ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ଶ୍ରମିକ ନେତା ଅରୁଣ ଦାସ, ସନ୍ତୋଷ କୁମାର ବାଇ, ହରଦୟାଲ ସିଂହ, ବିଦ୍ୟୁତ୍ପ୍ରଭା ରାୟ, ଗୋଲାପ ମଲ୍ଲିକ, ଲିପ୍ସାରାଣୀ ବାଇ, ଭାରତୀ ବେହେରା, ଆରତୀ ବାରିକ, କେତକୀ ବାରିକ, ଦୁଷ୍ମନ୍ତ ମଳିକ, ପ୍ରଫୁଲ୍ଲ ବାରିକ, ଭାରତ ଭୂଷଣ ରାଉତ, ପ୍ରୀତିପାଲ ସିଂ ପ୍ରମୁଖ ଯୋଗ ଦେଇ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ହୋଇଥିବା ବେଳେ ପଲିଥିନର ବର୍ଜ୍ଜନ ସର୍ବାଗ୍ରେ ଆବଶ୍ୟକ ବୋଲି କହିଥିଲେ । ସଭାର ସଭାପତି ଶ୍ରୀ ରାଉତ ପ୍ରକୃତିମାତାର ଉପଯୁକ୍ତ ସୁରକ୍ଷା, ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ, ବଚିଂଥିବା ବୃକ୍ଷରାଜିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ କୈାଣସି ଗୋଟିଏ ଅନୁଷ୍ଠାନ ନୁହେଁ ବରଂ ସମସ୍ତ ଜନସାଧାରଣଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ରାଜ୍ୟରେ କାଳକ୍ରମେ ଜଂଗଲର ପରିମାଣ ୩୩%ରୁ ଖସି ଖସି ଆସି ୨୧% ପ୍ରତିଶତରେ ପହଚିଂଥିବାରୁ ସେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ଅଧିକ ସଂଖ୍ୟକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଯଥା: ନିମ୍ବ, କରଂଜ, ଅଶ୍ୱତ୍ଥ, ବର, ତୁଳସୀ ଆଦି ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ । ବୃକ୍ଷ ଏକାଧାରାରେ ପରିବେଶ ସନ୍ତୁଳନରେ, ଖାଦ୍ୟ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସନ୍ତୁଳନ କରିବା ଆଦି ବହୁ ଉପଯୋଗୀ କାର୍ଯ୍ୟରେ ସହାୟକ ହୋଇ ଚାଲିଛି । ଚାରିଆଡେ କଂକ୍ରିଟକରଣ ହେଉଥିବାରୁ, କଳ କାରଖାନାର ଧୂଳି ଧୂଆଁ, ଗାଡି ଘୋଡାର ବହୁଳ ବ୍ୟବହାର ଯୋଗୁ ଆଜି ବିଶ୍ୱର ତାପମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇ ଚାଲିଥିବାରୁ ଉଦ୍ବେଗ ପ୍ରକାଶ କରି ସେ ପରିବେଶର ସନ୍ତୁଳନ ଉପରେ ସମସ୍ତେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ସମସ୍ତେ ପ୍ରକୃତିକୁ ଭଲ ପାଇବା ସହ ଆନ୍ତରିକତାର ସହ ଏହାର ସୁରକ୍ଷା ପାଇଁ ଯତ୍ନଶୀଳ ଉଦ୍ୟମ ନ କଲେ ମନୁଷ୍ୟ ସମାଜ ପାଇଁ ପ୍ରକୃତି ଦାରୁଣ ହେବ ବୋଲି ବକ୍ତାମାନେ ଆଶଙ୍କା କରିଥିଲେ ।