ଓ.ଏମ.ସିର ବରିଷ୍ଠ କର୍ମଚାରୀ ସୁକାନ୍ତ କୁମାର ବେହେରାଙ୍କ ଅବସର, ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ
ବ୍ୟାସନଗର, ୧୫/୬: ଯାଜପୁରରୋଡ ଓଡ଼ିଶା ଖଣି ନିଗମ (ଓ.ଏମ.ସି)ର ଆଂଚଳିକ ଅଧିକାରୀ(ଆର.ଏମ)ଙ୍କ ବ୍ୟକ୍ତିଗତ ସହାୟକ (ପି.ଏ) ସୁକାନ୍ତ କୁମାର ବେହେରା ନିକଟରେ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । କୋଭିଡ଼ କଟକଣା ପାଇଁ ଶ୍ରୀ ବେହେରାଙ୍କ ପାଇଁ କାର୍ଯ୍ୟାଳୟରେ ଏକ ନିରାଡମ୍ବର ତଥା ଅଳ୍ପ ସଂଖ୍ୟକ ଅଧିକାରୀଙ୍କ ନେଇ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କ୍ରୋମ ଜୋନର ସିନିୟର ମ୍ୟାନେଜର (ଫାଇନାନ୍ସ) ଘନଶ୍ୟାମ ମହାନ୍ତି ଶ୍ରୀ ବେହେରାଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ କ୍ରୋମ ଜୋନ ଏମ୍ପ୍ଲଇଜ୍ ୟୁନିୟନର ସାଧାରଣ ସଂପାଦକ ଜୀତେନ୍ଦ୍ର କୁମାର ନାୟକ, ମ୍ୟାନେଜର ମାନସ କୁମାର ବେହେରା, ଫାର୍ମାସିଷ୍ଟ ସୁଶାନ୍ତ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ଅନା କୁମାରୀ ପଣ୍ଡା, ଆର.ମଙ୍କ ପ୍ରାଇଭେଟ ସେକ୍ରେଟାରୀ କୁମୁଦିନୀ ଦଳାଇ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରାଙ୍କ ସୁଗୁଣ ଉପରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ବେହେରା ୨୭/୦୭/୧୯୮୭ରେ ଜଣେ ଷ୍ଟେନୋଗ୍ରାଫର ଭାବେ ଯାଜପୁରରୋଡର ଏହି କାର୍ଯ୍ୟାଳୟରେ ତାଙ୍କ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ଏଠାରୁ ୦୨ ବର୍ଷ ବାଙ୍ଗୁର ଖଣି, ୦୩ ବର୍ଷ ପାଇଁ ବଡ଼ବିଲର ସେରେଣ୍ଡା ଓ ୦୬ ମାସ ପାଇଁ ଭୁବନେଶ୍ୱର ସ୍ଥିତ ନିଗମ ମୁଖ୍ୟାଳୟକୁ ବଦଳି ହୋଇ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ଅବଶିଷ୍ଟ ଚାକୀରି ସମୟ ହିଁ ତାଙ୍କର ଏଠାରେ କଟିଥିଲା । ସେ ସବୁ ସ୍ଥାନରେ ଅତ୍ୟନ୍ତ ବିଶ୍ୱସ୍ଥତା ଓ ସଫଳତାର ସହ କାର୍ଯ୍ୟ କରି ଶ୍ରମିକ, କର୍ମଚାରୀ ଓ ଅଧିକାରୀ ମହଲରେ ବେଶ ପ୍ରଶଂସିତ ହୋଇଛନ୍ତି । ସେ ଅନୂନ୍ୟ ୧୫ ଜଣ ଜି.ଏମ ଓ ଆର.ଏମଙ୍କ ଅଧିନରେ ଦାୟିତ୍ୱର ସହ ତାଙ୍କ କାର୍ଯ୍ୟ ସଂପାଦିତ କରି ଉଦାହରଣ ସୃଷ୍ଟି କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ସରଳ, ନିଷ୍ଠାପର, ପରୋପକାରୀ, ବିଶ୍ୱସ୍ଥ ତଥା ବିଭାଗ ଅନୁରାଗୀ ଅଧିକାରୀ ଭାବେ କାର୍ଯ୍ୟକରି ବେଶ ପ୍ରଂଶସିତ ମଧ୍ୟ ହୋଇଛନ୍ତି । ତାଙ୍କର ଅବସର ପରବର୍ତୀ ସମୟ ଖୁସିରେ କଟୁ ବୋଲି ଉପସ୍ଥିତ ଅଧିକାରୀମାନେ ଆଶା ପୋଷଣ କରିଥିଲେ ।
ଏହାଛଡ଼ା ବିଭିନ୍ନ ବ୍ୟକ୍ତିବିଶେଷ ଶ୍ରୀ ବେହେରାଙ୍କୁ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଶ୍ରୀ ବେହେରାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।